ନାଭାଲ ଟାଟା ହକି ଏକାଡେମି ଲାଗି ଆଜିଠୁ ଖେଳାଳି ଚୟନ ଶିବିର

ଭୁବନେଶ୍ବର: ନାଭାଲ ଟାଟା ହକି ଏକାଡେମି ଲାଗି ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଜାମସେଦପୁରଠାରେ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହେବ। ଏକାଡେମି ଲାଗି ୧୫ ଓ ୧୭ ବର୍ଷରୁ କମ୍ ବାଳକ ବର୍ଗର ଖେଳାଳିଙ୍କୁ ସେମାନଙ୍କ ପ୍ରତିଭା ମୁତାବକ ବଛାଯିବ। ନାଭାଲ ଟାଟା ହକି ଏକାଡେମିରେ ଆବାସିକ ତାଲିମର ସୁବିଧା‌ ରହିଛି। ଏଠାରେ ହଲାଣ୍ଡର ହକି କିମ୍ବଦନ୍ତୀ ଫ୍ଲୋରିସ୍ ଜନ୍ ବୋ‌ଭେଲାଣ୍ଡର ଏବଂ ଭାରତୀୟ ହକି ଦଳର ପୂବର୍ତନ ଅଧିନାୟକ ସନ୍ଦୀପ ସିଂହ ତାଲିମ ପ୍ରଦାନ କରିଥାଆନ୍ତି।

ଏକାଡେମିରେ ତାଲିମ ବିକାଶ କାର୍ଯ୍ୟକ୍ରମରେ ବିଶ୍ବସ୍ତରୀୟ ବୈଷୟିକ ଦକ୍ଷତା ବିକାଶ, ସ୍ବତନ୍ତ୍ର ଶାରୀରିକ ତାଲିମ ଓ ପୃଷ୍ଟି ସଂକ୍ରାନ୍ତ ଶିକ୍ଷା ଗ୍ରହଣର ବ୍ୟବସ୍ଥା ଅଛି। ଏହି ଏକାଡେମିରେ ମଧ୍ୟ ବିଶ୍ବ ସ୍ତରୀୟ କୃତ୍ରିମ ଟର୍ଫ, ଫ୍ଲଡ୍ ଲାଇଟ୍, ଉଚ୍ଚମାନର ଯନ୍ତ୍ରପା‌ତି, ଭିଡିଓ ସମୀକ୍ଷା ପାଇଁ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ସୁବିଧା ରହିଛି। ୧୫ ବର୍ଷରୁ କମ୍ ବର୍ଗ ପାଇଁ ପ୍ରାର୍ଥୀଙ୍କ ବୟସ ୨୦୦୪ ନଭେମ୍ବର ୧ କିମ୍ବା ତା’ ପରେ ହେବାର ବାଞ୍ଛନୀୟ। ସେହିଭଳି ୧୭ ବର୍ଷରୁ କମ୍ ବର୍ଗର ପ୍ରାର୍ଥୀଙ୍କ ଜନ୍ମ ୨୦୦୩ ନଭେମ୍ବର ପହିଲା କିମ୍ବା ତା’ ପରେ ହେବା ଦରକାର। ଆଗ୍ରହୀ ପ୍ରାର୍ଥୀମାନେ ନିଜ ନିଜର ପରିଚୟ ପତ୍ର, ବୟସ ପ୍ରମାଣପତ୍ର ଓ ଦୁଇଟି ପର୍ସପୋର୍ଟ ସାଇଜ୍ ଫଟୋ ଆଣିବା ଆବଶ୍ୟକ। ପ୍ରାର୍ଥୀମାନେ ବୁଧବାର ସୁଦ୍ଧା ଜାମେସେଦପୁରରେ ପହଞ୍ଚିବା ଦରକାର।

ସମ୍ବନ୍ଧିତ ଖବର