ଡୁନେଡିନ: କ୍ରିକେଟ୍ର ନୀତି ନିୟମ ସହ ଖେଳିବା ପରିବେଶରେ ଅନେକ ପରିବର୍ତନ ହେଲାଣି। ହେଲେ ବିଦେଶ ମାଟିରେ ଏସୀୟ ଦଳଙ୍କ ଦୁର୍ବଳ ପ୍ରଦର୍ଶନ ବଦଳିବାର ନାଁ ଧରୁନି। ଦକ୍ଷିଣ ଆଫ୍ରିକାରେ ଭାରତ ସଂଘର୍ଷ କରୁଛି। ସେପଟେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ନାକ ନ୍ୟୁଜିଲାଣ୍ଡରେ କଟିଛି। ଲଗାତାର ତୃତୀୟ ପରାଜୟ ସହ ପାକିସ୍ତାନ ନ୍ୟୁଜିଲାଣ୍ଡରେ ଖେଳୁଥିବା ଦିନିକିଆ ଶୃଙ୍ଖଳାକୁ ୦-୩ରେ ହାରିଛି। ପ୍ରଥମ ଦୁଇ ଦିନିକିଆରେ କିଛିଟା ଲଢ଼େଇ କରିଥିବା ପାକିସ୍ତାନ ଶନିବାରର ତୃତୀୟ ଦିନିକିଆରେ ସେତିକି ବି କରିନି। ନ୍ୟୁଜିଲାଣ୍ଡ ୨୫୮ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ମାତ୍ର ୭୪ ରନ୍ରେ ଅଲଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ଏହି ପୂର୍ବତନ ବିଶ୍ୱବିଜେତା ଦଳ ଏକଦା ୩୨ ରନ୍ରେ ୮ ଓ୍ଵିକେଟ୍ ହରାଇ ଦିନିକିଆରେ ସର୍ବନିମ୍ନ ଦଳଗତ ସ୍କୋର କରିବା ଦ୍ୱାରରେ ଥିଲା। ତେବେ ଶେଷ ଦୁଇ ବ୍ୟାଟ୍ସମ୍ୟାନ ମହମ୍ମଦ ଆମିର (୧୪) ଓ ରୁମନ ରଇଜ୍ (୧୬)ଙ୍କ ସାହସିକ ବ୍ୟାଟିଂ ପାଇଁ ସେଥିରୁ ବର୍ତି ଯାଇଥିଲା। ସେପଟେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ( ୭.୨-୧-୧୭-୫) ପାଞ୍ଚ ଓ୍ଵିକେଟ୍ ସଫଳତା ସହ ନ୍ୟୁଜିଲାଣ୍ଡକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ। ଫଳରେ ପାଞ୍ଚ ଟିକିଆ ଶୃଙ୍ଖଳାର ଦୁଇଟି ମ୍ୟାଚ୍ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ ଶୃଙ୍ଖଳା ବିଜୟର ମିଠା ସ୍ୱାଦ ଚାଖିଛି। ଆଜିର ୧୮୩ ରନ୍ର ବିଜୟ ମଧ୍ୟ ନ୍ୟୁଜିଲାଣ୍ଡର ଅନ୍ୟତମ ବୃହତ୍ ଦିନିକିଆ ବିଜୟ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବୋଲ୍ଟ ନିଜ ବୋଲିଂର ପ୍ରାରମ୍ଭିକ ଚରଣରେ ହିଁ ପାକିସ୍ତାନ ବ୍ୟାଟିଂକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ। କିଓ୍ଵି ବୋଲରଙ୍କ ଆକ୍ରମଣରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଏମିତି ଭୟଭିତ ହୋଇ ଯାଇଥିଲେ ଯେ ପ୍ରଥମ ପାଓ୍ଵାର ପ୍ଲେରେ ମାତ୍ର ୯ ରନ୍ କରି ୩ ଓ୍ଵିକେଟ୍ ହରାଇଥିଲେ। ପରବର୍ତୀ ୨୩ ରନ୍ କରିବାକୁ ମଧ୍ୟ ପାକିସ୍ତାନକୁ ଆଉ ପାଞ୍ଚଟି ଓ୍ଵିକେଟ୍ ହରାଇବାକୁ ପଡ଼ିଥିଲା। ଫଳରେ ପାକିସ୍ତାନ ଦିନିକିଆର ସର୍ବନିମ୍ନ ଦଳଗତ ସ୍କୋର (୩୫) ତଳେ ଅଲଆଉଟ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏମିତି ଲଜ୍ଜାରୁ ଅବଶ୍ୟ ଏହି ଦଳ ଅଳ୍ପକେ ବର୍ତି ଯାଇଥିଲା। ବୋଲ୍ଟଙ୍କୁ ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପାକିସ୍ତାନର ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ସେଥିପାଇଁ ଭ୍ରମଣକାରୀ ଦଳ ୨୭.୨ ଓଭରରେ ମାତ୍ର ୭୪ ରନ୍ରେ ସୀମିତ ହୋଇ ଯାଇଥିଲା। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ଵିଲିୟମସନ୍ (୭୩) ଏବଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର (୫୨)ଙ୍କ ଅର୍ଧଶତକ ସହାୟତାରେ ନିର୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୫୭ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ରୁମନ ରଇଜ୍ ଏବଂ ହାସନ ଅଲ୍ଲୀ ତିନିଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୫୭ (କେନ୍ ଓ୍ଵିଲିୟମସନ୍ ୭୩, ରସ୍ ଟେଲର ୫୨, ଟମ୍ ଲାଥାମ ୩୫, ରୁମନ ରଇସ୍ ୩/୫୧)।ହାସନ ଅଲ୍ଲୀ ୩/୫୯। ପାକିସ୍ତାନ ୨୭.୨ ଓଭରରେ ୭୪ (ରୁମନ ରଇଜ୍ ୧୬, ମହମ୍ମଦ ଆମିର ୧୪, ସର୍ଫରାଜ ଅହମ୍ମଦ ୧୪, ଫହିମ ଅସ୍ରଫ ୧୦, ଟ୍ରେଣ୍ଟ ବୋଲ୍ଟ ୫/୧୭, କଲିନ ମୁନ୍ରୋ ୨/୭, ଲୁକି ଫର୍ଗୁସନ୍ ୨/୨୮)।