ଜାତୀୟ ମହିଳା ଫୁଟ୍‌ବଲ୍‌ ଫାଇନାଲ୍‌ରେ ତାମିଲନାଡୁ-ମଣିପୁର

କଟକ: ତାମିଲନାଡୁ ଓ ମଣିପୁର ମଧ୍ୟରେ ଜାତୀୟ ବରିଷ୍ଠ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ ଖେଳାଯିବ। ସୋମବାର ଖେଳାଯାଇଥିବା ସେମିଫାଇନାଲ୍‌ ଦ୍ୱୟରେ ତାମିଲନାଡ଼ୁ ୪-୧ ଗୋଲରେ ପଶ୍ଚିମବଙ୍ଗକୁ ଏବଂ ମଣିପୁର ୨-୧ ଗୋଲରେ ଭାରତୀୟ ରେଳବାଇକୁ ହରାଇଥିଲେ। ପ୍ରଥମ ମ୍ୟାଚରେ ଆତ୍ମଘାତୀ ଗୋଲରୁ ତାମିଲନାଡ଼ୁର ଖାତା ଖୋଲିଥିଲା। ପଶ୍ଚିମବଙ୍ଗର ସୁମିତ୍ରା ମାରାଣ୍ଡି ଏହି ଆତ୍ମଘାତୀ ଗୋଲ ଦେଇଥିଲେ। ଏହାପରେ ବିଜୟୀ ଦଳର ଇନ୍ଦୁମତୀ ୪୧ ଓ ୪୯ ମିନିଟ୍‌ରେ ଦୁଇଟି ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ପଶ୍ଚିମବଙ୍ଗର ବର୍ଣ୍ଣାଳୀ କରାର୍‌ ୬୦ ମିନିଟ୍‌ରେ ଗୋଟିଏ ଗୋଲ ପରିଶୋଧ କରିଥିଲେ ବି ୮୮ ମିନିଟ୍‌ରେ ତାମିଲନାଡ଼ୁର ଏ ଇନ୍ଦ୍ରାଣୀ ଆଉ ଏକ ଗୋଲ ଦେଇ ଦଳକୁ ବିଜୟ ଆଡକୁ ନେଇଥିଲେ। ଏହାପରେ ଆଉ କୌଣସି ଗୋଲ ନହେବାରୁ ତାମିଲନାଡ଼ୁ ମ୍ୟାଚରେ ଜିତିଯାଇଥିଲା। ଏନ୍‌ ନନ୍ଦିନୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଦିଆଯାଇଥିଲା। ଦ୍ୱିତୀୟ ସେମିଫାଇନାଲ୍‌ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମଣିପୁର ପକ୍ଷରୁ ଏନ୍‌ଜି ବାଲା ଦେବୀ ୧୩ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲାବେଳେ ଗୋଟିଏ ମିନିଟ୍‌ ପରେ ରେଳବାଇର ୟୁମନାମ କମଳା ଦେବୀ ଏହି ଗୋଲ ପରିଶୋଧ କରିଥିଲେ। ଏହାପରେ ଉଭୟ ଦଳଙ୍କୁ ଗୋଲ କରିବାକୁ ଏକାଧିକ ସୁଯୋଗ ମିଳିଥିଲେ ବି କେହି ସଫଳ ହୋଇନଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ୮୫ ମିନିଟ୍‌ରେ ବାଲାଦେବୀ ଦ୍ୱିତୀୟ ଗୋଲ ଦେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ମଣିପୁରର ଇରୋମ୍‌ ପରମେଶ୍ୱରୀ ଦେବୀ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଫାଓ ଉପ ସଭାପତି ଭକ୍ତବଲ୍ଲଭ ଦାସ ଏହି ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌ ବୁଧବାର ସଂଧ୍ୟା ୪.୩୦ରେ ଖେଳାଯିବ।

ସମ୍ବନ୍ଧିତ ଖବର