ନୂଆ ରୂପରେ ରୂପୀନ୍ଦର

ନୂଆଦିଲ୍ଲୀ,: ଆହତ ସମସ୍ୟାରୁ ଫେରିଥିବା ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡ୍ରାଗ୍‌ ଫ୍ଲିକର୍‌ ରୂପୀନ୍ଦର ପାଲ୍‌ ସିଂହଙ୍କ ଆତ୍ମବିଶ୍ୱାସ ଏବେ ଆକାଶଛୁଆଁ। ଏହି ଆତ୍ମବିଶ୍ୱାସକୁ ସେ ଆସନ୍ତା ମାସର ଜାକର୍ତା ଏସୀୟ କୀଡ଼ାରେ ଉପଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି। ଆହତ କାରଣରୁ ସେ ଗତ ଏଫ୍‌ଆଇଏଚ୍‌ ଚାମ୍ପିଅନ୍‌ସ ଟ୍ରଫିରେ ଖେଳିପାରିନଥିଲେ। ଭାରତ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା। କିନ୍ତୁ ବାଙ୍ଗାଲୋର୍‌ ସାଇ କେନ୍ଦ୍ରରେ ନିଜକୁ ପ୍ରସ୍ତୁତ କରିଥିଲେ। ଏହା ପରେ ବାଂଲାଦେଶ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳାଯାଇଥିବା ଘରୋଇ ଟେଷ୍ଟ୍‍ ଶୃଙ୍ଖଳାରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ୩ ଶୃଙ୍ଖଳାରେ ରୂପୀନ୍ଦର ମୋଟ ୧୫ ପେନାଲ୍‌ଟି କର୍ନର ଗୋଲ୍‌ ଦେବା ସବୁଠୁ ପ୍ରଶଂସନୀୟ। ବାଂଲାଦେଶ ବିପକ୍ଷରେ ୧୦, ଦକ୍ଷିଣ କୋରିଆ ବିପକ୍ଷରେ ଗୋଟିଏ ଏବଂ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୪ ଗୋଲ୍‌ ଦେଇଥିଲେ। ଏହି ଗସ୍ତ ଆମ ପାଇଁ ଛଦ୍ମବେଶୀ ଆଶୀର୍ବାଦ ଭଳି ଥିଲା। ଆମେ ବିଭିନ୍ନ ବିକଳ୍ପର ପରୀକ୍ଷା କରିଥିଲୁ ଏବଂ ପେନାଲଟି କର୍ନରରେ କିଛି ନୂଆ କୌଶଳ ଆପଣାଇଥିଲୁ ବୋଲି ରୂପୀନ୍ଦର କହିଛନ୍ତି। ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସୀ। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଜିତିଥିବା ନ୍ୟୁଜିଲାଣ୍ଡ୍‌ ଭଳି ଉଚ୍ଚମାନର ଦଳ ବିପକ୍ଷରେ ଶୃଙ୍ଖଳା ଜିତିବା ଗୁରୁତ୍ୱପୂର୍ଣ୍ଣ। ଏହା ମୋତେ ଲୟକୁ ଫେରିବାକୁ ସହାୟକ ହୋଇଛି। ମୁଁ ଚାମ୍ପିଅନ୍‌ସ ଟ୍ରଫିରୁ ବଞ୍ଚିତ ହୋଇଥିଲି। ଜଣେ ଖେଳାଳି ପାଇଁ ଟିଭିରେ ନିଜ ଦଳର ଖେଳ ଦେଖିବା ବଡ଼ କଷ୍ଟଦାୟକ ଥିଲା ବୋଲି କହିଥିଲେ ରୂପୀନ୍ଦର।

ସମ୍ବନ୍ଧିତ ଖବର