ଆମେ ଏବେ ପଏଣ୍ଟ ତାଲିକାକୁ ଚାହିଁବା ବନ୍ଦ କରି ଦେଇଛୁ

-ଏବି ଡି’ଭିଲିୟର୍ସ-

ମୋତେ ଯେତେବେଳେ ବାର୍ଧକ୍ୟ ଛୁଇଁବ ଏବଂ କେଶ ପାଚି ଧଳା ହୋଇଯିବ, ସେତେବେଳେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ କଟାଇଥିବା ସେହି ଯାଦୁଗରୀ ସଂଧ୍ୟାଗୁଡ଼ିକୁ ମୁଁ ନିଶ୍ଚିତ ମନେ ପକାଇବି। ଏସବୁ ବାସ୍ତବରେ ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ଥିଲା ବୋଲି ମଧ୍ୟ ହୃଦୟଙ୍ଗମ କରିବି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ରତିଯୋଗିତାରେ ତିଷ୍ଠି ରହିବା ଲାଗି ଜୋରଦାର ଲଢ଼େଇ କରୁଛି। ବୁଧବାର ରାତିରେ ଆମ ପ୍ରଶଂସକଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଲାଲ ସମୁଦ୍ର ଭିତରେ ଖେଳିବା‌ ଓ ପଞ୍ଜାବକୁ ହରାଇବାର ଅନୁଭବ ବେଶ୍ ନିଆରା ଥିଲା। କେହି ଜଣେ କହିଥିଲେ ଆମେ ଆଉ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ନାହୁଁ। ଏକଥା ଆଉ କିଏ ପଚାରୁଛି? ଢେର କିଛି ସପ୍ତାହ ତଳୁ ଆମେ ପଏଣ୍ଟ ତାଲିକାକୁ ଚାହିଁବା ବନ୍ଦ କରି ଦେଇଛୁ। ଖେଳକୁ ଉପଭୋଗ କରିବା, କଠିନ ପରିଶ୍ରମ କରିବା ଏବଂ ପରବର୍ତୀ ମ୍ୟାଚ୍ ଜିତିବା ଉପରେ ଆମେ ସବୁ ବଳ ଖଟାଇ ଦେଇଛୁ। ମଙ୍ଗଳବାର ଏକ ଅଦ୍ଭୂତପୂର୍ବ ଦିନ ଥିଲା। ସକାଳୁ ଉଠିଲା ବେଳକୁ ମୋ ଦେହ ଭଲ ଲାଗୁ ନଥିଲା। ଦୁଇ ତିନି ଜଣ ସାଥୀ ଖେଳାଳି ମୋତେ ଏହି ବିଷୟରେ ପଚାରି ବୁଝିଥିଲେ। ଆମେ ପୁଣି ଥରେ ଟସ୍ ହାରିଲୁ। ଚତୁର୍ଥ ଓଭରରେ ବ୍ୟାଟିଂ କରିବାକୁ ଆସିଲା ବେଳ ପର୍ଯ୍ୟନ୍ତ ମୋତେ କିଛି ବି ଠିକ୍ ଲାଗୁ ନଥିଲା। ସେଥିପାଇଁ ପ୍ରଥମ ୧୦ ବଲ୍ ରକ୍ଷଣାତ୍ମକ ଢଙ୍ଗରେ ଖେଳି ମୁଁ ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଧ୍ୟାନ ଦେଇଥିଲି। ଚତୁର୍ଦଶ ଓଭର ଶେଷ ସୁଦ୍ଧା ମୁଁ ୨୫ ବଲ୍‌ରୁ କେବଳ ୨୫ ରନ୍ କରିଥିଲି। ବ୍ୟାଟିଂ ଆଦୌ ସହଜ ନଥିଲା। ରବିଚନ୍ଦ୍ରନ୍‌ ଅଶ୍ବିନ ଆଉ ଏକ ଚମତ୍କାର ସ୍ପେଲ୍ ବୋଲିଂ କରୁଥିଲେ। ସମ୍ଭବତଃ କେହି ଜଣେ କେଉଁଠାରେ ମୋ ଖେଳ ‌ଦେଖୁଥିଲେ ଏବଂ ଅଶ୍ବିନଙ୍କୁ ପରାମର୍ଶ ଦେଉଥିଲେ ଯେ ମୁଁ ସ୍ପିନ୍ ବିପକ୍ଷରେ ଭଲ କରେନାହିଁ। ଚଳିତ ବର୍ଷର ଆଇପିଏଲ୍‌ରେ ମୁଁ ଦ୍ରୁତ ବୋଲରଙ୍କ ବିପକ୍ଷରେ ୧୮୪.୮ ହାରରେ ୨୯୪ ରନ୍ କରିଥିଲି। ଅନ୍ୟପକ୍ଷରେ ସ୍ପିନରଙ୍କ ବିପକ୍ଷରେ ୧୧୬.୫ ହାରରେ ମାତ୍ର ୧୦୩ ରନ୍ କରିଥିଲି। ୭ ମଧ୍ୟରୁ ୫ ଥର ସ୍ପିନରଙ୍କ ଦ୍ବାରା ଆଉଟ୍ ହୋଇଥିଲି। ସ୍ପିନ୍ ବିପକ୍ଷରେ ୩୪.୩ ବଲ୍‌ରୁ ମାତ୍ର ଗୋଟିଏ ଛକା ମାରିଥିଲି। ଦ୍ରୁତ ବୋଲରଙ୍କ ବିପକ୍ଷରେ ଏହି ପରିସଂଖ୍ୟାନ ୭.୨ ବଲ୍ ଥିଲା। ଲୋକମାନେ କୁହନ୍ତି ପରିସଂଖ୍ୟାନ ମିଛ କୁହେ ନାହିଁ, ହେଲେ ସେମାନେ ସଂପୂର୍ଣ୍ଣ କଥା କୁହନ୍ତି ନାହିଁ। ଟ୍ବେଣ୍ଟି-୨୦ରେ ମୁଁ ସାଧାରଣତଃ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ବ୍ୟାଟିଂ କରେ। ଅର୍ଥାତ୍ ମୋତେ ୪ରୁ ୧୦ ଓଭର ଭିତରେ ପାଳି ଆରମ୍ଭ କରିବାକୁ ପଡ଼ିଥାଏ। ଏହି ସମୟରେ ସ୍ପିନରମାନେ ବୋଲିଂ କରୁ ଥାଆନ୍ତି। ଲୟ ଜମାଇ ଆକ୍ରମଣ କଲା ବେଳକୁ ଦ୍ରୁତ ବୋଲର ପୁଣି ଥରେ ବୋଲିଂ କରିବା ଆରମ୍ଭ କରି ଦିଅନ୍ତି। ଆର୍‌ସିବି ଯେ ପର୍ଯ୍ୟନ୍ତ ବିଜୟ ଲାଭ କରୁଛି, ମୋ ପାଇଁ ଏସବୁର କୌଣସି ମାନେ ନାହିଁ। ରବିବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍ ଲାଗି ପଡ଼ିଆକୁ ଓହ୍ଲାଇବାକୁ ମୁଁ ପୂରା ବ୍ୟଗ୍ର।

ସମ୍ବନ୍ଧିତ ଖବର