ଜଗତପୁରରେ ପ୍ରଶିକ୍ଷଣ ଦେବେ ମମତା

ଏନ୍‌ଆଇଏସ୍‌ ପାସ୍‌ କରିବାରେ ପ୍ରଥମ ଓଡ଼ିଆ ରୋଇଂ ଝିଅ

କଟକ: ଆନ୍ତର୍ଜାତିକ ରୋଇଂ ଖେଳାଳି ମମତା ଜେନା ଏବେ ପ୍ରଶିକ୍ଷକ ପାଲଟିଛନ୍ତି। ଗତ ୭ ତାରିଖରେ ଏନ୍‌ଆଇଏସ୍‌ ପକ୍ଷରୁ କେରଳରେ ଶେଷ ହୋଇଥିବା ଡିପ୍ଲୋମାରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ଓଡ଼ିଶାରେ ପ୍ରଥମ ଓ ଏକମାତ୍ର ମହିଳା ରୋଇଂ ପ୍ରଶିକ୍ଷକ ହେବାର ଗୌରବ ଅର୍ଜନ କରିଛନ୍ତି। ଏନ୍‌ଆଇଏସ୍‌ରୁ ପାସ୍‌ କରିବା ପରେ ଏବେ ସେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ପ୍ରଶିକ୍ଷଣ ଦେବେ। ମମତାଙ୍କ ସହିତ ଆଉ ୩ଜଣ ଏଠାରେ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ମିଳିଛି। ଏଥି ପାଇଁ ଗୁରୁବାର ମମତା ଜଗତପୁରରେ ପହଞ୍ଚିବା ସହ ଶୁକ୍ରବାରଠୁ ପ୍ରଶିକ୍ଷଣ ଆରମ୍ଭ କରିବେ ବୋଲି କହିଛନ୍ତି। ୨୦୦୧ ମସିହାରୁ ରୋଇଂ ଆରମ୍ଭ କରିଥିବା ମମତା ୨୦୦୭ ପର୍ଯ୍ୟନ୍ତ ଓଡ଼ିଶା ଓ ଭାରତକୁ ପ୍ରତିନିଧିତ୍ୱ କରି ଏକାଧିକ ପଦକ ହାସଲ କରିଛନ୍ତି। ୨୦୦୫ରେ ହାଇଦ୍ରାବାଦରେ ଅନୁଷ୍ଠିତ ଏସୀୟ ରୋଇଂ ପ୍ରତିଯୋଗିତାରେ କକ୍ସଲେସ୍‌ ଫୋର୍‌ରେ ମମତା କାଂସ୍ୟ ପଦକ ଜିତିବା ସହ ପ୍ରଥମଥର ଆନ୍ତର୍ଜାତିକ ସଫଳତା ପାଇଥିଲେ। ଏହା ପରବର୍ଷ ଦୋହା ଏସୀୟ କ୍ରୀଡ଼ାରେ କକ୍ସଲେସ୍‌ ଫୋର୍‌ରେ ସେ ପଞ୍ଚମ ସ୍ଥାନରେ ରହିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୯ କାଂସ୍ୟ ପଦକ ଜିତିସାରିଛନ୍ତି। ଏସୀୟ ସଫଳତା ପାଇଁ ତାଙ୍କୁ ୨୦୧୬ ମସିହାରେ ଏକଲବ୍ୟ ପୁରସ୍କାର ମିଳିବା ସହ, ରାଜ୍ୟ ସରକାର, ଓଡ଼ିଶା ଅଲିମ୍ପିକ ସଂଘ, ଓଡ଼ିଶା କ୍ରିକେଟ ସଂଘ ଇତ୍ୟାଦିଙ୍କ ତରଫରୁ ତାଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ପ୍ରଶିକ୍ଷକ ହେବା ପରେ ମମତା ଓଡ଼ିଶାରେ ରହି ପ୍ରଶିକ୍ଷଣ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଯଦିଓ ୨ ମାସ ଇଣ୍ଟର୍ଣ୍ଣସିପ୍‌ ପରେ ସେ ଏଠାରୁ ଚାଲିଯିବେ। ତେବେ ଏନ୍‌ଆଇଏସ୍‌ ପାସ୍‌ କରିଥିବାରୁ ଯେକୌଣସି ସ୍ଥାନରେ ପ୍ରଶିକ୍ଷଣ ଦେବାକୁ ସେ ଯୋଗ୍ୟ ହୋଇ ସାରିଛନ୍ତି। କିନ୍ତୁ ଯେଉଁଠାରୁ ସେ ଖେଳିବା ଆରମ୍ଭ କରିଛନ୍ତି, ସେଠାରେ ପ୍ରଶିକ୍ଷଣ ଦେଲେ ପ୍ରଶିକ୍ଷକ ଜୀବନ ସାର୍ଥକ ହୋଇଯିିିବ ବୋଲି କହିଛନ୍ତି। ଆନ୍ତର୍ଜାତିକ ପଦକ ପାଇବା ପରେ ଜଗତପୁରଠାରେ ନିଯୁକ୍ତି ପାଇବାକୁ ବହୁତ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନଥିଲେ। ସିଆର୍‌ପିଏଫ୍‌ରେ ନିଯୁକ୍ତି ମିଳିଯାଇଥିଲା। ଏବେ ଚଣ୍ଡୀଗଡ଼ରେ କାର୍ଯ୍ୟରତ। ହେଲେ ଖେଳକୁ ସମୟ ଦେବା ସମ୍ଭବ ହେଉନାହିଁ। ଯଦି ଓଡ଼ିଶାରେ ପ୍ରଶିକ୍ଷଣ ଦେବାକୁ ସୁଯୋଗ ମିଳେ ତାହେଲେ ସିଆର୍‌ପିଏଫ୍‌ ଚାକିରି ଛାଡ଼ିବାକୁ ପ୍ରସ୍ତୁତ ବୋଲି ମମତା କହିଛନ୍ତି। ତେବେ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶୈଳୀ ଭିନ୍ନ। ମୁଁ ମୋ ଶୈଳୀରେ ପ୍ରଶିକ୍ଷଣ ଦେବି, ହୁଏତ ତାହା ଅନ୍ୟ କାହାକୁ ପସନ୍ଦ ଆସିନପାରେ। କିନ୍ତୁ ଖେଳାଳିଙ୍କ ମାନସିକତାକୁ ସୁହାଇପାରୁଥିବା ଭଳି ପ୍ରଶିକ୍ଷଣ ଦେଲେ ସଫଳତା ନିଶ୍ଚୟ ମିଳିବ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର