ଡାକି, ଖାଇବାକୁ ଦେଲେନି: ଅପମାନିତ ହୋଇ କ୍ରୀଡ଼ା ଛାତ୍ରାବାସ ଛାଡ଼ିଲେ ଅନ୍ତର୍ଜାତୀୟ ଧାବିକା ବନିତା

ଭୁବନେଶ୍ୱର: ପ୍ରଥମେ ଅନ୍ତର୍ଜାତୀୟ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କଲେ। ତା’ପରେ ଡାକି ଆଣି କ୍ରୀଡ଼ା ଛାତ୍ରାବାସରେ ରଖିଲେ। ହେଲେ କିଛି ଦିନ ରହିବା ପରେ ଖାଇବାକୁ ଦେଲେନି। ଏଥିରେ ଅପମାନିତ ହୋଇ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଛାଡ଼ି ଦେଇଛନ୍ତି ଅନ୍ତର୍ଜାତୀୟ ଧାବିକା ବନିତା ଲାକ୍ରା। ଲସ୍‌ଏଞ୍ଜେଲ୍‌ସ ବିଶ୍ୱ ପୁଲିସ୍‌ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ୪ଟି ପଦକ ଜିତିଥିବା ବନିତା ଲାକ୍ରାଙ୍କୁ ତାଙ୍କ ପ୍ରଦର୍ଶନର ଏହିଭଳି ସମ୍ମାନ ଦେଇଛି ରାଜ୍ୟ କ୍ରୀଡ଼ା ବିଭାଗ। ବିଶ୍ୱ ପୁଲିସ୍‌ କ୍ରୀଡ଼ାର ୧୦୦ ଓ ୨୦୦ ମିଟର୍‌ ଦୌଡ଼ରେ ରୌପ୍ୟ, ୧୦୦ ମିଟର୍‌ ହର୍ଡଲ୍‌ସରେ କାଂସ୍ୟ ତଥା ୪ ଗୁଣା ୧୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବନିତାଙ୍କୁ ଗତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେଇ ସମ୍ମାନିତ କରିଥିଲେ।

ଏହାପରେ ବନିତାଙ୍କ ଉତ୍ତମ ଖାଦ୍ୟପେୟ ଓ ପ୍ରଶିକ୍ଷଣ ପାଇଁ ବିଭାଗ ପକ୍ଷରୁ ତାଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ରହିବାକୁ ପ୍ରସ୍ତାବ ଦିଆ ଯାଇଥିଲା। ପୁଲିସ୍‌ ବିଭାଗରେ ଚୁକ୍ତିଭିତ୍ତିକ କନ୍‌ଷ୍ଟେବଳଭାବେ ଚାକିରି କରୁଥିବା ଓ ବାରାକ୍‌ରେ ରହୁଥିବା ବନିତା ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ଚଳିତ ଡିସେମ୍ବର ମାସ ୫ ତାରିଖରୁ ଭୁବନେଶ୍ୱର ଛାତ୍ରାବାସରେ ରହିଥିଲେ। ଫଳରେ ତାଙ୍କୁ କ୍ରୀଡ଼ାବିତ୍‌ଙ୍କୁ ଦିଆ ଯାଉଥିବା ଖାଦ୍ୟ ମିଳିବା ସହ ଅଭ୍ୟାସ ପାଇଁ ପଡ଼ିଆକୁ ଆସିବା ସୁବିଧା ହୋଇଥିଲା। ତେବେ ହଠାତ୍‌ ଦିନେ ବନିତା ସକାଳ ଜଳଖିଆ ଖାଇବାକୁ ଗଲାବେଳେ ଛାତ୍ରାବାସର ମେସ୍‌ରେ ତାଙ୍କୁ ଖାଦ୍ୟ ଦେବାକୁ ମନା କରାଗଲା। ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଗଲା।

ସେ ହଷ୍ଟେଲ୍‌ ଅଧୀକ୍ଷକ କାଳୁ ଚୌଧୁରୀଙ୍କୁ ପଚାରିବାରୁ ତାଙ୍କ ପାଇଁ ବାହାରିଥିବା ବିଭାଗୀୟ ଆଦେଶରେ ଖାଦ୍ୟପେୟ ସଂପର୍କରେ କିଛି ଉଲ୍ଲେଖ ନଥିବା କହିଥିଲେ। ବନିତାଙ୍କୁ ଛାତ୍ରାବାସରେ ରଖାଇବାରେ ପ୍ରମୁଖ ଭୂମିକା ନେଇଥିବା କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଭେଟିବାକୁ ସେ ଦୁଇ ଦୁଇଥର ବିଭାଗକୁ ଯାଇ ସାକ୍ଷାତ ପାଇପାରି ନଥିଲେ। ଉପସଚିବ ମନୋଜ ପାଢ଼ୀଙ୍କୁ ଭେଟି ପଚାରିବାରୁ ସେ ଚାକିରି କରୁଥିବାରୁ ତାଙ୍କୁ ଖାଦ୍ୟପେୟ ଦେବା ସମ୍ଭବ ନୁହେଁ ବୋଲି ବୁଝାଇ ଖସିଯାଇଥିଲେ। ଫଳରେ ଦୁଃଖ ଓ ଅପମାନରେ ଜର୍ଜରିତ ବନିତା ସୋମବାର କ୍ରୀଡ଼ା ଛାତ୍ରାବାସ ଛାଡ଼ି ପୁଣି ନିଜ ବାରାକ୍‌କୁ ଫେରି ଯାଇଛନ୍ତି। ପୂର୍ବରୁ କିଛି ଅନ୍ତର୍ଜାତୀୟ ସ୍ୱଚ୍ଛଳ ଖେଳାଳି ବଡ଼ ପଦରେ ଚାକିରି କରୁଥିବା ସତ୍ତ୍ୱେ କ୍ରୀଡ଼ା ଛାତ୍ରାବାସରେ ରହି ସବୁ ସୁବିଧା ପାଇବାର ନଜିର ରହିଛି।

ହେଲେ ମୁଁ ଜଣେ ଗରିବ ଆଦିବାସୀ ଝିଅ ହୋଇଥିବା ସତ୍ତ୍ୱେ ଏଭଳି ବ୍ୟବହାର ମତେ ବହୁତ କଷ୍ଟ ଦେଇଛି ବୋଲି ‘ସମ୍ବାଦ’ ସହ କଥାବାର୍ତା ବେଳେ ବନିତା କହିଛନ୍ତି। ମୁଁ କଳିଙ୍ଗ ଷ୍ଟାଡିୟମ୍‌ରେ ଖାଲି ରହି ସକାଳେ, ଦିନବେଳେ ଓ ରାତିରେ ଖାଦ୍ୟ ପାଇଁ ବାହାରକୁ ଯିବା କେମିତି ସମ୍ଭବ ତାହା ବିଭାଗୀୟ ଅଧିକାରୀମାନେ ଚିନ୍ତା କରିବା କଥା। ମୁଁ ଆଉ କୌଣସି ପରିସ୍ଥିତିରେ ହଷ୍ଟେଲ୍‌କୁ ଫେରିବି ନାହିଁ। ହେଲେ ଏ ସଂପର୍କରେ ବିଭାଗୀୟ ସଚିବଙ୍କୁ ଜଣାଇବି ବୋଲି ବନିତା ପ୍ରକାଶ କରିଛନ୍ତି। ଘଟଣା ସଂପର୍କରେ ଉପସଚିବ ମନୋଜ ପାଢ଼ୀଙ୍କୁ ପଚାରିବାରୁ ସେ ଫୋନ୍‌ରେ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ। ପ୍ରତିକ୍ରିୟା ପାଇଁ ବିଭାଗକୁ ଆସି ଦେଖା କରନ୍ତୁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର