େଓ୍ଵଷ୍ଟଇଣ୍ଡିଜ୍‌ ବିଜୟ ଶୂନ୍ୟ, ନ୍ୟୁଜିଲାଣ୍ଡ୍‌ ଦିନିକିଆ ଶୃଙ୍ଖଳା ବି ପୋଛିନେଲା

ଖ୍ରିଷ୍ଟଚର୍ଚ୍ଚ: ଚଳିତ ୨୦୧୭ ଶେଷଭାଗ ବିଶେଷକରି େଓ୍ଵଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଏହି ଦଳ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଖେଳିଥିଲେ ବି ଗୋଟିଏ ହେଲେ ବିଜୟ ପାଇଲାନି। ପ୍ରଥମେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ମୂଳପୋଛ ହେବା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ମଧ୍ୟ ବିଜୟ ଶୂନ୍ୟ ରହି ଗସ୍ତ ଶେଷ କଲା। ଘରୋଇ ନ୍ୟୁଜିଲାଣ୍ଡ୍‌ ଟେଷ୍ଟ ଭଳି ଦିନିକିଆ ଶୃଙ୍ଖଳାକୁ ବି ମୂଳପୋଛ କରିନେଲା। ଫଳରେ ୫ଟିଯାକ ମ୍ୟାଚ୍‌ (୨ ଟେଷ୍ଟ ଓ ୩ ଦିନିକିଆ) ଜିତି ନ୍ୟୁଜିଲାଣ୍ଡ ୫-୦ ବିଜୟ ପାଇଲା।
ମଙ୍ଗଳବାର ବକ୍ସିଂ ଡେ’ରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ବର୍ଷା ବାଧା ସୃଷ୍ଟି କରିଥିଲା। ଫଳରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ୍‌ ୨୩ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୩୧ ରନ୍‌ କରିଥିଲା ବେଳେ ପାଳି ଶେଷ ହୋଇଥିଲା। ରସ୍‌ ଟେଲର ଅପରାଜିତ ୪୭, ଅଧିନାୟକ ଟମ୍‌ ଲାଥାମ୍‌ ୩୭, କଲିନ୍‌ ମୁନ୍‌ରୋ ୨୧ ଓ ମାର୍କ ନିକୋଲ୍‌ସ ଅପରାଜିତ ୧୮ ରନ୍‌ କରିଥିଲେ। ଏହାପରେ ବର୍ଷା (ଡକ୍‌ଓ୍ଵର୍ଥ-ଲୁଇସ୍‌-ଷ୍ଟର୍ନ) ନିୟମ ଅନୁଯାୟୀ େଓ୍ଵଷ୍ଟଇଣ୍ଡିଜ୍‌ ଆଗରେ ୨୩ ଓଭରରୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଘରୋଇ ଦଳର ଦୁଇ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଓ ମ୍ୟାଟ୍‌ ହେନ୍‌ରିଙ୍କ ସାଙ୍ଗକୁ ସ୍ପିନର ମିଚେଲ ସାଣ୍ଟ୍‌ନର୍‌ ଜବରଦସ୍ତ ବୋଲିଂ କରି ଇଣ୍ଡିଜ୍‌ ଦଳକୁ ବିଜୟ ସୁଯୋଗ ଦେଇନଥିଲେ। ବୋଲ୍‌ଟ (୫-୦-୧୮-୩) ହାଗ୍‌ଲେ ଓଭାଲ୍‌ ପଡ଼ିଆରେ ନ୍ୟୁଜିଲାଣ୍ଡ୍‌ ବୋଲର ଭାବେ ଦ୍ୱିତୀୟ ଶ୍ରେଷ୍ଠ ଦିନିକିଆ ବୋଲିଂ ଚିତ୍ର ପାଇଥିଲା ବେଳେ ହେନ୍‌ରି (୫-୧-୧୮-୨) ଏବଂ ସାଣ୍ଟ୍‌ନର୍‌ (୫-୦-୧୫-୩) ଘାତକ ସାବ୍ୟସ୍ତ ହୋଇଥିଲେ। ଭ୍ରମଣକାରୀ ଦଳରେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ସାମିଲ ଥିଲେ ମଧ୍ୟ କିଛି କରିପାରିନଥିଲେ। ଫଳରେ େଓ୍ଵଷ୍ଟଇଣ୍ଡିଜ୍‌ ୨୩ ଓଭରରେ ୯ ଓ୍ଵିକେଟ୍‌ ହରାଇ ୯୯ ରନ୍‌ରେ ଅଟକି ଯାଇଥିଲା। ଏଥି ସହିତ ଦିନିନିଆ ଶୃଙ୍ଖଳାକୁ ୦-୩ରେ ହାରି ଭଙ୍ଗା ମନ ନେଇ ନ୍ୟୁଜିଲାଣ୍ଡ୍‌ ଗସ୍ତ ଶେଷ କଲା। ରସ୍‌ ଟେଲର ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ।

ସମ୍ବନ୍ଧିତ ଖବର