ଅଦାଲତ ଅବମାନନା ଏଡ଼ାଇବାକୁ ସ୍କୁଲ୍‌, କଲେଜ, କ୍ଲବ୍‌ଗୁଡ଼ିକୁ କଟାଯାଇଛି: ଆଶୀର୍ବାଦ

କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ନୂଆ ସମ୍ବିଧାନରୁ ସ୍କୁଲ୍‌, କଲେଜ, କ୍ଲବ୍‌ଗୁଡ଼ିକୁ କଟାଯିବା ଛଡ଼ା ରାଜ୍ୟ ସଂଘ ପାଖରେ କିଛି ବିକଳ୍ପ ନଥିଲା। ଲୋଧା ସୁପାରିସ୍‌ ଅନୁସାରୋ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ କୋଲ୍‌କାତା ଓ ମୁମ୍ବାଇର ଦୁଇଟି କ୍ଲବ୍‌କୁ ସଦସ୍ୟତା ହରାଇବାକୁ ପଡ଼ିଛି। ହେଲେ ଓସିଏ କ୍ଷେତ୍ରରେ କ୍ଲବ୍‌, ସ୍କୁଲ୍‌, କଲେଜଗୁଡ଼ିକୁ ସଦସ୍ୟ ରଖାଯିବା ଉପରେ ବିସିସିଆଇକୁ ୪ ଥର ସ୍ପଷ୍ଟିକରଣ ଲୋଡ଼ାଯାଇଥିଲା। କିଛି ଜବାବ ନମିଳିବାରୁ ଅଦାଲତ ଅବମାନନା ଏଡ଼ାଇବାକୁ ଆମେ ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ କାଟିବାକୁ ବାଧ୍ୟ ହୋଇଥିଲୁ ବୋଲି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କାହିଁକି ଏମାନଙ୍କୁ ସଦସ୍ୟତାରୁ କଟାଗଲା ତାହା ଉପରେ ସବୁ ତଥ୍ୟ ଦେବାକୁ ଆମେ ରାଜି ଅଛୁ। ଯାହା ବି ହୋଇଛି ସବୁଥିରେ କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଦସ୍ତଖତ ଦେଇଛନ୍ତି। ମୋ’ଠାରୁ ଯେତେବେଳେ ଯାହା ପରାମର୍ଶ ଲୋଡ଼ା ଯାଇଛି, ମୁଁ ଦେଇଛି। କାର୍ଯ୍ୟକାରୀ ସମିତି ଏବଂ ଏହାର ଅଧ୍ୟକ୍ଷଙ୍କୁ ମୁଁ କୌଣସିଭାବେ ଭୁଲ ମାର୍ଗଦର୍ଶନ ଦେଇନାହିଁ। ପୂର୍ବତନ ସମ୍ପାଦକ ଭାବେ ମୁଁ ଓଡ଼ିଶା କ୍ରିକେଟର୍‌ ବୃହତର ସ୍ୱାର୍ଥ ଦୃଷ୍ଟିରୁ କାମ କରିଛି। ସଦସ୍ୟତା କଟିବା ପଛରେ ଅଯଥାରେ ମୋ’ ନାମକୁ ଟଣା ଯାଉଛି ବୋଲି ଆଶୀର୍ବର୍ାଦ କହିଛନ୍ତି। ସ୍କୁଲ୍‌, କଲେଜ, କ୍ଲବ୍‌ମାନଙ୍କୁ ନେଇ ଓସିଏ ଗଢା ହୋଇଥିଲେ ବି ଅଦାଲତଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିବ। କୌଣସି ସଦସ୍ୟଙ୍କର କିଛି ଆପତ୍ତି ଥିଲେ ସେମାନେ ଆଇନଗତ ପଦକ୍ଷେପ ନେଇପାରନ୍ତି, ଏଥିରେ ଓସିଏ ଆଇନ ପରାମର୍ଶଦାତା ତାଙ୍କୁ ସବୁପ୍ରକାରର ସହାୟତା କରିବେ ବୋଲି ଆଶୀର୍ବାଦ କହିଛନ୍ତି।

ସମ୍ବନ୍ଧିତ ଖବର