ନିର୍ବାଚନ ପର୍ଯ୍ୟନ୍ତ ଋଣରେ ଚାଲିବ ଓସିଏ

କଟକ: ଓଡ଼ିଶା କ୍ରିକେଟ ସଂଘର ନିର୍ବାଚନ ହେଲେ ବାକି ରହିଥିବା ଅନୁଦାନଗୁଡ଼ିକ ବିସିସିଆଇଠୁ ମିଳିଯିବ। ହେଲେ ନିର୍ବାଚନ ହେଲାବେଳକୁ ପ୍ରାୟତଃ ଅକ୍ଟୋବର କିମ୍ବା ନଭେମ୍ବର ମାସ ହୋଇଯିବ। ଏହାର କିଛି ଦିନ ଆଗରୁ ବୋର୍ଡର ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି। ତେଣୁ ପ୍ରଶିକ୍ଷଣ ଶିବିର, ଖେଳାଳି ପଠାଯିବା, ଅନ୍ୟାନ୍ୟ ଉପକରଣ କିଣାଯିବା, ପଡ଼ିଆ ପ୍ରସ୍ତୁତି ଓ ମ୍ୟାଚ୍‌ ଆୟୋଜନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ। ଯେହେତୁ ଲୋଧା ସମିତିର ହସ୍ତକ୍ଷେପ ଯୋଗୁଁ ଓସିଏକୁ ୨୦୧୬ ମସିହାଠୁ ଅନୁଦାନ ମିଳିନାହିଁ, ତେଣୁ ଖେଳ ପରିଚାଳନା ଓ ଖେଳାଳି ଚୟନ ପ୍ରକ୍ରିୟା ସେବେଠୁ ମାନ୍ଦା ପଡ଼ିଯାଇଛି। ଏପରିକି ଜାତୀୟ ପ୍ରତିଯୋଗିତାକୁ ଆୟୋଜନ ନକରି ଅନ୍ୟ ରାଜ୍ୟକୁ ଏହାର ଅଧିକାର ଦେବାକୁ ପଡ଼ିଥିଲା। ଯେପର୍ଯ୍ୟନ୍ତ ନିର୍ବାଚନ ନହୋଇଛି ଏଭଳି ଅଚଳାବସ୍ଥା ଲାଗିରହିବ ବୋଲି କୁହାଯାଇଛି। ଯଦିଓ ଏବେ ନିର୍ବାଚନ ନେଇ ପଥ ପରିସ୍କାର ହୋଇଯାଇଛି, ତଥାପି ଖେଳ ଓ ଖେଳାଳି ପରିଚାଳନା କରିବା ପାଇଁ ବ୍ୟାଙ୍କ ଋଣ ଉପରେ ନିର୍ଭର କରିବାକୁ ପଡିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆସିବା ପରେ ଶନିବାର ଓସିଏ ପରିଚାଳନା ସମିତି ପକ୍ଷରୁ ଡକାଯାଇଥିବା ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ସୁଦ୍ଧା ସମସ୍ତ ଶିବିର ଓ ଓସିଏ ଘରୋଇ ପ୍ରତିଯୋଗିତା ଆୟୋଜନକୁ ବାକିରେ ଆୟୋଜନ କରାଯାଉଥିଲା। ନିର୍ବାଚନ ପରେ ମିଳିବାକୁ ଥିବା ଅନୁଦାନ ଅର୍ଥରୁ ସେସବୁ ଭରଣା କରାଯିବ ବୋଲି ଆଲୋଚନା ହୋଇଛି। ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ଓସିଏର ସମ୍ବିଧାନ କିପରି କରାଯିବ ସେ ନେଇ ନିଷ୍ପତ୍ତି ଠିକ୍‌ ହୋଇପାରିନଥିଲା। ଯେପର୍ଯ୍ୟନ୍ତ ବିସିସିଆଇରୁ ସମ୍ବିଧାନ ରୂପରେଖ ବାବଦରେ ତଥ୍ୟ ନଆସିବ, ସେଯର୍ପ୍ୟନ୍ତ କିଛି କହିହେବ ନାହିଁ। ସମ୍ବିଧାନ ଆସିଗଲେ ନୀତି ନିୟମଗୁଡ଼ିକୁ ସାଧାରଣ ପରିଷଦ ବୈଠକରେ ତାହାକୁ ଗୃହୀତ କରାଯିବ। ସେସବୁକୁ ଅନୁମୋଦନ କରାଯିବା ପରେ ଓସିଏର ଏକ ସମ୍ବିଧାନ ସମିତି ଗଠନ କରାଯିବ। ୩୦ ଦିନ ମଧ୍ୟରେ ନୂଆ ସମ୍ବିଧାନକୁ ବିସିସିଆଇ ପ୍ରଶାସନିକ ସମିତି ନିକଟକୁ ପଠାଯିବ। ସେଠାରୁ ସବୁଜ ସଙ୍କେତ ମିଳିଲେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ପ୍ରାୟତଃ ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ନିର୍ବାଚନ ହୋଇଯାଇପାରେ ବୋଲି କୁହାଯାଇଛି। ଏହି ବୈଠକରେ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ, ଆବାହକ ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦନ ଦାସ, ରବିଶଙ୍କର ପ୍ରତିହାରୀ, ସରୋଜ ସାହୁ, ସିଇଓ ବିଦ୍ୟୁତ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର