ଓସିଏ ସମ୍ବିଧାନ ବିବାଦ: ଆଶୀର୍ବାଦ ଏକଘରିଆ

ଅସନ୍ତୁଷ୍ଟ ଗୋଷ୍ଠୀ ବିସିସିଆଇ ଦ୍ୱାରସ୍ଥ

କଟକ: ଶୁକ୍ରବାର ଓଡ଼ିଶା କ୍ରିକେଟ୍‌ ସଂଘର ନୂତନ ସମ୍ବିଧାନ ଅନୁସାରେ ସଦସ୍ୟତା ହରାଉଥିବା ସ୍କୁଲ୍‌, କଲେଜ, କ୍ଲବ୍‌ମାନଙ୍କର ବୈଠକ ଆଲୋଚନାର ପ୍ରସ୍ତାବକୁ ବିସିସିଆଇ ନିକଟକୁ ପଠାଯାଇଛି। ବିସିସିଆଇ ଏହି ପ୍ରସ୍ତାବକୁ ଗ୍ରହଣ କରୁଛି କି ନାହିଁ ତାହା ୨୫ ତାରିଖ ବେଳକୁ ଜଣାପଡ଼ିବ। ତେବେ ଓସିଏ କାର୍ଯ୍ୟକଳାପରେ ଏଜିଏମ୍‌ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ କେଉଁ ଆଧାରରେ ସ୍କୁଲ୍‌, କଲେଜ, କ୍ଲବ୍‌ମାନଙ୍କୁ ବାହାର କରାଗଲା ବୋଲି ପୁଣି ଥରେ ପ୍ରଶ୍ନ କରାଯାଇଛି। ଯଦି କୋର୍ଟଙ୍କ ନିର୍ଦେଶ ଅନୁସାରେ ଏମାନଙ୍କୁ କାଟି ଦିଆଗଲା, ତାହେଲେ କିଟ୍‌ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ନୂଆ ସଦସ୍ୟ ଭାବେ ଯୋଡ଼ାଯିବାକୁ କିଏ ଅଧିକାର ଦେଲା ବୋଲି ପଚରାଯାଇଛି। ଏଜିଏମ୍‌ ଓସିଏର ପ୍ରତିଷ୍ଠାତା ହୋଇଥିଲା ବେଳେ ସେମାନଙ୍କୁ ଅଣଦେଖା କରି କାହାକୁ ରଖାଯିବ, କାହାକୁ କଢାଯିବ ସେ ନିଷ୍ପତ୍ତି ନେବା ଅଧିକାର ପରିଚାଳନା ସମିତି ପାଖରେ ନାହିଁ ବୋଲି ଜଣାଇ ଦିଆଯାଇଛି। ବୈଠକର ପ୍ରସ୍ତାବଗୁଡ଼ିକୁ ବିସିସିଆଇ ସିଇଓ ରାହୁଲ ଜୋହରି, ପ୍ରଶାସନିକ ସମିତି ଅଧ୍ୟକ୍ଷ ବିନୋଦ ରାଓ, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ନିକଟକୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ ସ୍କୁଲ୍‌, କଲେଜ, କ୍ଲବ୍‌ ସବୁ ଏକାଠି ହୋଇଯାଇଥିବାରୁ ଓଡ଼ିଶା କ୍ରିକେଟର କ୍ଷମତା କେନ୍ଦ୍ର କୁହାଯାଉଥିବା ଆଶୀର୍ବାଦ ବେହେରା ଏବେ ଏକଘରିଆ ହୋଇଯାଇଛନ୍ତି। ରବିବାର ନିଜ ସପକ୍ଷରେ ସଫେଇ ଦେବା ପାଇଁ ଓସିଏ କ୍ଲବ୍‌ରେ ଏକ ବୈଠକ ଡାକିଥିଲା ବେଳେ ମାତ୍ର ୩/୪ ଜଣ କ୍ଲବ୍‌ ସଦସ୍ୟଙ୍କୁ ଛାଡ଼ିଦେଲେ ଆଉ କେହି ଆସିନଥିଲେ। ଯେଉଁମାନେ ବି ଆସିଥିଲେ, ସେମାନେ ଆଶୀର୍ବାଦଙ୍କଠୁ ବିସିସିଆଇ ସହିତ ପୂର୍ବରୁ ହୋଇଥିବା ବିଭିନ୍ନ ଚିଠିର ନକଲକୁ ନେଇ ଚାଲିଯାଇଥିଲେ। କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କୁ ସମ୍ବିଧାନରୁ କାଟି ଦିଆଯାଇଥିବାରୁ ସେମାନେ ଅଭିମାନ କରିଛନ୍ତି ବୋଲି ଆଶୀର୍ବାଦ କହିଛନ୍ତି। ହେଲେ ଯେଉଁମାନଙ୍କୁ ନେଇ ପୂର୍ବରୁ ଆଶୀର୍ବାଦ ବଳିୟାନ ହୋଇଥିଲେ, ଏବେ ସେମାନେ ତାଙ୍କ ଚରମ ଶତ୍ରୁ ପାଲଟିଛନ୍ତି। ଦିନରାତି ଆଶୀର୍ବାଦଙ୍କ ଚାରିପଟେ ଜଗି ରହୁଥିବା ଲୋକ, ଏବେ ତାଙ୍କର ପଦେ କଥା ଶୁଣିବା ପରିସ୍ଥିତିରେ ନାହାନ୍ତି। ସେହିପରି ଆଗରୁ ଯେଉଁମାନେ ଆଶୀର୍ବାଦଙ୍କ କଥାରେ ହଁ ଭରି ଦେଉଥିଲେ ଓ ବିନା କୌଣସି ପ୍ରତିବାଦରେ ସମର୍ଥନ ଜଣାଇ ଦେଉଥିଲେ, ସେମାନେ ଆଜି ଏକାଠି ହୋଇ ଆଶୀର୍ବାଦଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ସଂପୂର୍ଣ୍ଣ ଏକଘରିଆ ହୋଇଯାଇଥିବା ଆଶୀର୍ବାଦ କିନ୍ତୁ ନିଜ ଉପରୁ ଆତ୍ମବିଶ୍ୱାସ ହରାଇନାହାନ୍ତି। କ’ଣ ପାଇଁ ସଦସ୍ୟତା କଟାଗଲା ଓ ତାଙ୍କୁ ଆସୋସିଏଟ୍‌ ସଦସ୍ୟ ରଖାଗଲା, ତାହା ଜାଣିବା ପରେ କ୍ଲବ୍‌ମାନେ ତାଙ୍କ ପ୍ରତି ଅସନ୍ତୁଷ୍ଟ ହେବେନି ବୋଲି ସେ ରବିବାର ଦୃଢ ଭାବେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖରେ ଓସିଏ ପଠାଇଥିବା ସମ୍ବିଧାନରେ ୩୦ ଜିଲ୍ଲା ସହିତ ଭୁବନେଶ୍ୱର, ରାଉରକେଲା, କିଟ୍‌, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟଙ୍କୁ ପୂର୍ଣ୍ଣ ସଦସ୍ୟତା ଦର୍ଶାଯାଇଥିଲା। ଯେଉଁମାନଙ୍କର ସଦସ୍ୟତା କଟିଯାଉଛି ସେମାନେ ଆସୋସିଏଟ୍‌ ସଦସ୍ୟ ରହିବେ ବୋଲି କୁହାଯାଇଥିଲା। ହେଲେ ବିନା ଏଜିଏମ୍‌ କିମ୍ବା ସମ୍ବିଧାନ ସଂଶୋଧନ ସମିତି ପରାମର୍ଶ ବିନା ସମ୍ବିଧାନ ପ୍ରସ୍ତୁତ ହେବା ଏବଂ ପ୍ରତିଷ୍ଠାତା ସଦସ୍ୟମାନଙ୍କୁ କାଟି ଦିଆଯିବା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ଆଣି ସ୍କୁଲ୍‌, କଲେଜ ଓ କ୍ଲବ୍‌ର କର୍ମକର୍ତ୍ତାମାନେ ଓସିଏ ବିରୋଧୀ ସ୍ୱର ଉଠାଇଥିଲେ। ଆସନ୍ତା ୨୫ ତାରିଖରେ ରାଜ୍ୟର ସମ୍ବିଧାନଗୁଡ଼ିକୁ ଯାଞ୍ଚ ହେବା ପରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଅଭିଯୋଗକୁ ବିସିସିଆଇ ଗ୍ରହଣ କଲା କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର