ଭାରତରେ ଆଦୌ ଶୃଙ୍ଖଳା ଜିତିନି ନ୍ୟୁଜିଲାଣ୍ଡ୍‌

କୋହଲିଙ୍କୁ ବୋଲିଂ କଲେ ଅର୍ଜୁନ ତେନ୍ଦୁଲକର:ରବିବାରଠୁ ଦିନିକିଆ ଶୃଙ୍ଖଳା

ନୂଆଦିଲ୍ଲୀ: ଆଇସିସି ଦିନିକିଆ ମାନ୍ୟତାରେ ଭାରତ ଏବେ ଏବେ ଶୀର୍ଷରୁ ଖସିଛି। ଦକ୍ଷିଣ ଆଫ୍ରିକା ଏକ ନମ୍ବରକୁ ଉଠିଛି। କିନ୍ତୁ ରବିବାରଠାରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ଭାରତକୁ ପୁନଃ ଏକ ନମ୍ବର ସ୍ଥାନକୁ ଉଠିବା ସୁଯୋଗ ଦେବ।
ଭାରତ ଚଳିତ ୨୦୧୭ ମସିହାରେ ଖେଳିଥିବା ୨୨ ସମ୍ପୂର୍ଣ୍ଣ ମ୍ୟାଚ୍‌ରୁ ୧୭ ଜିତିଛି। ଏହି ଅବଧିରେ ଭାରତ ୩-୦ରେ ଇଂଲଣ୍ଡକୁ, ୩-୧ରେ େଓ୍ଵଷ୍ଟଇଣ୍ଡିଜ୍‌କୁ, ୫-୦ରେ ଶ୍ରୀଲଙ୍କାକୁ, ୪-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ଆଇସିସି ଚାମ୍ପିଅନ୍‌ସ ଟ୍ରଫିରେ ୩-୨ ସଫଳତା ପାଇଥିଲା। ଏହି ସମୟ ଭିତରେ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଦଳ ୧୩ଟି ସମ୍ପୂର୍ଣ୍ଣ ମ୍ୟାଚ୍‌ରୁ ୭ ଜିତିଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆକୁ ୨-୦ରେ ହରାଇଥିବାବେଳେ ଦକ୍ଷିଣ ଆଫ୍ରିକାଠାରୁ ୨-୩ରେ ହାରିଛି। ଆୟର୍ଲାଣ୍ଡ୍‌ ଏବଂ ବାଂଲଦେଶ ଭଳି ସ୍ୱଳ୍ପ ସାମର୍ଥ୍ୟ ଦଳଠାରୁ ଜିତିଥିଲେ ମଧ୍ୟ ଅନ୍ୟୁନ ଗୋଟିଏ ଲେଖାଏଁ ମ୍ୟାଚ୍‌ ହାରିଛି। ବାଂଲାଦେଶଠାରୁ ଆଉ ଏକ ପରାଜୟ ସହିତ ମଧ୍ୟ ଆଇସିସି ଚାମ୍ପିଅନ୍‌ସ ଟ୍ରଫିର ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲା।
ଭାରତରେ ଦିନିକିଆ ଦୃଷ୍ଟିକୋଣରୁ ଦେଖିଲେ ପରିସଂଖ୍ୟାନ ନ୍ୟୁଜିଲାଣ୍ଡ୍‌ ସପକ୍ଷରେ ନାହିଁ। କିନ୍ତୁ ବହୁଦଳୀୟ ପ୍ରତିଯୋଗିତା ଦେଖିଲେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ ଅପେକ୍ଷାକୃତ ଭଲ କରିଛି। ବିଶେଷ କରି ଭାରତୀୟ ମାଟିରେ ଏଭଳି ପ୍ରତିଯୋଗିତାରେ ଭ୍ରମଣକାରୀ ଦଳ ୧୮-୧୧ରେ ଆଗୁଆ ରହିଛି। ସବୁଠାରୁ ବଡ଼ ଦୁଃସ୍ୱପ୍ନ କିନ୍ତୁ ନ୍ୟୁଜିଲାଣ୍ଡ୍‌ ଦଳ କେବେ ବି ଭାରତ ମାଟିରେ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତି ନାହିଁ। ୧୯୮୮, ୧୯୯୫, ୧୯୯୯, ୨୦୧୦ ଏବଂ ୨୦୧୬ରେ ଭାରତ ମାଟିରେ ଖେଳାଯାଇଥିବା ୫ଟି ଯାକ ଘରୋଇ ଶୃଙ୍ଖଳାକୁ ଜିତିଛି ଭାରତ। ୧୯୮୮ରେ ଟେଷ୍ଟ୍‍ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଦିଲୀପ ଭେଙ୍ଗସରକାରଙ୍କ ଦିନିକିଆ ଦଳ ୪-୦ରେ ଜନ୍‌ ରାଇଟ୍‌ଙ୍କ ଦଳକୁ ପରାସ୍ତ କରିଥିଲା। ୧୯୯୫ରେ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ଦଳ ୩-୨ରେ ଜିତିଥିଲା। ମାର୍ଟିନ କ୍ରୋଙ୍କ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲେ ମଧ୍ୟ ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ୍‌କୁ ୧୨୬ ରନରେ ସୀମିତ ରଖି ଭାରତ ୧୦୮ ବଲ୍‌ ପୂର୍ବରୁ ୬ ଓ୍ଵିକେଟ୍‌ରେ ଜିତି ନେଇଥିଲା।
୪ ବର୍ଷ ପରେ ୧୯୯୯ରେ ସଚିନ ତେନ୍ଦୁଲକରଙ୍କ ଦଳ ମଧ୍ୟ ସମାନ ୩-୨ ବ୍ୟବଧାନରେ ଜିତିଥିଲା। ତେନ୍ଦୁଲକର (୧୮୬*) ଏବଂ ଦ୍ରାବିଡ଼ (୧୫୩)ଙ୍କ ମଧ୍ୟରେ ହୋଇଥିବା ବଶାଳ ଦ୍ୱିତୀୟ ଓ୍ଵିକେଟ୍‌ ଭାଗୀଦାରି (୩୩୧) ଭାରତକୁ ୩୭୬/୨ରେ ପହଞ୍ଚାଇଥିଲା। ଭାରତ ଶେଷକୁ ୧୭୪ ରନ୍‌ରେ ଜିତିଥିଲା। ଗତ ଗସ୍ତ ଭଳି ଶୃଙ୍ଖଳାର ଶେଷ ମ୍ୟାଚ୍‌ ପୂର୍ବରୁ ସ୍ଥିତି ୨-୨ରେ ରହିଥିଲା। ଶେଷ ମ୍ୟାଚ୍‌ରେ କିନ୍ତୁ ନ୍ୟୁଜିଲାଣ୍ଡ୍‌ ୧୭୯/୯ରେ ସୀମିତ ରହି ୭ ଓ୍ଵିକେଟ୍‌ରେ ହାରିଥିଲା।
୨୦୧୦ରେ କିଛି ନିୟମିତ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଗୌତମ ଗମ୍ଭୀରଙ୍କ ଦଳ ୫-୦ରେ ରସ୍‌ ଟେଲରଙ୍କ ବାହିନୀଙ୍କୁ ଧୂଳି ଚଟାଇଥିଲା। ଭ୍ରମଣକାରୀ ଦଳ କେବଳ ବାଙ୍ଗାଲୋର୍‌ରେ ଲଢ଼ିଥିଲା। ସେମାନେ ୩୧୫/୭ କରିବା ପରେ ଭାରତକୁ ୧୦୮/୪ରେ ସଂଘର୍ଷ କରାଇଥିଲେ। କିନ୍ତୁ ୟୁସୁଫ୍‌ ପଠାନ୍‌ (୧୨୩*, ୯୬ ବଲ୍‌) ଦଳକୁ ୫ ଓ୍ଵିକେଟ୍‌ରେ ରୋମାଞ୍ଚକ ବିଜୟ ଦେଇଥିଲେ। ଅନ୍ୟ ସମସ୍ତ ମ୍ୟାଚ୍‌ ଗୁଡ଼ିକ ୪୦ ରନ, ୮ ଓ୍ଵିକେଟ୍‌, ୯ ଓ୍ଵିକେଟ୍‌, ୮ ଓ୍ଵିକେଟ୍‌ ଆଦିରେ ଏକପାଖିଆ ରହିଥିଲା।
୨୦୧୬ରେ ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ୍‌ ୦-୩ରେ ଟେଷ୍ଟ୍‍ ଶୃଙ୍ଖଳା ହାରିବା ପରେ ବିଶ୍ରାମ ସହିତ ସତେଜ ମନରେ ଖେଳିଥିଲା ଦିନିକିଆ ଶୃଙ୍ଖଳା। ବିରାଟ କୋହଲି ଏବଂ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଦଳ ମଧ୍ୟରେ ଟକ୍କର ଦିଆନିଆ ହୋଇଥିଲା। ଲଗାତାର ତୃତୀୟ ଭାରତ ଗସ୍ତରେ ମଧ୍ୟ ବିଶାଖାପାଟଣାରେ ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ସ୍ଥିତି ୨-୨ରେ ରହିଥିଲା। ଅମିତ୍‌ ମିଶ୍ରା (୫/୧୮)ଙ୍କ ଆଗରେ ଆତ୍ମସମର୍ପଣ କରି ନ୍ୟୁଜିଲାଣ୍ଡ ପୁଣି ଥରେ ସମାନ ସ୍ଥିତିରେ ଶୃଙ୍ଖଳା ହାରିଥିଲା।
ବର୍ତମାନ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଦଳ ଆଇସିସି ମାନ୍ୟତାରେ ୫ ନମ୍ବର ସ୍ଥାନରେ ଥିବାବେଳେ ୨ ନମ୍ବର ଭାରତକୁ କେତେ ଟକ୍କର ଦେବ ଦେଖିବାର ଅଛି। ଅନ୍ୟଥା ବିରାଟ କୋହଲିଙ୍କ ବାହିନୀ ନ୍ୟୁଜିଲାଣ୍ଡ୍‌ ଉପରେ ଭାରତର ଷଷ୍ଠ ଘରୋଇ ଶୃଙ୍ଖଳା ବିଜୟର ମୋହର ଲଗାଇଦେବ।

ସମ୍ବନ୍ଧିତ ଖବର