ବିଶ୍ବକପ୍‌ ବିଜୟ ଖୁସିରେ ୪୦ ଓମ୍‌ଲେଟ୍ ମଗାଇଥିଲେ ନେହରା

୨୦୧୧ ବିଶ୍ବକପ୍ ବିଜୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରାଙ୍କ ପାଇଁ ଯୁଗଳ ଖୁସି ନେଇ ଆସିଥିଲା। ଏପ୍ରିଲ ୨ ତାରିଖ ତାଙ୍କର ବିବାହ ବାର୍ଷିକୀ ହୋଇଥିଲା ବେଳେ ସେହି ତାରିଖରେ ହିଁ ଭାରତ ଦ୍ବିତୀୟବାର ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ହେଲେ ଆଙ୍ଗୁଠି ହାଡ଼ ଭାଙ୍ଗିଯିବା ପରେ ନେହରା ବ୍ୟକ୍ତିଗତ ଭାବେ ଫାଇନାଲ ଖେଳିଥିବା ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ। କିନ୍ତୁ ଏଥିନେଇ ତାଙ୍କର କୌଣସି ଅବସୋସ ନାହିଁ। ଦଳ ବିଶ୍ବକପ୍ ଜିତିବା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ କଥା ଥିଲା ବୋଲି ସଂପ୍ରତି ଗୋଆରେ ରହୁଥିବା ନେହରା ସେଦିନର ମାହୋଲକୁ ମନେ ପକାଇ କହିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲ-୨ ତାରିଖକୁ ମୁଁ ଚାହିଁ‌ଲେ ମଧ୍ୟ ମୋ ପତ୍ନୀ ରୁଷ୍ମା ଏହାକୁ ଭୁଲିବାକୁ ଦିଏନି। କାରଣ ଆମେ ଦୁଇ ଜଣ ଏହି ଦିନ ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୁ। ମୋ ବାହାଘରକୁ ୧୧ ବର୍ଷ ଓ ବିଶ୍ବକପ ବିଜୟକୁ ୯ ବର୍ଷ ହେଲାଣି। ୧୧ ଓ ୯ ମିଶି କୋଡ଼ିଏ ଓ ଆମେ ଏବେ ୨୦୨୦ରେ ଅଛେ। ପାକିସ୍ତାନ ବିପକ୍ଷ ‌ ସେମିଫାଇନାଲରେ ମୁଁ ବହୁତ ଭଲ କରିଥିଲି। ହେଲେ ଦୁର୍ଭାଗ୍ୟଜନକ ଭାବେ ସେହି ମ୍ୟାଚ୍‌ରେ ଆହତ ହୋଇଥିବାରୁ ଫାଇନାଲ୍ ଖେଳି ପାରି ନଥିଲି। ହେଲେ ଏପ୍ରିଲ ୨ , ୨୦୧୧ ମୋ ଜୀବନର ସବୁଠାରୁ ବଡ଼ ଖୁସିର ଦିନ ଥିଲା ବୋଲି କହିବି। ମୋର ଠିକ୍ ମନେ ଅଛି, ସେଦିନ ମୋ ହୋଟେଲ ରୁମ୍‌ରେ ଭଜି (ହରଭଜନ ସିଂହ), ଜ୍ୟାକ୍ (ଜାହିର ଖାନ୍), ମୁନା (ମୁନାଫ ପଟେଲ) ଓ ଆଇସିସିର ତତ୍‌କାଳୀନ ଅଧିକାରୀ ଧୀରଜ ମାଲହୋତ୍ରା ଥିଲେ। ରାତି ସାରା ଆମେ ପାର୍ଟି କରିବା ପରେ ସକାଳର ଜଳଖିଆ ପାଇଁ ମୁଁ ୪୦ ଓମ୍‌ଲେଟ୍ ଅର୍ଡର ଦେଇଥିଲି। ଭାରତର ଏହି ବିଜୟ ଦଳଗତ ବିଜୟ ଥିଲା। ସମସ୍ତେ ନିଜ ନିଜ କ୍ଷମତା ମୁତାବକ ଯୋଗଦାନ ଦେଇଥିଲେ। ଫାଇନାଲରେ ଗମ୍ଭୀର ଖେଳିଥିବା ୯୭ ରନ୍‌ର ପାଳିକୁ ମଧ୍ୟ ଭୁଲିବା କଥା ନୁହେଁ। ସଚିନଙ୍କ ବ୍ୟାଟିଂ ଓ ଜାହିରଙ୍କ ବୋଲିଂ ଅବଦାନ ମଧ୍ୟ ଅତୁଳନୀୟ ଥିଲା।

ସମ୍ବନ୍ଧିତ ଖବର