ଜାତୀୟ ଜୁଜୁତ୍‌ସୁରେ ଓଡ଼ିଶାକୁ ୬ ପଦକ:ଅନୁପମା ଓ ଶ୍ରୀକାନ୍ତଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: କେରଳର କୋଚିନ୍‌ରେ ସୋମବାର ଉଦ୍‌ଯାପିତ ଜାତୀୟ ଜୁଜୁତ୍‌ସୁ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ୱର୍ଣ୍ଣ ଓ ୪ ରୌପ୍ୟ ସହିତ ୬ ପଦକ ଜିତିଛି। ଓଡ଼ିଶା ପୁଲିସ୍‌ରେ ନବନିଯୁକ୍ତ ଅନୁପମା ସ୍ୱାଇଁ କଣ୍ଟାକ୍ଟ ଫାଇଟରେ ସ୍ୱର୍ଣ୍ଣ, ଜୁଜୁତ୍‌ସୁ ପୋଷାକ ଓ ସାଧାରଣ ପୋଷାକରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଥିଲେ। ଶ୍ରୀକାନ୍ତ ଶେଖର ଜୁଜୁତ୍‌ସୁ ପୋଷାକ ସହ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପ୍ରିୟଦର୍ଶିନୀ ଘଟୁଆରି (ଏମ୍‌ବିଏସ୍‌ ପବ୍ଲିକ୍‌ ସ୍କୁଲ୍‌) ଓ ସତ୍ୟ ବେଉରିଆ ଜୁୁଜୁତ୍‌ସୁ ପୋଷାକ ସହ ଫାଇଟିଂରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଥିଲେ। ଏମାନଙ୍କ ବ୍ୟତୀତ ଅନିର୍ବାଣ ମେଭର, ସନ୍ତୋଷ ସିଂହ, ଅଂଶୁମାନ ସେଠୀ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ରହିଥିଲେ। ସ୍ୱର୍ଣ୍ଣ ଓ ରୌପ୍ୟ ବିଜେତାଙ୍କୁ ଆସନ୍ତା ଏସୀୟ କ୍ରୀଡ଼ା ଶିବିର ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପଦକ ବିଜେତାମାନଙ୍କୁ ଓଡ଼ିଶା ଜୁଜୁତ୍‌ସୁ ସଂଘ ସଭାନେତ୍ରୀ ଗୌରୀ ମହାନ୍ତି ଅଭିନନ୍ଦନ ଜ୍ଞାପନ କରିଛନ୍ତି। ବିଶ୍ୱଦେବ ପଟ୍ଟନାୟକଙ୍କ ନେତୃତ୍ୱରେ ୭ ଜଣିଆ ଓଡ଼ିଶା ଦଳ କୋଚିନ୍‌ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର