ନେପାଳ ଅଟକିଲା, ଓ’ଙ୍କ ଯୁଗଳରେ ମିଆଁମାର ବିଜେତା

ଭୁବନେଶ୍ବର: ଅଗ୍ରଭାଗ ଖେଳାଳି ୟି ୟି ଓ’ଙ୍କ ଯୁଗଳ ଗୋଲ୍‌ରେ ମିଆଁମାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଗୋଲ୍‌ଡ କପ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଚତୁଃରା‌ଷ୍ଟ୍ରୀୟ ଏହି ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ୍‌ରେ ମିଆଁମାର ୩-୧ ଗୋଲ୍‌ରେ ନେପାଳକୁ ପରାସ୍ତ କରି ଅପରାଜେୟ ରହିଥିଲା। ବିଜେତା ଟ୍ରଫି ସହ ମିଆଁମାର ୭ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରାଶି ମଧ୍ୟ କରାୟତ କରିଥିଲା। ଦୁଇ ଉଚ୍ଚମାନ୍ୟତା ଦଳକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିବା ନେପାଳ ଉପବିଜେତାରେ ସନ୍ତୁଷ୍ଟ ରହି ୫ ଲକ୍ଷ ଟଙ୍କାର ପୁରସ୍କାର ପାଇଥିଲା। ଶୁକ୍ରବାର ଫାଇନାଲ୍‌ରେ ନିଜଠୁ ଉଚ୍ଚମାନ୍ୟତା ଦଳ ବିପକ୍ଷରେ ଖେଳୁଥିଲେ ମଧ୍ୟ ପୁରା ଆତ୍ମବିଶ୍ବାସ ସହ ପଡ଼ିଆକୁ ଓହ୍ଲାଇଥିଲା ନେପାଳ। କିନ୍ତୁ ୧୭ ମିନିଟ୍‌ରେ ମିଆଁମାରକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଖିନ୍‌ ମୋଏ ୱାଇଙ୍କ ସୁନ୍ଦର ପାସ୍‌କୁ ଖାଇଙ୍ଗ ଥାଜିନ୍‌ ଗୋଲ୍‌ ଦେବା‌ରେ ବିଫଳ ହୋଇଥିଲେ। ହେଲେ ୩୪ତମ ମିନିଟ୍‌ରେ ୟି ୟି ଓ’ଙ୍କ ଗୋଲ୍‌ରେ ମିଆଁମାର ଆଗୁଆ ହୋଇଯାଇଥିଲା। ହେଲେ ପ୍ରଥମାର୍ଧର ଶେଷ ମିନିଟ୍‌ରେ ନେପାଳ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲା। ମଧ୍ୟଭାଗ‌ ଖେଳାଳି ମଞ୍ଜଳି କୁମାରୀ ୟୋନଜାନ (୪୫ ମିନିଟ୍‌)ଙ୍କ ଗୋଲ୍‌ରେ ସ୍ଥିତି ୧-୧ ଆଣି ମିଆଁମାର ଉପରେ ଚାପ ପକାଇଥିଲା। ଦ୍ବିତୀୟାର୍ଧରେ ୱିନ୍‌ ଥେଙ୍ଗି ତୁନ୍‌ (୫୩ ମିନିଟ୍‌)ଙ୍କ ଗୋଲ୍‌ରେ ମିଆଁମାର ପୁଣି ଆଗୁଆ ହୋଇଯାଇଥିଲା। ୬୨ତମ ମିନିଟ୍‌ରେ ୟି ୟି ଓ’ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ଦେବା ସହ ଦଳକୁ ୩-୧ରେ ଆଗୁଆ କରିଥିଲେ। ଏହାପରେ ‌ନେପାଳ ବହୁ ଚେଷ୍ଟା କରି ମଧ୍ୟ ଗୋଲ୍‌ ଦେଇପାରିନଥିଲା।

ଆରମ୍ଭରୁ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ବୈଷୟିକ ଅଧିକାରୀ ଅଭିଷେକ ଯାଦବ ଅତିଥି ଭାବେ ଯୋ‌ଗଦେଇ ଉଭୟ ଦଳର ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଉନ୍ନୟନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଳ ଦେବ, ଏଆଇଏଫ୍‌ଏଫ୍‌ର ମହାସଚିବ କୁଶାଲ ଦାସ ଏବଂ ବୈଷୟିକ ଅଧିକାରୀ ଅଭିଷେକ ଯାଦବ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ବିଜେତା ମିଆଁମାର ମଧ୍ୟ ଶୃଙ୍ଖଳିତ ଦଳ ପୁରସ୍କାର ବାବଦରେ ୩ ଲକ୍ଷ ଟଙ୍କା ପାଇଥିଲା। ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍‌ ପୁରସ୍କାର ଯୁଗ୍ମ ଭାବେ ମିଆଁମାରର ୟି ୟି ଓ’ ଏବଂ ନେପାଳର ସବିତ୍ରା ଭଣ୍ଡାରି (୪ ଲେଖାଏଁ)ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା। ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲ୍‌ ରକ୍ଷିକା ପୁରସ୍କାର ମିଆଁମାରର ଜାର ଜାର ମିଣ୍ଟ୍‌ ଏବଂ ମୂଲ୍ୟବାନ ଖେଳାଳି ପୁରସ୍କାର ୱିନ୍‌ ଥିଙ୍ଗି ତୁନ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୧.୫ ଲକ୍ଷ ଟଙ୍କା ମିଳିଥିଲା।

ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ଜମ୍ମୁ କଶ୍ମୀରର ପୁଲୱାମାଠ‌ାରେ ଆତଙ୍କବାଦୀ ଅକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ କଳିଙ୍ଗ ଷ୍ଟାଡିୟମଠାରେ ଫାଇନାଲ୍‌ ମ୍ୟାଚ୍‌ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ନେପାଳ-ମିଆଁମାର ମୁକାବିଲା ଆରମ୍ଭ ଓ ‌ଶେଷରେ ଉଭୟ ଦଳର ଖେଳାଳିମାନଙ୍କ ସହ ଅତିଥି ଏବଂ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକମାନେ ଅମର ସହିଦଙ୍କ ପାଇଁ ନିରବ ପାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର