ଗମ୍ଭୀରଙ୍କ ଇଚ୍ଛା, ଆର ଜନ୍ମରେ କ୍ରିକେଟର ହେଲେ ବୋଲିଂରେ ବି ପାଳି ଆରମ୍ଭ କରିବି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ନାୟକ ଗୌତମ ଗମ୍ଭୀର ମଙ୍ଗଳବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ତାଙ୍କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଜୋରସୋର ଚର୍ଚା। ବହୁ ପୁରୁଣା ସାଥୀ ଏବଂ ପୂର୍ବତନ କ୍ରିକେଟର ତାଙ୍କୁ ବିଦାୟୀ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ଗମ୍ଭୀର ଆଉ ଏକ ଭାବବିହ୍ବଳ ଟ୍ବିଟ୍ କରି ଆର ଜନ୍ମରେ ବି କ୍ରିକେଟର ହେବାକୁ ଇଚ୍ଛା ଜାହିର କରିଛନ୍ତି। ତେବେ ଏଥିଲାଗି ସେ ଗୋଟିଏ ସର୍ତ୍ତ ରଖିଛନ୍ତି। ତା’ ସହ ଏକ ପାଞ୍ଚ ୱିକେଟ୍ ସଫଳତା ହାସଲ କରିବାର କାମନା କରିଛନ୍ତି। ଗମ୍ଭୀର ଟ୍ବିଟ୍ କରିଛନ୍ତି ଯେ ଆର ଜନ୍ମରେ ବି କ୍ରିକେଟର ହେବାକୁ ଚାହେଁ, ହେଲେ ଗୋଟିଏ ସର୍ତ୍ତରେ, ମୁଁ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପାଳି ଆରମ୍ଭ କରିବି। ୩୭ ବର୍ଷୀୟ ଗମ୍ଭୀର ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ହେଲେ ଘରୋଇ କ୍ରିକେଟ୍‌ରେ ଭଲ କରିବା ସତ୍ତ୍ବେ ୨୦୧୬ରୁ ସେ ଆଉ ଜାତୀୟ ଦଳକୁ ଫେରି ନଥିଲେ। ମଙ୍ଗଳବାର ଟ୍ବିଟ୍ କରି ସେ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ମଙ୍ଗଳବାରଠାରୁ ଆରମ୍ଭ ହେଇଥିବା ଆନ୍ଧ୍ର ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ ତାଙ୍କ ଜୀବନର ଶେଷ କ୍ରିକେଟ୍ ମ୍ୟାଚ୍ ହେବ।

ଗମ୍ଭୀରଙ୍କ ପାଞ୍ଚ ଶ୍ରେଷ୍ଠ ପାଳି
୧୩୭ ରନ୍, ୪୩୭ ବଲ୍, ୬୪୨ ମିନିଟ୍
ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ, ନାପିଏର, ୨୦୦୯
ଫଳାଫଳ: ଭାରତ ମ୍ୟାଚ୍ ବଞ୍ଚାଇବା ସହ ୧-୦ରେ ଶୃଙ୍ଖଳା ଜିତିଥିଲା
୯୭ ରନ୍, ୧୨୨ ବଲ୍, ୯ ଚୌକା
୨୦୧୧ ବିଶ୍ବକପ୍ ଫାଇନାଲ୍, ମୁମ୍ବାଇ
ଫଳାଫଳ: ଭାରତ ୨୮ ବର୍ଷ ପରେ ବିଶ୍ବକପ୍ ଜିତିଲା
୭୫ ରନ୍, ୫୪ ବଲ୍, ୮ ଚୌକା, ୨ ଛକା
ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍, ୨୦୦୭
ଫଳାଫଳ: ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା
୬୪ ରନ୍, ୧୮୪ ବଲ୍, ୨୭୧ ମିନିଟ୍, ୯ ଚୌକା
ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ, ୨୦୧୧
ଫଳାଫଳ: ମ୍ୟାଚ୍ ଅମୀମାଂସିତ ରଖି, ଶୃଙ୍ଖଳା ଅମୀମାଂସିତ କଲା
୬୪ ରନ୍, ୩୯ ବଲ୍, ୯ ଚୌକା,୧ ଛକା
ଆରସିବି ବନାମ କେକେଆର, ୨୦୧୨, ବେଙ୍ଗାଲୁରୁ
ଫଳାଫଳ: ଆରସିବିକୁ ହରାଇ କେକେଆରର ଋତୁର ପ୍ରଥମ ବିଜୟ

ସମ୍ବନ୍ଧିତ ଖବର