ଓସିଏ ନିର୍ବାଚନ: ଓସିଏ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ

ଆଜିଠୁ ସ୍କୁଲ୍‌, କଲେଜ ଭୋଟ ପାଇଁ ପ୍ରଚାର

କଟକ: ଓସିଏ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପୂର୍ବାନୁମାନ ଅନୁସାରେ ସମସ୍ତ ପ୍ରାର୍ଥିତ୍ବ କାଏମ୍‌ ରହିଛି। ଯୁଗ୍ମ ସମ୍ପାଦକ ପଦବି ପାଇଁ ସ˚ଜୟ ବେହେରାଙ୍କ ଗୋଷ୍ଠୀର ପ୍ରଭାତ କୁମାର ଭୋଳ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ଯାହାଫଳରେ ଏହି ଗୋଷ୍ଠୀରୁ ଝାରସୁଗୁଡ଼ାର ମେହେତାବ ଖାନ୍‌ ବିପକ୍ଷ ଗୋଷ୍ଠୀର ସୁଜିତ କୁମାର ପ୍ରଧାନଙ୍କ ବିପକ୍ଷରେ ଲଢେଇ କରିବେ। ଚୂଡ଼ାନ୍ତ ତାଲିକା ପରେ ସମସ୍ତ ପ୍ରାର୍ଥୀ ୩ ବର୍ଷ ପାଇଁ ଲଢୁଥିବା ବେଳେ ସଭାପତି ପ୍ରାର୍ଥୀ ପ୍ରଦୀପ ଚୌହାନ ୧୦ ମାସ ୯ ଦିନ ପାଇଁ ଏବ˚ ସମ୍ପାଦକ ପ୍ରାର୍ଥୀ ନବର˚ଜନ ପଟ୍ଟନାୟକ ୨ ବର୍ଷ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ଯଦି ଏମାନେ ନିର୍ବାଚନରେ ବିଜୟୀ ହୁଅନ୍ତି ତାହେଲେ ବଳକା ସମୟ ପାଇଁ ପୁଣି ଥରେ ନିର୍ବାଚନ ହେବ ବୋଲି କୁହାଯାଇଛି।

ତଥାପି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଅଧିକ ତତ୍ପର ହୋଇ ଉଠିଛନ୍ତି। ଭୋଟରମାନଙ୍କୁ ନିଜ ପଟକୁ ଆଣିବା ପାଇଁ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି। ତେବେ ହାତରେ ଆଉ ୪ ଦିନ ସମୟ ଥିବାରୁ ସୋମବାରଠୁ ସ୍କୁଲ୍‌, କଲେଜ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଭୋଟ ପାଇଁ ପ୍ରଚାର ଲକ୍ଷ୍ୟ ରଖାଯାଇଛି। କ୍ଲବ୍‌ ଓ ଜିଲ୍ଲାମାନଙ୍କ ମଧ୍ୟରୁ କିଏ କେଉଁ ଗୋଷ୍ଠୀ ପକ୍ଷରେ ଯିବେ ତାହା ଆପତତଃ ସ୍ପଷ୍ଟ ହୋଇଯାଉଥିବା ବେଳେ ସ୍କୁଲ୍‌ ଓ କଲେଜମାନେ ଏବେ ପ୍ରମୁଖ ଭୂମିକା ନେବେ। କଟକରେ ବୋସ୍‌କୁ ମିଶାଇ ମୋଟ ୧୧ ସ୍କୁଲ୍‌ ଓ ୩ ମହାବିଦ୍ୟାଳୟ (ରେଭେନ୍ସା ବିଶ୍ବବିଦ୍ୟାଳୟ ବାଦ୍‌) ଭୋଟ ବ୍ୟବଧାନରେ ବଡ଼ ପାର୍ଥକ୍ୟ ରଖୁଛି। ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଅତିକମ୍‌ରେ ୩୭ ଭୋଟ ଆବଶ୍ୟକ। ଏପରିସ୍ଥଳେ ସ୍କୁଲ୍‌, କଲେଜମାନଙ୍କରୁ ୧୪ ଭୋଟ ମଧ୍ୟରୁ ପ୍ରତ୍ୟେକ ଭୋଟ ଉଭୟ ଗୋଷ୍ଠୀଙ୍କ ପାଇଁ ମୂଲ୍ୟବାନ। ଏପରିସ୍ଥଳେ କିଏ ଏମାନଙ୍କୁ ନିଜ ପଟକୁ ଆଣିବାରେ ସଫଳ ହେଉଛନ୍ତି ତାହାକୁ ଅପେକ୍ଷା କରିବାକୁ ରହିଲା। ଗୋଟିଏ ପଟରେ ସ˚ଜୟ ବେହେରାଙ୍କ ଗୋଷ୍ଠୀ, ପୂର୍ବ ବର୍ଷ ମାନଙ୍କରେ ସ୍କୁଲ୍‌ କଲେଜକୁ ଦିଆଯାଉଥିବା ସୁବିଧା ବିଷୟରେ ବୁଝାଇ ମନାଇବାକୁ ଚେଷ୍ଟା କରୁଥିବା ବେଳେ ପ୍ରଦୀପ ଚୌହାନଙ୍କ ଗୋଷ୍ଠୀ ସେମାନଙ୍କୁ ଓସିଏ ସମ୍ବିଧାନକୁ ଫେରାଇ ଆଣିବା ଘଟଣାକୁ ଇସ୍ତାହାର କରିଛନ୍ତି।

କିଛି ଦିନ ପୂର୍ବରୁ କଟକ ଜିଲ୍ଲା କ୍ରୀଡ଼ା ସ˚ସଦ ସାଧାରଣ ବୈଠକରେ ଓସିଏ ସମ୍ବିଧାନ ପ୍ରସଙ୍ଗର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଦେଇଥିଲା। କଟକର ଯେଉଁ କ୍ଲବ୍‌, ସ୍କୁଲ୍‌, କଲେଜକୁ ଓସିଏ ସମ୍ବିଧାନରୁ ବାଦ୍‌ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକା˚ଶ ଉକ୍ତ ବୈଠକରେ ଯୋଗଦେବାକୁ ଆସିନଥିଲେ। ତେଣୁ ଏଠାରେ ସଦସ୍ୟମାନଙ୍କର ଅସନ୍ତୋଷ ବାରି ହୋଇପଡ଼ୁଥିଲା। ଏହାସତ୍ତ୍ବେ କିଛି ସଦସ୍ୟଙ୍କ କର୍ମଚାରୀ ଏବେ ବି ବିପକ୍ଷ ଗୋଷ୍ଠୀଙ୍କ ସ˚ପର୍କରେ ଅଛନ୍ତି। ଯେଉଁଥିପାଇଁ ଦୁଇ ଗୋଷ୍ଠୀ ନିଜ ପଟରେ ସ୍କୁଲ୍‌, କଲେଜଗୁଡ଼ିକରୁ ଅର୍ଧାଧିକ ସମର୍ଥନ ରହିଥିବା ଦାବି କରିଆସୁଛନ୍ତି। ତେଣୁ ଏହି ୧୪ ଭୋଟ୍‌ର ଉଭୟ ପକ୍ଷଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ଏଥିପାଇଁ ଏମାନଙ୍କ ପାଖରୁ ଯେତେ ଅଧିକ ସମର୍ଥନ ନିଜ ପକ୍ଷରେ ଆଣି ହେବ ସେଥିପାଇଁ ପ୍ରାର୍ଥୀମାନଙ୍କୁ ନୂଆ ନୂଆ କୌଶଳ ଅପଣାଇବାକୁ ହେବ।

ସମ୍ବନ୍ଧିତ ଖବର