ବୟସ ନୁହେଁ, ପ୍ରତିଭା ଚୟନର ଏକମାତ୍ର ମାନଦଣ୍ଡ ହେଉ: ସଚିନ

ମୁମ୍ବାଇ: ‘ବୟସ ନୁହେଁ, ପ୍ରତିଭା ଦଳ ଚୟନର ଏକମାତ୍ର ମାନଦଣ୍ଡ ହେବା ଉଚିତ। ଜଣେ ଯଦି ଭଲ ଖେଳୁଛି, ତାକୁ ଦଳରେ ରଖ। ଅଧିକ ବୟସ ହୋଇଛି କହି ବାଛ ବିଚାର କର ନାହିଁ,’ ଏଭଳି ଭାବନା ବ୍ୟକ୍ତ କରିଛନ୍ତି ସଚିନ ତେନ୍ଦୁଲକର।
୨୦ ବର୍ଷୀୟ ଅଲରାଉଣ୍ଡର ସାମ୍‌ କରନ୍‌ ଏବଂ ଯୁବ ବ୍ୟାଟ୍ସମ୍ୟାନ୍‌ ଓଲି ପୋପଙ୍କୁ ଇଂଲଣ୍ଡ ଲର୍ଡସ ଟେଷ୍ଟ୍‌ ଦଳରେ ସାମିଲ କରିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସଚିନ ନିଜ ପଦାର୍ପଣ ଟେଷ୍ଟ୍‌କୁ ମନେ ପକାଇଥିଲେ। ସେ କହିଥିଲେ ମୁଁ ଯେତେବେଳେ ପ୍ରଥମ ଟେଷ୍ଟ୍‌ ଖେଳିଥିଲି, ମୋତେ ମାତ୍ର ୧୬ ବର୍ଷ ହୋଇଥିଲା। ଓ୍ଵାସିମ ଆକ୍ରମ, ଓ୍ଵାକର ୟୁନିସ୍‌, ଇମ୍ରାନ୍‌ ଖାନ୍‌, ଅବଦୁଲ କାଦିରଙ୍କ ଭଳି ବୋଲରଙ୍କୁ କେମିତି ସମ୍ମୁଖୀନ ହେବାକୁ ହୁଏ, ମୁଁ ଜାଣି ନଥିଲି। ତେବେ ପରୋକ୍ଷରେ ଏହା ମୋ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ବିନା ଚାପରେ ଖେଳି ପାରିଥିଲି।
ସଚିନ ଯୁବ ବୟସରେ ଟେଷ୍ଟ୍‌ କ୍ରିକେଟ୍‌ ଖେଳିବା ଧାରାକୁ ସ୍ୱାଗତ କରିଛନ୍ତି। ଯୁବାବସ୍ଥାରେ ଥିଲା ବେଳେ ଆପଣ ମୁଦ୍ରାର ଗୋଟିଏ ପାର୍ଶ୍ୱକୁ ଦେଖିଥାଆନ୍ତି। ଅଭିଜ୍ଞତା ଏବଂ ପରିପକ୍ୱତା ପରେ ଅନ୍ୟପଟକୁ ଦେଖିବା ଆରମ୍ଭ କରନ୍ତି। ସେତେବେଳେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରନ୍ତି ବୋଲି ସଚିନ କହିଛନ୍ତି।

ସମ୍ବନ୍ଧିତ ଖବର