ହାର୍ଦିକ ଏବେ ବି ମୋ ଭଲ ବଂଧୁ: ରାହୁଲ

ମୁମ୍ବାଇ: କଫି ୱିଥ୍ କରଣ ସୋ’ ପାଇଁ ଏକଦା ନିଲମ୍ବିତ ହୋଇଥିବା ‌ଭାରତୀୟ ବ୍ୟାଟସମ୍ୟାନ୍‌ କେଏଲ୍ ରାହୁଲ ଏଥିରୁ ବାହାରି କ୍ରିକେଟ୍ ଉପରେ ଅଧିକ ଏକାଗ୍ର ହୋଇପାରିଛନ୍ତି। ରାହୁଲ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଉପରୁ ବାସନ୍ଦାଦେଶ ଉଠିବା ପରେ ଉଭୟ ଜାତୀୟ ଦଳରୁ ମଧ୍ୟ ଖେଳି ସାରିଛନ୍ତି। ଏହି ବିବାଦୀୟ ଅଧ୍ୟାୟ ପାଇଁ କିନ୍ତୁ ରାହୁଲ ତିକ୍ତତାର ଅନୁଭବ ପାଇଥିବା ସ୍ବୀକାର କରିଛନ୍ତି। ଏହି ସୋ’ରେ ହାର୍ଦିକ ପାଣ୍ଡ୍ୟା ଅଶ୍ଲୀଳ ମନ୍ତବ୍ୟ ରଖିଥିଲେ ମଧ୍ୟ ସେ ଏବେ ତାଙ୍କ ଭଲ ବଂଧୁ ବୋଲି ରାହୁଲ ପ୍ରକାଶ କରିଛନ୍ତି। ‌ମଙ୍ଗଳବାର ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି ‘ମୁଁ ମିଛ କହେ ନାହିଁ, ଏହା ମୋ ପାଇଁ ତିକ୍ତତା ଆଣିଥିଲା। ମୋତେ ପ୍ରଭାବିତ ଏବଂ ଚିନ୍ତିତ ବି କରିଥିଲା। ମୁଁ ରାଗି ଯାଇଥିଲି। ଏବେ ଏଥିରୁ ବାହାରି ଆସିଛି। ବୁଝି ପାରିଛି ଏହା ସମ୍ବେଦନଶୀଳ ଥିଲା। ତୁମେ କ’ଣ କରୁଛ ଯାଏ ଆସେ ନାହିଁ, କିଛି ଲୋକ କିନ୍ତୁ ତୁମ ଖରାପକୁ ଖୋଜିବେ। ଏହାକୁ ଏକ ଦୁର୍ଘଟଣା ଭାବି ରାହୁଲ ମଧ୍ୟ ଖେଳ ଉପରେ ଏକଗ୍ର ରହିବାକୁ ସଙ୍କଳ୍ପ ନେଇଛନ୍ତି। ‘ମୋତେ କ୍ରିକେଟ୍‌ ଉପରେ ଏକାଗ୍ରତା ଆଣିବାର ଆବଶ୍ୟକତା ରହିଛି, ତାଲିମ ଓ ଅଭ୍ୟାସ ଲାଗି ଜିମ୍‌ ଏବଂ ପଡିଆରେ ଅଧିକ ସମୟ ବିତାଇଛି। ନିଜ‌ ପେସାକୁ ଛାଡ଼ି ଜୀଇଁ ହେବ ନାହିଁ। ବିବାଦ ଓ ବାସନ୍ଦ ସମୟରେ ଆମେ ଦୁହେଁ (ରାହୁଲ ଓ ହାର୍ଦିକ) ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରହିଥିଲୁ। ପରିବାର ଓ ବଂଧୁଙ୍କ ଗହଣରେ ସମୟ କାଟିଥିଲୁ। ପରିସ୍ଥିତିରୁ ଆମେ ଅନେକ କିଛି ଶିଖିଛୁ ଏବଂ ପ୍ରତ୍ୟାବର୍ତନରେ ଗ୍ରହଣୀୟ ହୋଇଛୁ। କ୍ରିକେଟ୍ ଏବଂ ଯାତ୍ରାକୁ ଦେଖିଲେ ହାର୍ଦିକ ଏବଂ ମୁଁ ବର୍ଷକୁ ବସ୍ତୁତଃ ୩୦୦ ଦିନ ଏକାଠି ବିତାଇଥାଉ। ହାର୍ଦିକ ଏବେ ବି ମୋ ଭଲ ବଂଧୁ ଏବଂ ପରସ୍ପର ସହ ସମୟ ବିତାଇବାକୁ ଉପଭୋଗ କରିଥାଉ ବୋଲି ରାହୁଲ କହିଥିଲେ।

ସମ୍ବନ୍ଧିତ ଖବର