ଜାତୀୟ ମହିଳା ଫୁଟ୍‌ବଲ୍‌:ହରିଆନାର ଗୋଲ୍‌ ବର୍ଷା

ଜମ୍ମୁ କଶ୍ମୀରକୁ ୨୪-୦ ଗୋଲ୍‌ରେ ହରାଇଲା କେରଳଠୁ ୦-୫ରେ ହାରିଲା ଚଣ୍ଡୀଗଡ଼

ଭୁବନେଶ୍ୱର,: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୨୩ତମ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଖେଳାଯାଇଥିବା ଦୁଇଟି ଗ୍ରୁପ୍‌ ମ୍ୟାଚ୍‌ରେ ହରିଆନା ଓ କେରଳ ଏକପାଖିଆ ବିଜୟ ହାସଲ କରିଛନ୍ତି। ହରିଆନା ୨୪-୦ ଗୋଲ୍‌ରେ ଜମ୍ମୁ ଓ କାଶ୍ମୀରକୁ ପରାସ୍ତ କରିଥିଲା ବେଳେ କେରଳ ୫-୦ ଗୋଲ୍‌ରେ ଚଣ୍ଡୀଗଡ଼ ବିପକ୍ଷରେ ବିଜୟୀ ହୋଇଛି।
ଜମ୍ମୁ ଓ କାଶ୍ମୀର ଫୁଟ୍‌ବଲ୍‌ ସଂଘ ବିପକ୍ଷରେ ହରିଆନା ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଗୋଲ୍‌ ବର୍ଷା କରିଚାଲିଥିଲା। ହରିଆନା ପ୍ରଥମାର୍ଧରେ ୧୦ ଗୋଲ୍‌ କରିଥିଲା ବେଳେ ଦ୍ୱିତୀୟାର୍ଧରେ ଆଉ ୧୪ ଗୋଲ୍‌ ଲଦି ଦେଇଥିଲା। ନିଶା ସର୍ବାଧିକ ୬ (୬, ୩୮, ୬୫, ୬୭, ୮୦ ଓ ୮୩ ମିନିଟ୍‌) ଗୋଲ୍‌ କରିଥିଲା ବେଳେ ଦୀପିକା (୧୩, ୩୦, ୩୨, ୪୭ ଓ ୭୯ ମିନିଟ୍‌) ୫, ରବିନା ଯାଦବ (୧୪, ୪୩, ୫୫ ଓ ୬୩ ମିନିଟ୍‌) ଓ ରିତୁ ରାଣୀ (୯, ୩୯, ୫୭ ଓ ୭୭ ମିନିଟ୍‌) ୪ ଲେଖାଏଁ , ସୁଷମା (୮୫, ୮୬ ଓ ୮୭ ମିନିଟ୍‌) ୩ ଏବଂ ସୁନିତା ସିଂହ (୫୪ ମିନିଟ୍‌) ଓ କରୁଣା (୧୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ହରିଆନାକୁ ବଡ଼ ବ୍ୟବଧାନର ବିଜୟରେ ଅବଦାନ ରଖିଥିଲେ। ରୂପା ସାଇନି ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସ୍ନିଗ୍‌ଧା ମଣ୍ଡଲ୍‌ ଓ ପୀୟସ ବାଇ ସହଯୋଗ କରିଥିଲେ। ରେସ୍‌ମୀ ଛେତ୍ରୀ ଚତୁର୍ଥ ଅମ୍ପାୟାର ଏବଂ ସୁଦେଷ୍ଣା ମୁଖାର୍ଜୀ ମ୍ୟାଚ୍‌ କମିଶନର ରହିଥିଲେ।
ମଙ୍ଗଳବାରର ଅନ୍ୟ ମ୍ୟାଚ୍‌ରେ ବିଜୟୀ କେରଳ ଦଳ ପ୍ରଥମାର୍ଧରେ ୨ ଏବଂ ଦ୍ୱିତୀୟାର୍ଧରେ ୩ ଗୋଲ୍‌ କରିଥିଲା। ଦଳ ପକ୍ଷରୁ ସୁବିତା ପୂଭାତା (୩୬ ମିନିଟ୍‌), ଅତୁଲ୍ୟା କେ (୪୫ ମିନିଟ୍‌), ଆସ୍‌ଲି ଓ୍ଵାଇ ଏମ୍‌ (୫୧ ମିନିଟ୍‌), ସ୍ନେହା ଲକ୍ଷ୍ମଣ କେ (୬୨ ମିନିଟ୍‌) ଓ ସମିନାସ୍‌ ପି (୭୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଚଣ୍ଡୀଗଡ଼କୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ଚିତ୍ରମ୍ବଦା ପାତ୍ର, ବିଷ୍ଣୁପ୍ରିୟା ଦାସ ଓ ମେରିଲିନେ ଟଙ୍ଗ୍‌ଓ୍ଵା ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ପି ମୋହନା ପ୍ରିୟା ଚତୁର୍ଥ ଅମ୍ପାୟାର ଏବଂ ସେନ୍ଥିଲ କୁମାରନ୍‌ ମ୍ୟାଚ୍‌ କମିଶନର୍‌ ରହିଥିଲେ।

ସମ୍ବନ୍ଧିତ ଖବର