ଚତୁର୍ଥ ଦିନିକିଆ ଆଜି

ନ୍ୟୁଜିଲାଣ୍ଡରେ ସର୍ବବୃହତ୍ ଶୃଙ୍ଖଳା ବିଜୟ ସୁଯୋଗ, କୋହଲିଙ୍କ ବିନା‌ ପଡ଼ିଆକୁ ଓହ୍ଲାଇବ ଭାରତ, ପଦାର୍ପଣ ଅପେକ୍ଷାରେ ଶୁବମନ

ହାମିଲଟନ୍ : ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୦ରେ ଆଗୁଆ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ହାମିଲଟନ୍‌ରେ ନୂଆ ଇତିହାସ ରଚିବାର ସୁଯୋଗ ରହିଛି। ଗୁରୁବାର ଏଠାରେ ଖେଳାଯିବାକୁ ଥିବା ଚତୁର୍ଥ ଦିନିକିଆକୁ ଜିତିଲେ ନ୍ୟୁଜିଲାଣ୍ଡ ମାଟିରେ ଭାରତ ସର୍ବବୃହତ୍ ଶୃଙ୍ଖଳା ବିଜୟ ହାସଲ କରିବ। ପୂର୍ବରୁ ଶୃଙ୍ଖଳାକୁ କବ୍‌ଜା କରି ସାରିଥିବା ଭାରତ ତା’ ୫୨ ବର୍ଷର ନ୍ୟୁଜିଲାଣ୍ଡ ଗସ୍ତ ଇତିହାସରେ ପ୍ରଥମ ଥର ପାଇଁ ୪-୦ରେ ଆଗୁଆ ହେବ। ଅବଶ୍ୟ ଭାରତ ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ବିଶ୍ବକପ୍ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ କୋହଲି ଗୁରୁବାର ମୁକାବିଲା ସହ ୱେଲିଂଟନରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍ ଏବଂ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଦେଖିବାକୁ ମିଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁବମନ ଗିଲ୍ ଆସନ୍ତାକାଲି ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏଥିଲାଗି ତାଙ୍କୁ ଦୀନେଶ କାର୍ତିକଙ୍କ ସହ ମୁକାବିଲା କରିବାକୁ ପଡ଼ିବ। ମାଂସପେଶୀ ଯନ୍ତ୍ରଣା ପାଇଁ ମହେନ୍ଦ୍ର ସିଂହ ଧୋନି ମାଉଣ୍ଟ ମଙ୍ଗନୁଇରେ ତୃତୀୟ ଦିନିକିଆ ଖେଳି ନ ପାରିବାରୁ କାର୍ତିକ ୱିକେଟ୍ ରକ୍ଷକ ଭାବେ ଦଳରେ ସାମିଲ ହୋଇଥିଲେ। ସେ ମଧ୍ୟ ଅମ୍ବାତି ରାୟୁଡୁଙ୍କ ସହ ମିଶି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଧୋନିଙ୍କ ଫିଟନେସ୍ ବିଷୟରେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ କାର୍ତିକ ମଧ୍ୟ ପୁଣି ଥରେ ଏହି ଦାୟିତ୍ବରେ ରହିବାର ସମ୍ଭାବନା ଅଛି। ହେଲେ ଧୋନି ସୁସ୍ଥ ହୋଇ ଯାଇଥିଲେ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କୁ କାର୍ତିକ ଏବଂ ଶୁବମନଙ୍କ ଭିତରୁ ଜଣକୁ ବାଛିବାକୁ ପଡ଼ିବ। ସେପଟେ ଶୃଙ୍ଖଳାର ଶେଷ ଦୁଇ ମ୍ୟାଚ୍ ଜିତି ସମ୍ମାନ ରକ୍ଷାର ସାନ୍ତ୍ବନା ଲକ୍ଷ୍ୟରେ ଥିବା ଘରୋଇ ନ୍ୟୁଜିଲାଣ୍ଡ ନିଜ ଦଳରେ ଦୁଇଟି ପରିବର୍ତନ କରି ସାରିଛି। ଜେମ୍ସ ନିସାମ ଓ ଟଡ୍ ଆସଲେ ଅଲରାଉଣ୍ଡର ଡଗ୍ ବ୍ରାସୱେଲ ଓ ଈଶ୍ ସୋଢ଼ିଙ୍କ ସ୍ଥାନ ନେଇଛନ୍ତି। ପରିବେଶ ଓ ପରିସ୍ଥିତି ଅନୁସାରେ ଟିମ୍ ସାଉଦି ମଧ୍ୟ ଜଣେ ସ୍ପିନରଙ୍କ ସ୍ଥାନ ନେଇପାରନ୍ତି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଅମ୍ବା‌ତି ରାୟୁଡୁ, ଦୀନେଶ କାର୍ତିକ/ଶୁବମନ ଗିଲ୍‌, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟିଲ, କଲିନ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥମ, ହେନରି ନିକୋଲାସ, ଜେମ୍ସ ନିସାମ, ମିଚେଲ ସାଣ୍ଟନର, ଟଡ୍ ଆସଲେ, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ପିଚ୍‌ ଓ ପରିବେଶ: ହାମିଲଟନର ସେଡ୍‌ନ ପାର୍କରେ ଖେଳା ଯାଇଥିବା ଗତ ତିନିଟି ଦିନିକିଆରେ ୨୬୦ରୁ ୨୯୦ ମଧ୍ୟରେ ହୋଇଥିବା ସ୍କୋର୍‌କୁ ପିଛା କରିଥିବା ଦଳ ସହଜରେ ହାସଲ କରି ନେଇଛି। ଏହି ତିନିଟି ଯାକ ମୁକାବିଲାରେ ସ୍ପିନରମାନେ ଭଲ କରିଛନ୍ତି। ଗତ ୧୦ ଦିନିକିଆରେ ବର୍ଷା ପ୍ରଭାବିତ ମ୍ୟାଚ୍ ଛଡ଼ା ସେଡନ ପାର୍କଠାରେ ପାଳି ପିଛା ହାରାହାରି ୨୮୨ ରନ୍ ହୋଇଛି। ଏପରିକି ମିଚେଲ ସାଣ୍ଟନର ଏଠାରେ ଥରେ ବୋଲିଂ ଆରମ୍ଭ କରିଛନ୍ତି। ଗୁରୁବାର ଖେଳ ବର୍ଷା କିମ୍ବା ଖରାପ ପାଗ ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ପୂରା କମ୍ ରହିଛି।

ସମ୍ବନ୍ଧିତ ଖବର