ଜାତୀୟ ମହିଳା ଫୁଟ୍‌ବଲ୍‌: ତାମିଲନାଡ଼ୁ ନୂଆ ବିଜେତା

କଟକ: ତାମିଲନାଡ଼ୁ ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ନୂଆ ବିଜେତା ହୋଇଛି। ବାରବାଟୀ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଫାଇନାଲ୍‌ରେ ତାମିଲନାଡ଼ୁ ୨-୧ ଗୋଲ୍‌ରେ ପୂର୍ବତନ ବିଜୟିନୀ ମଣିପୁରକୁ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ ତାମିଲନାଡ଼ୁ ବିପକ୍ଷ ଦଳକୁ ଚାପରେ ରଖିଥିଲା। ତୃତୀୟ ମିନିଟ୍‌ରେ ଇନ୍ଦୁମତୀ ପ୍ରଥମ ଗୋଲ୍‌ ଦେଇ ଆତ୍ମବିଶ୍ୱାସ ବଢାଇଥିଲା ବେଳେ ୪୦ ମିନିଟ୍‌ରେ ଇନ୍ଦ୍ରାଣୀ ଆଉ ଏକ ଗୋଲ୍‌ ଦେଇ ପ୍ରଥମାର୍ଧ ସୁଦ୍ଧା ତାମିଲନାଡୁକୁ ୨-୦ ରେ ଆଗୁଆ ରଖିଥିଲେ। ତେବେ ଦ୍ୱିତୀୟାର୍ଧରେ ମଣିପୁର ଏକାଧିକ ଗୋଲ୍‌ କରିବାର ସୁଯୋଗ ହାତଛଡ଼ା କରିଥିଲା। ତଥାପି ୫୭ ମିନିଟ୍‌ରେ ମଣିପୁର ପାଇଁ ରତ୍ନବାଳା ଦେବୀ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ହେଲେ ତାମିଲନାଡ଼ୁ ଆଉ କୌଣସି ସୁଯୋଗ ନଦେଇ ପ୍ରଥମ ଥର ପାଇଁ ବିଜେତା ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଏଆଇଏଫ୍‌ଏଫ୍‌ ଉପସଭାପତି ସୁବ୍ରତ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ବିଜୟୀ ଦଳର ଇନ୍ଦୁମତୀଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ୨୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏଏଫ୍‌ସି ବୈଷୟିକ ଅଧିକାରୀ ଅଞ୍ଜା ପଲ୍‌ସେଭିକ୍‌, ଏଆଇଏଫ୍‌ଏଫ୍‌ ମହିଳା ଫୁଟ୍‌ବଲ୍‌ ସହକାରୀ ପରିଚାଳିକା ସ୍ୱପ୍ନା, ଫାଓ ଉପଦେଷ୍ଟା ଆଶୀର୍ବାଦ ବେହେରା, ଉପସଭାପତି ଦିଲ୍ଲୀପ ଦାସ, ଭକ୍ତବଲ୍ଲଭ ଦାସ, ବିଜୟ ଦାସ, ତଡ଼ିତ କୁମାର ରାଉତ, ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ୍‌, ବିଜୟ ଦାସ, ସଙ୍ଗୀତା ଶର୍ମା, ପୂର୍ବତନ ଆନ୍ତର୍ଜାତିକ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର