ନୂଆ ଜୀବନ ପାଇଛି: ମଞ୍ଜୁଲତା

ଭୁବନେଶ୍ୱର: ପୁରୀର ଝିଅ ମଞ୍ଜୁଲତା ଦାସ, ବୟସ ୫୭। ରାଜ୍ୟ କ୍ରୀଡ଼ା ଦୁନିଆର ବିରଳ ବ୍ୟକ୍ତିତ୍ୱ। ତା ପୁଣି ଅଲିମ୍ପିକ୍‌ କ୍ରୀଡ଼ା ଜୁଡ଼ୋରୁ। ତଥାପି ଅବହେଳିତ ଏହି ଅବିବାହିତ ତାରକା। ଆର୍ଥିକ ଅନଟନ ଏବଂ ପ୍ରୋତ୍ସାହନର ଅଭାବ କାରଣରୁ ଦୃଷ୍ଟିର ଅଢ଼ୁଆଳରେ ରହି ଆସିଛନ୍ତି ଏହି ମହିୟସୀ ଜୁଡ଼ୋକା। ଏ ପିଢ଼ିର ଜୁଡ଼ୋକାମାନଙ୍କୁ ବିଶ୍ୱାସ ଲାଗେନି ଓଡ଼ିଶାର ବିରଳ କୀର୍ତିମାନ ରହିଛି ତାଙ୍କ ନାମରେ। ପ୍ରଥମ ତଥା ଏକମାତ୍ର ମହିଳା ଜୁଡ଼ୋକା ଭାବେ ଜାତୀୟ ବରିଷ୍ଠ ଜୁଡ଼ୋ ପ୍ରତିଯୋଗିତାରେ ଜିତିଥିଲେ ପଦକ। କବାଡ଼ି ଖେଳୁ ଖେଳୁ ଜୁଡ଼ୋକୁ ଆସିଥିଲେ। ଅପୂର୍ବ ସଫଳତା ସତ୍ୱେ ଅଲୋଡ଼ା ରହିଯାଇଛନ୍ତି ତିନି ଦଶନ୍ଧି ଧରି। ଏହା କେବଳ ଓଡ଼ିଶାରେ ଘଟେ ବୋଲି ଧାରଣା ରହିଛି ଅନେକ ଦିନରୁ।
ପୁରୀର ଗୋପାଳଚନ୍ଦ୍ର ଦାସ ଏବଂ ରାଣୀବାଳା ଦାସଙ୍କ ୭ ପିଲାଙ୍କ ମଧ୍ୟରୁ ମଞ୍ଜୁଲତା ଏକମାତ୍ର କ୍ରୀଡ଼ାବିତ୍‌। ସ୍ୱର୍ଗତ ଡ୍ରାଇଭର ପିତାଙ୍କ ଅନଟନ ପରିବାରରେ ବଢ଼ି ରାଜ୍ୟ ପାଇଁ ବିରଳ କ୍ରୀଡ଼ା ଗୌରବ ଆଣିଥିଲେ ବି ପ୍ରତିବଦଳରେ କିଛି ପାଇନଥିଲେ। ମୁଁ ଲାଜରେ ବି କିଛି ମାଗିପାରେନି। ସାତ ଭାଇ ଭଉଣୀ ମଧ୍ୟରେ ଥିବାରୁ ମୁଁ ଆର୍ଥିକ ଅନଟନ କାରଣରୁ ହତାଶ ହୋଇପଡ଼ିଥିଲି। ଜାତୀୟ ଜୁଡ଼ୋ ପଦକ ଜିତିବା ସତ୍ତ୍ୱେ ସାମାନ୍ୟ ଧନ୍ୟବାଦ ଟିଏ ବି ପାଇନଥିଲି। ପ୍ରୋତ୍ସାହନ କି ପୁରସ୍କାର ପାଇଁ ମନ ବଳି ନଥିଲା। କିନ୍ତୁ ମନ ଭିତରେ ଅସନ୍ତୋଷ ଜମାଟ ବାନ୍ଧିଥିଲା, କେବଳ ଏହି କାରଣରୁ ଖେଳଠାରୁ ଦୂରେଇଯାଇଥିଲି। ବଡ଼ ବିତୃଷ୍ଣା ଆସିଯାଇଥିଲା। ଏକ ଏନ୍‌ଜିଓରେ କାମ କରିବା ସହିତ କ୍ରୀଡ଼ା ପେନ୍‌ସନ୍‌ରେ ନିଜକୁ ନିଜେ ବଞ୍ଚିବା ଶିଖିଯାଇଥିଲି। ଅଭାବ କାରଣରୁ ବି ବୈବାହିକ ଜୀବନକୁ ଗୁରୁତ୍ୱ ଦେଇନଥିଲି। ଏବେ ସ୍ପୋର୍ଟସଲଗ୍‌ଅନ୍‌ ଖୋଜି ବାହାର କରିବା ଏବଂ ପୁରସ୍କାର ପ୍ରଦାନ କରିବା ମୋତେ ନୂଆ ଜୀବନ ଭଳି ଲାଗୁଛି। ମୋ ଭିତରେ ନୂଆ ଶକ୍ତି ଭରି ଯାଇଛି। ଏବେ ପୁଣି ମ୍ୟାଟ୍‌କୁ ଓହ୍ଲାଇ ଲଢ଼ିବାକୁ ଇଚ୍ଛା ହେଉଛି ବୋଲି ‘ସମ୍ବାଦ’ ସହିତ କଥା ହେବା ବେଳେ କୋହଭରା ସ୍ୱରରେ କହିଥିଲେ ୫୭ ବର୍ଷୀୟା ମଞ୍ଜୁଲତା।
ବିଦ୍ୟାଳୟରେ ପଢ଼ୁଥିବାବେଳେ ମୋ ପ୍ରତିଭାକୁ ଦେଖି ପୁରୀ ଝାଡ଼େଶ୍ୱରୀ କ୍ଲବ୍‌ ସଭାପତି ଡାକି ଜୁଡ଼ୋ ଶିଖିବାକୁ କହିଥିଲେ। କୃଷ୍ଣଚନ୍ଦ୍ର ପଣ୍ଡା ମୋ ମାର୍ଗଦର୍ଶକ ଥିଲେ। ସେତେବେଳେ ଝିଅମାନଙ୍କୁ ଖେଳିବାକୁ କେହି ଛାଡ଼ୁନଥିଲେ। ମୁଁ କିନ୍ତୁ ଘରୁ ବାହାରି ଆସିଥିଲି। ୧୯୮୯ ମସିହା ଇନ୍ଦୋର ଜାତୀୟ ପ୍ରତିଯୋଗିତାରେ ୬୧ କିଲୋଗ୍ରାମ ଓଜନ୍‌ ବର୍ଗରେ କାଂସ୍ୟ ପଦକ ଜିତିଥିଲି। ଏହା ମୋ ନାମରେ ଏକ କୀର୍ତିମାନ ବୋଲି ଧାରଣା ନାହିଁ। କିନ୍ତୁ ପରବର୍ତୀ ଜୀବନରେ ପଦକ ଓ ପ୍ରମାଣପତ୍ରକୁ ଫିଙ୍ଗି ଦେଇଥିଲି। ଏ ପୁରସ୍କାର କିନ୍ତୁ ମୋତେ ଆନନ୍ଦିତ କରିଛି। ଖୁସୀର ସୀମା ନାହିଁ। ଏହା ମୋ ଭିତରେ ନୂଆ ଉତ୍ସାହ ଭରି ଯାଇଛି।

ଦୁଇ ମହିଳା ପ୍ରଶିକ୍ଷକ ସଂହିତା ଦାସ (କବାଡ଼ି) ଓ ସବିତା ନନ୍ଦ (ଜୁଡ଼ୋ) ମୋ ଭିତରେ ନୂଆ ଭରସା ଭରି ଦେଇଛନ୍ତି। ଖେଳ ଓ ପଦକର ମୂଲ୍ୟକୁ ଏମାନେ ମୋତେ ବୁଝିବାର ଅବକାଶ ଦେଇଛନ୍ତି। ଭଗବାନଙ୍କ କରୁଣାରୁ ଏହା ସମ୍ଭବ ହୋଇଛି। ପଦକ ଜିତିବାବେଳେ ମୋତେ କେହି ପ୍ରୋତ୍ସାହିତ କରିଥିଲେ ମୁଁ ଆଗକୁ ମାଡ଼ି ଯାଇଥାନ୍ତି, ଯାହା ହୋଇନଥିବାରୁ ମନ ଭିତରେ ଅବସୋସ ରହିଗଲା। କିନ୍ତୁ ପୁରସ୍କାର ପାଇବା ପରେ ମୁଁ ବଡ଼ ଉତ୍ସାହରେ ଜୁଡ଼ୋ ସହ ଜଡ଼ିତ ରହିବାକୁ ଆଗ୍ରହୀ ହୋଇପଡ଼ିଛି। ପୁରୀରେ ଭିତ୍ତିଭୂମିର ଅଭାବ ରହିଛି। ଏହା ମିଳିଲେ ନିଶ୍ଚିତ ଚେଷ୍ଟା କରିବି। ମୋତେ କିନ୍ତୁ ନିରାଶ ଭିତରେ ଆଶା ଦେଇଥିବା ସ୍ପୋର୍ଟସଲଗ୍‌ଅନ, ସଂହିତା ଦାସ, ସବିତା ନନ୍ଦଙ୍କ ସହ ଭାଗ୍ୟ ଓ ଭଗବାନଙ୍କୁ ଧନ୍ୟବାଦ ଜଣାଇବି। ବର୍ତମାନ ରାଜ୍ୟ ଜୁଡ଼ୋରେ ରାଜନୀତି ଅଧିକ ଥିବାରୁ ମୁଁ ଏ ସମ୍ପର୍କରେ ଅଧିକ କିଛି କହିବି ନାହିଁ ବୋଲି ପ୍ରକାଶ କରିଥିଲେ ମଞ୍ଜୁଲତା।

ସମ୍ବନ୍ଧିତ ଖବର