ଟେଷ୍ଟ୍‌ କ୍ରିକେଟ୍‌ରୁ ଉଠିବ ଟସ୍‌

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍‌ରେ ‘ଟସ୍‌’ ସବୁବେଳେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ତେବେ ଏହି ‘ଟସ୍‌’ ପକାଇବା ପରମ୍ପରାକୁ ବନ୍ଦ କରିଦେବାକୁ ଆଇସିସି ଚିନ୍ତା କରୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ। ଏଥିନେଇ ଏକ ପ୍ରସ୍ତାବ ଆଇସିସି ପାଖରେ ଥିଲା ବେଳେ ଆଇସିସି ମଧ୍ୟ ଏହାକୁ ଢେର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ସବୁକିଛି ଠିକ୍‌ଠାକ୍‌ ରହିଲେ ଆଇସିସି ଖୁବଶୀଘ୍ର ଟସ୍‌ ପକାଯିବା ପରମ୍ପରାକୁ ବନ୍ଦ କରି ଭ୍ରମଣକାରୀ ଦଳର ଅଧିନାୟକଙ୍କୁ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବା ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରିବାକୁ ଯାଉଛି। ୧୮୭୭ ମସିହାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ସେବେଠାରୁ ଆୟୋଜିତ ହୋଇ ଆସୁଥିବା ପ୍ରତ୍ୟେକ ଟେଷ୍ଟ୍‌ ମ୍ୟାଚ୍‌ରେ ନିରବଚ୍ଛିନ୍ନ ଭାବେ ଟସ୍‌ ହୋଇଆସୁଛି। ଯେ କୌଣସି ଟେଷ୍ଟ ପୂର୍ବରୁ ଘରୋଇ ଦଳର ଅଧିନାୟକ ଏକ ମୁଦ୍ରାକୁ ଉପରକୁ ପକାଇବା ପରେ ଭ୍ରମଣକାରୀ ଦଳର ଅଧିନାୟକ ମୁଣ୍ଡ କିମ୍ବା ଲାଞ୍ଜ ଡାକନ୍ତି। ଏଥିରେ ବିଜୟୀ ହେଉଥିବା ଅଧିନାୟକ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବା ନିଷ୍ପତ୍ତି ନେବାର ଅଧିକାର ପାଇଯାଆନ୍ତି। ୧୪୧ ବର୍ଷ ଧରି ‘ଟସ୍‌’ କ୍ରିକେଟ୍‌ର ଏକ ଅଭିଚ୍ଛେଦ୍ୟ ପରମ୍ପରା ପାଲଟି ଗଲାଣି। ହେଲେ କେବେ କେବେ ଏହି ଟସ୍‌ ବିବାଦ ଘେରକୁ ମଧ୍ୟ ଚାଲି ଆସିଥାଏ। ଟସ୍‌ ଜିତୁଥିବା ଦଳ ଅନେକ ସମୟରେ ଫାଇଦାରେ ରହୁଥିବାର ଅଭିଯୋଗ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଇସିସି ଟସ୍‌ ପରମ୍ପରାକୁ ବନ୍ଦ କରି ଭ୍ରମଣକାରୀ ଦଳକୁ ତା’ ଇଚ୍ଛା ଅନୁସାରେ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାର ଅଧିକାର ପ୍ରଦାନ କରିବାକୁ ଯାଉଛି। ଏହା ଦ୍ୱାରା ଘରୋଇ ଦଳ ପିଚ୍‌ରୁ ଉଠାଉଥିବା ଅହେତୁକ ଲାଭକୁ ରୋକା ଯାଇପାରିବ ବୋଲି ଆଇସିସି ଚିନ୍ତା କରୁଛି। ଚଳିତ ମାସ ୨୮ ଏବଂ ୨୯ ତାରିଖରେ ବସିବାକୁ ଥିବା ଆଇସିସି କ୍ରିକେଟ୍‌ ସମିତି ବୈଠକରେ ଏହା ଏକ ପ୍ରମୁଖ ଚର୍ଚାର ବିଷୟ ହେବ ବୋଲି ସୂଚନା ମିଳିଛି।

ଆଜିକାଲି ଖେଳା ଯାଉଥିବା ଦ୍ୱିପାକ୍ଷିକ ଟେଷ୍ଟ୍‌ ଶୃଙ୍ଖଳା ବେଳେ ଘରୋଇ ଦଳ ନିଜ ଇଚ୍ଛା ଅନୁସାରେ ପିଚ୍‌ ପ୍ରସ୍ତୁତ କରୁଛନ୍ତି। ଏହା କରି ସେମାନେ ଭ୍ରମଣକାରୀ ଦଳକୁ ଅଡ଼ୁଆରେ ପକାଉଛନ୍ତି। ଏଣୁ ଆଇସିିସି କ୍ରିକେଟ୍‌ ସମିତି ଏହି ସ୍ଥିତିକୁ ବଦଳାଇବାକୁ ଅଣ୍ଟା ଭିଡ଼ିଛି। ଟସ୍‌କୁ ସଂପୂର୍ଣ୍ଣ ବନ୍ଦ କରିଦେବାକୁ ସମିତି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ କରିଛି। ଏହି ସମିତିରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିଉ ଷ୍ଟ୍ରସ୍‌, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ, ଟିମ୍‌ ମେ, କ୍ରିକେଟ୍‌ ନ୍ୟୁଜିଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ଵାଇଟ୍‌, ଅମ୍ପାୟାର ରିଚାର୍ଡ କେଟଲବର୍ଗ, ଆଇସିସି ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେ, ସନ୍‌ ପୋଲକ ଓ କ୍ଲାରେ କନର ସଦସ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୬ ମସିହାରୁ ଇଂଲଣ୍ଡ ଘରୋଇ କ୍ରିକେଟ୍‌ ପ୍ରତିିଯୋଗିତା ‘କାଉଣ୍ଟି କ୍ରିକେଟ’ରେ ଟସ୍‌ ପଡ଼ିବା ବନ୍ଦ ହୋଇଯାଇଛି। ସେଠାରେ ଭ୍ରମଣକାରୀ ଦଳର ଅଧିନାୟକଙ୍କୁ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବା ନିଷ୍ପତ୍ତି ଅଧିକାର ମିଳୁଛି। ତେବେ ୨୦୨୧ ମସିହାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ପ୍ରତିଯୋଗିତାରେ ଆଇସିସି ଏହି ନିୟମ ଲାଗୁ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର