କ୍ଷୀର ଟୋପାଏ ପାଉ ନଥିଲେ :ଆଜି ବିଶ୍ୱକପ୍‌ ହିରୋ:ଲୋକାକୁଙ୍କ ଲୋମଟାଙ୍କୁରା କାହାଣୀ

ମସ୍କୋ: ମସ୍କୋ ବିଶ୍ୱକପ୍‌ରେ ବେଲଜିୟମ୍‌ ଫୁଟ୍‌ବଲ୍‌ ଦଳର ଦୁଇଟି ଯାକ ବିଜୟରେ ଅଗ୍ରଭାଗ ଖେଳାଳି ରୋମେଲୁ ଲୋକାକୁ ପ୍ରମୁଖ ଭୂମିକା ତୁଲାଇଛନ୍ତି। ପାନାମା ବିପକ୍ଷ ମ୍ୟାଚ୍‌ରେ ଦୁଇଟି ଗୋଲ୍‌ କରିଥିବା ୨୫ ବର୍ଷୀୟ ଲୋକାକୁ ଶନିବାରର ଟ୍ୟୁନିସିଆ ବିପକ୍ଷ ବଡ଼ ବିଜୟରେ ମଧ୍ୟ ଆଉ ଦୁଇଟି ଗୋଲ୍‌ ଦେଇଛନ୍ତି। ଦୁଇଟି ମ୍ୟାଚ୍‌ରେ ଚାରିଟି ଗୋଲ୍‌ ଦେଇ ସେ ବିଶ୍ୱକପ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ବେଲଜିୟମ୍‌ ଜାତୀୟ ଦଳରେ ସ୍ଥାନ ପାଇବା ପରେ ପ୍ରସିଦ୍ଧି, ସମ୍ମାନ ଏବଂ ଅର୍ଥ ତାଙ୍କ ପାଖରେ କୌଣସିଟିର ଅଭାବ ନଥିଲା। ହେଲେ ବିଶ୍ୱକପ୍‌ରେ ଗୋଲ୍‌ ବର୍ଷା କରିବା ପରେ ସେ ସଫଳତା ଏବଂ ଲୋକପ୍ରିୟତାର ନୂଆ ସ୍ତର ଛୁଇଁଛନ୍ତି। କିନ୍ତୁ ଲୋକାକୁଙ୍କ ଜୀବନ ସବୁବେଳେ ଏମିତି ନଥିଲା। ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଏହି ଖେଳାଳି ଜଣଙ୍କର ପିଲାଦିନ ବହୁ ଦୁଃଖ କଷ୍ଟରେ କଟିଥିଲା। ଏପରିକି ସେ କ୍ଷୀର ଟୋପାଏ ମଧ୍ୟ ପିଇବାକୁ ପାଉ ନଥିଲେ।
ପିତା ରୋଜର ଲୋକାକୁ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳିଥିଲେ। ହେଲେ ଆଶାତୀତ ସଫଳତା ପାଇ ନଥିଲେ। ଫଳରେ ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରି ପାରି ନଥିଲେ। ସେଥିପାଇଁ ଲୋକାକୁ ପରିବାରକୁ ଚଟାଣରେ ଶୋଇବାକୁ ପଡ଼ୁଥିଲା। ବିଦ୍ୟୁତ୍‌ ଦେୟ ଦେଇ ପାରୁ ନଥିବାରୁ ଘର ମାସ ମାସ ଧରି ଅନ୍ଧାର ରହୁଥିଲା। ସେମାନେ ପ୍ରାୟତଃ ସବୁଦିନ କ୍ଷୀର ଓ ପାଉଁରୁଟି ଖାଉଥିଲେ। ହେଲେ ସମସ୍ତଙ୍କ ପାଇଁ କ୍ଷୀର କିଣିବାକୁ ପାଇସା ନଥିବାରୁ ରୋମେଲୁଙ୍କ ମା’ ଏଥିରେ ପାଣି ମିଶାଇ ସପ୍ତାହକ ପର୍ଯ୍ୟନ୍ତ ଚଳାଉଥିଲେ। ଦରିଦ୍ରତା ସହ ଲଢ଼ି ରୋମେଲୁ ଲିଗ୍‌ ଏବଂ ଶୀର୍ଷ ସ୍ତରୀୟ ଫୁଟ୍‌ବଲ୍‌ ଖେଳିବାର କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍‌ ନୁହେଁ। ଏକ େଓ୍ଵବସାଇଟ୍‌ରେ ନିଜ ସଂଘର୍ଷମୟ ଶୈଶବ ବିଷୟରେ ବର୍ଣ୍ଣନା କରି ରୋମେଲୁ ଲେଖିଛନ୍ତି ଯେ ସେତେବେଳେ ମୁଁ ୬ ବର୍ଷର ଥିଲି। ଦିନେ ମଧ୍ୟାହ୍ନ ଭୋଜନ କରିବାକୁ ଘରକୁ ଆସିଲା ବେଳେ ଦେଖିଲି ମୋ ମା’ କ୍ଷୀରରେ ପାଣି ମିଶାଉଛନ୍ତି। ସେତେବେଳେ ମୁଁ ତାଙ୍କୁ କହିଥିଲି ମା’ ଏସବୁ ଖୁବଶୀଘ୍ର ବଦଳି ଯିବ। ମୁଁ ବେଲ୍‌ଜିୟମ ଜାତୀୟ ଦଳରୁ ଫୁଟ୍‌ବଲ୍‌ ଖେଳିବି। ତୁମେ ବ୍ୟସ୍ତ ହୁଅନି। ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ରୋମେଲୁ ଖୁବ୍‌ କମ୍‌ ବୟସରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଆଜି ତାଙ୍କ ପାଖରେ ପଇସା କିମ୍ବା ପ୍ରତିପତିର ଆଦୌ ଅଭାବ ଅଛି।
୧୯୯୩ ମସିହା ମେ ୧୩ ତାରିଖରେ ବେଲ୍‌ଜିୟମର ଅନ୍ତ୍ୱେର୍ପଠାରେ ଜନ୍ମ ଗ୍ରହଣ କରିଥିବା ରୋମେଲୁ ୨୩ ବର୍ଷ ପୂର୍ବରୁ ୫୦ ପ୍ରିମିୟର ଲିଗ୍‌ ଗୋଲ୍‌ କରିବାରେ ପ୍ରଥମ ଖେଳାଳି ହେବାର କୀର୍ତ୍ତିମାନ କରି ସାରିଛନ୍ତି। ବେଲ୍‌ଜିୟମ ଜାତୀୟ ଦଳରୁ ୭୦ ମ୍ୟାଚ୍‌ ଖେଳି ସର୍ବାଧିକ ୪୦ ଗୋଲ୍‌ କରିଛନ୍ତି। ତାଙ୍କ ଭାଇ ଜୋର୍ଡାନ ମଧ୍ୟ ଜଣେ ପେସାଦାର ଫୁଟ୍‌ବଲ୍‌ ଖେଳାଳି। ରୋମେଲୁ ମାତ୍ର ୫ ବର୍ଷ ବୟସରେ ରୂପେଲ ବୁମ୍‌ ନାମକ ଏକ ଫୁଟ୍‌ବଲ୍‌ କ୍ଲବ୍‌ରେ ଯୋଗ ଦେଇଥିଲେ। ଏହା ପରେ ଏକ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମରେ ଭଲ କରି ବେଲ୍‌ଜିୟମର ପ୍ରତିଷ୍ଠିତ କ୍ଲବ୍‌ ଲିଏର୍ସରେ ଖେଳିବାର ସୁଯୋଗ ପାଇଥିଲେ। ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଏହି ଦଳରୁ ଖେଳି ୬୮ ମ୍ୟାଚ୍‌ରୁ ୧୨୧ ଗୋଲ୍‌ କରିଥିଲେ। ଏହା ପରେ ଆଣ୍ଡରଲେଚ୍‌, ଚେଲସି, ଆଲବିଅନ, ଏଭରଟନ୍‌, ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ କ୍ଲବ୍‌ ଫୁଟ୍‌ବଲ୍‌ ଖେଳିଥିଲେ। ୨୦୧୦ ଫେବ୍ରୁଆରି ୨୪ରେ କ୍ରୋଏସିଆ ବିପକ୍ଷରେ ସେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର