ରୋହିତଙ୍କୁ ଲି’ଙ୍କ ନିବେଦନ: ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଦ୍ବିଶତକ କରନି, ପାକିସ୍ତାନ କି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କର

ସିଡ୍‌ନି: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୨୦୧୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ପ୍ରଥମ ଦିନିକିଆ ଦ୍ବିଶତକ ହାସଲ କରିଥିଲେ। କଙ୍ଗାରୁ ବୋଲରଙ୍କୁ ନିର୍ଧୂମ ଛେଚି ବେଙ୍ଗାଲୁରୁଠାରେ ସେ ୨୦୯ ରନ୍‌ର ସ୍ମରଣୀୟ ପାଳି ଖେଳିଥିଲେ। ଏହି ପାଳି ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହବାଗଙ୍କ ପରେ ତୃତୀୟ ଖେଳାଳି ଭାବେ ଦିନିକିଆରେ ଦ୍ବିଶତକ ଅର୍ଜନ କରିଥିଲେ ରୋହିତ। ପରବର୍ଷ ଅର୍ଥାତ୍ ୨୦୧୪ରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ଶ୍ରୀଲଙ୍କା ବିପକ୍ଷରେ ରୋହିତ ଆଉ ଏକ ଦ୍ବିଶତକ (୨୬୪ ରନ୍) ହାସଲ କରିଥିଲେ। ୨୦୧୭ରେ ମୋହାଲିଠାରେ ସେହି ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଦିନିକିଆ ଦ୍ବିଶତକ ଅର୍ଜନ କରିଥିଲେ ସେ।

ରୋହିତଙ୍କ ଦ୍ବିଶତକ ପ୍ରେମକୁ ଲି’ ପ୍ରଶଂସା କରିଛନ୍ତି। ହେଲେ ଦୟାକରି ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଦ୍ବିଶତକ ହାସଲ ନ କରିବାକୁ ଅନୁରୋଧ କରିଛନ୍ତି। ଷ୍ଟାର ସ୍ପୋର୍ଟସର ‘କ୍ରିକେଟ୍ କନେକ୍ଟେଡ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଲି’ କହିଥିଲେ ଯେ ଆଶା କରୁଛି ରୋହିତ ଭବିଷ୍ୟତରେ ଆହୁରି ଅନେକ ଦ୍ବିଶତକ ହାସଲ କରିବେ। ହେଲେ ଦୟାକରି ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଏମିତି କରିବନି। ପାକିସ୍ତାନ କିମ୍ବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କଲେ ଅସୁବିଧା ନାହିଁ। ଅଷ୍ଟ୍ରେଲିଆକୁ କିନ୍ତୁ ଛାଡ଼ିଦିଅ। ଏହି ଅବସରରେ ଲି’ ମଧ୍ୟ ରୋହିତଙ୍କ ୨୦୦୭ ପ୍ରଥମ ଅଷ୍ଟ୍ରେଲିଆ ଗସ୍ତକୁ ମନେ ପକାଇଥିଲେ। ‘‘‌ରୋହିତ ସମସ୍ତଙ୍କଠାରୁ ଭିନ୍ନ ଓ ଅଲଗା ଥିଲେ। ସେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ତାଙ୍କ ବ୍ୟାଟ୍‌ର ଶବ୍ଦ ମୋତେ ବହୁତ ପ୍ରଭାବିତ କରିଥିଲା। ଏବେ ବି ‌ତାଙ୍କ ପାଖରେ ଅନେକ ବର୍ଷର କ୍ରିକେଟ୍ ବାକି ଅଛି’’ ବୋଲି ଲି’ ମତ ଦେଇଥିଲେ। ପ୍ରକାଶଯୋଗ୍ୟ ଯେ ରୋହିତ ଦିନିକିଆରେ ୫୦ରୁ ଅଧିକ ହାରରେ ରନ୍ କରିଛନ୍ତି। ସେଥିମଧ୍ୟରେ ୨୯ ଶତକ ରହିଛି। ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ସେ ମଧ୍ୟ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ପାଞ୍ଚଟି ଶତକ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର