ଜାତୀୟ ବାଳିକା ହକି: ମନୀଷାଙ୍କ ୩ ଗୋଲ୍‌; ସେମିରେ ଗାଙ୍ଗ୍‌ପୁର

ଭୁବନେଶ୍ୱର: ହକି ଇଣ୍ଡିଆ ଆନୁକୂଲ୍ୟରେ ହରିଆନାର ହିସାର୍‌ରେ ଚାଲିଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ହକି ଗାଙ୍ଗ୍‌ପୁର-ଓଡ଼ିଶା ଦଳ ତା’ର ବିଜୟ ଧାରା ଜାରି ରଖିଛି। ପୁଲ୍‌-ସିରେ ସାମିଲ ଥିବା ଗାଙ୍ଗ୍‌ପୁର ଦଳ ଅପରାଜେୟ ସହ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା। ପୁଲ୍‌ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶକୁ ୪-୧, ହିମାଚଳ ପ୍ରଦେଶକୁ ୪-୧, ଉତ୍ତର ପ୍ରଦେଶକୁ ୫-୨ ଏବଂ କର୍ଣ୍ଣାଟକକୁ ୪-୦ ଗୋଲ୍‌ରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବା ଗାଙ୍ଗ୍‌ପୁର ଦଳ ଗୁରୁବାର ମଧ୍ୟ ଏହି ଧାରା ବଜାୟ ରଖିଛି। ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ଗାଙ୍ଗ୍‌ପୁର ଦଳ ୪-୨ ଗୋଲ୍‌ରେ ଚଣ୍ଡୀଗଡ଼କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ମନୀଷା ଓରାମ୍‌ ୨୩ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ କରି ଗାଙ୍ଗ୍‌ପୁର ଦଳକୁ ଅଗ୍ରଣୀ ଦେଇଥିଲେ। ତେବେ ୩୩ ମିନିଟରେ ମନୁ ଚଣ୍ଡୀଗଡ଼ ପାଇଁ ଗୋଲ୍‌ ଶୁଝି ଦେବାରୁ ସ୍ଥିତି ୧-୧ରେ ରହିଥିଲା। ଅବଶ୍ୟ ଏହାର ଗୋଟିଏ ମିନିଟ୍‌ ପରେ ଅତେନ୍‌ ଟପ୍ନୋ (୩୪ ମିନିଟ୍‌)ଙ୍କ ଗୋଲ୍‌ ପୁଣି ଥରେ ଗାଙ୍ଗ୍‌ପୁର ଦଳକୁ ଆଗେଇ ନେଇଥିଲା। ତେବେ ୪୧ ମିନିଟ୍‌ରେ ନିକିତା ଗୋଟିଏ ଗୋଲ୍‌ କରି ଚଣ୍ଡୀଗଡ଼ ସ୍ଥିତି ପୁର୍ନବାର ସମାନ (୨-୨) କରିଦେଇଥିଲେ। କିନ୍ତୁ ଏହିଠାରେ ହିଁ ଚଣ୍ଡୀଗଡ଼ର ଗୋଲ୍‌ ଅଭିଯାନକୁ ରୋକିବାରେ ଗାଙ୍ଗ୍‌ପୁର ଦଳ ସଫଳ ହୋଇଥିଲା। ଗୋଟିଏ ପଟେ ଚଣ୍ଡୀଗଡ଼କୁ ଗୋଲ୍‌ କରିବାକୁ ରୋକିବା ସାଙ୍ଗକୁ ଅନ୍ୟପଟେ ମନୀଷାଙ୍କ ଦମ୍‌ଦାର ପ୍ରଦର୍ଶନ ଗାଙ୍ଗ୍‌ପୁର ପାଇଁ ବିଜୟ ବାଟ ଫିଟାଇ ଦେଇଥିଲା। ୬ ମିନିଟ୍‌ ମଧ୍ୟରେ ମନୀଷା ମ୍ୟାଚ୍‌ର ଶେଷ ଦୁଇଟି ଗୋଲ୍‌ କରି ଚଣ୍ଡୀଗଡ଼କୁ ପଛକୁ ଠେଲି ଦେଇଥିଲେ। ମନୀଷା ୫୨ ଓ ୫୮ ମିନିଟ୍‌ରେ ଲାଗ ଲାଗ ଦୁଇଟି ଗୋଲ୍‌ କରିବାରୁ ଗାଙ୍ଗ୍‌ପୁର ଦଳ ୪-୨ରେ ମ୍ୟାଚ୍‌ ଜିତି ନେଇଥିଲା। ମନୀଷା ମ୍ୟାଚ୍‌ରେ ସର୍ବାଧିକ ୩ ଗୋଲ୍‌ କରିଥିଲେ। ଆଉ ଏହି ବିଜୟ ସହ ଗାଙ୍ଗ୍‌ପୁର ଦଳ ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚିଯାଇଛି। ଦଳର ସଫଳତା ପାଇଁ ହକି ଗାଙ୍ଗ୍‌ପୁର-ଓଡ଼ିଶାର ମହାସଚିବ ଦେବାଶୀଷ ଗୌଡ଼ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦ ତାରିଖ ଦ୍ୱିତୀୟ ସେମିଫାଇନାଲ୍‌ରେ ଗାଙ୍ଗ୍‌ପୁର ଦଳର ମୁକାବିଲା ହରିଆନା ସହ ହେବ। ସେହିପରି ସେହିଦିନ ପ୍ରଥମ ସେମିଫାଇନାଲ୍‌ ମଧ୍ୟ ପ୍ରଦେଶ ଓ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ମଧ୍ୟରେ ଖେଳାଯିବ। ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ହରିଆନା ୫-୦ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରିଥିଲା ବେଳେ ମଧ୍ୟ ପ୍ରଦେଶ ୧-୦ ଗୋଲ୍‌ରେ ଝାଡ଼ଖଣ୍ଡକୁ ଏବଂ ସାଇ ୪-୩ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ହିମାଚଳ ପ୍ରଦେଶକୁ ପରାସ୍ତ କରି ସେମିଫାଇନାଲ୍‌ ଯୋଗ୍ୟତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର