ବୋଲ୍‌ଟଙ୍କ ହ୍ୟାଟ୍ରିକ୍‌:ପାକିସ୍ତାନକୁ ୪୭ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ୍‌

ଆବୁଧାବି: ଦ୍ରୁତ ‌ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟଙ୍କ ହ୍ୟାଟ୍ରିକ୍ (୩ ବଲରେ ୩ ୱିକେଟ୍‌) ବଳରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ଦଳ ମଙ୍ଗଳବାର ପ୍ରଥମ ଦିବାରାତ୍ର ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଦେଇଛି। ନିଜର ଦ୍ବିତୀୟ ଓଭରର ଦ୍ବିତୀୟ ବଲ୍‌ରେ ଫକର ଜମନ୍‌ (୧), ତୃତୀୟରେ ବାବର ଆଜମ୍‌ (୦) ଏବଂ ଚତୁର୍ଥରେ ମହମ୍ମଦ ହାଫିଜ୍‌ (୦)ଙ୍କୁ ପାଭିଲିୟନ୍‌ ପଠାଇ ଦେଇ ବୋଲ୍‌ଟ ହ୍ୟାଟ୍ରିକ୍ ଗୌରବ ହାସଲ କରିଥିଲେ। ଏହି ପାରମ୍ଭିକ ଝଟ୍‌କା ଯୋଗୁଁ ନ୍ୟୁଜିଲାଣ୍ଡ୍‌ଠୁ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ପାକିସ୍ତାନ ୨୧୯ ରନ୍‌ରେ ଅଟକିଗଲା। ୪୭ ରନ୍‌ରେ ହାରି ୦-୧ରେ ପଛୁଆ ରହିଲା। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ ତା’ର କ୍ରମାଗତ ଦ୍ବାଦଶ ଦିନିକିଆ ମ୍ୟାଚ୍‌ ଜିତିନେଲା।
ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ପ୍ରଥମେ ବ୍ୟାଟିଂ ନେଇଥିଲା। ପୁରୁଖା ରସ୍‌ ଟେଲର (୮୦) ଏବଂ ୱିକେଟ୍‌ରକ୍ଷକ ଟମ୍‌ ଲାଥାମ୍‌ (୬୮)ଙ୍କ ଅଧର୍ଶତକୀୟ ପାଳି ସାଙ୍ଗକୁ ଚତୁର୍ଥ ୱିକେଟ୍‌ରେ ୧୩୦ ରନ୍‌ର ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ୍‌ ୯ ୱିକେଟ୍‌ ବିନିମୟରେ କରିଥିଲା ୨୬୬ ରନ୍‌। ପାକିସ୍ତାନର ସଫଳ ବୋଲର ଭାବେ ସାହିନ୍‌ ଶାହା ଆଫ୍ରିଦି (୪/୪୬) ଓ ସାଦବ୍‌ ଖାନ୍‌ (୪/୩୮) ମୋଟ ୮୪ ରନ୍‌ ଦେଇ ୮ ୱିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ଟ୍ରେଣ୍ଟ୍‌ ବୋଲ୍‌ଟ (୩/୫୪), ଲୋକି ଫର୍ଗୁସନ୍‌ (୩/୩୬) ଓ କଲିନ୍‌ ଡି ଗ୍ରାଣ୍ଡ୍‌ହୋମ୍‌ (୨/୪୦)ଙ୍କ ବୋଲିଂ ନିକଟରେ ତିଷ୍ଠିନପାରି ପାକିସ୍ତାନ ୪୭.୨ ଓଭରରେ ୨୧୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଅଧିନାୟକ ସର୍ଫରାଜ ଅହମ୍ମଦ (୬୪) ଓ ଇମାଦ୍‌ ୱାସିମ୍‌ (୫୦)ଙ୍କ ଅର୍ଧଶତକ ବ୍ୟର୍ଥ ଯାଇଥିଲା। ବୋଲ୍‌ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର