ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ଅପେକ୍ଷା କରିଛି ଓସିଏ

ଆନ୍ତର୍ଜାତିକ କ୍ରିକେଟରଙ୍କୁ ଭୋଟ୍‌ ଅଧିକାର ପ୍ରସଙ୍ଗ

କଟକ: ଓଡ଼ିଶା କ୍ରିକେଟ ସଂଘ ନିର୍ବାଚନରେ ଆନ୍ତର୍ଜାତିକ କ୍ରିକେଟରମାନେ ସୁଯୋଗ ପାଇବେ। ଗତ ତିନି ଦିନ ତଳେ ବିସିସିଆଇର ପ୍ରଶାସନିକ ସମିତି (ସିଓଏ) ସମସ୍ତ ରାଜ୍ୟ ସଂଘକୁ ଏପ୍ରକାର ବିଜ୍ଞପ୍ତି ପଠାଇଥିଲା। ସମସ୍ତ ଆନ୍ତର୍ଜାତିକ କ୍ରିକେଟରମାନେ ସେମାନଙ୍କ ରାଜ୍ୟ ସଂଘ ନିର୍ବାଚନରେ ଭୋଟ ଦେବାକୁ ଅଧିକାର ପାଇବେ ବୋଲି କୁହାଯାଇଥିଲା। ହେଲେ ଓସିଏ ପକ୍ଷରୁ ଏହି ବିଜ୍ଞପ୍ତିକୁ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି। ଯେପର୍ଯ୍ୟନ୍ତ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିନାହାନ୍ତି, ସେପର୍ଯ୍ୟନ୍ତ ସିଓଏର ବିଜ୍ଞପ୍ତି ଗ୍ରହଣଯୋଗ୍ୟ ହେବ ନାହିଁ ବୋଲି ପରିଚାଳନା ସମିତିର ଜଣେ ସଦସ୍ୟ କହିଛନ୍ତି। ଏପର୍ଯ୍ୟନ୍ତ ଓସିଏର ନୂଆ ସମ୍ବିଧାନ ପ୍ରସ୍ତୁତ ହୋଇନାହିଁ। ସବୁକିଛି ଘଟଣା ଉପରେ ଓସିଏ ନଜର ରଖିଛି। ଲୋଧା ସମିତିର ସୁପାରିସ ମାନିବାରେ କୌଣସି ଆପତ୍ତି ନାହିଁ। କିନ୍ତୁ ଏବେବି କିଛି ପଏଣ୍ଟ ଉପରେ ସ୍ପଷ୍ଟ କରାଯାଇପାରିନାହିଁ। ଏଭଳିସ୍ଥିତିରେ ଆନ୍ତର୍ଜାତିକ କ୍ରିକେଟରଙ୍କୁ ପୁଣି ଭୋଟ ଅଧିକାର ଦିଆଯିବା ଉପରେ ତରବରିଆ ନିଷ୍ପତ୍ତି ନିଆଯିବା ଠିକ୍‌ ହେବନାହିଁ। ତେଣୁ ଯେପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟ ଭୋଟ ଅଧିକାର ବିଷୟରେ ସ୍ପଷ୍ଟ କରିନାହାନ୍ତି, ସେପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ପ୍ରତିକ୍ରିୟା ଦେଇଛନ୍ତି।
ସୂଚନାରୁ ପ୍ରକାଶ ଯେ ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ଭାରତକୁ ପ୍ରତିନିଧିତ୍ୱ କରିସାରିଛନ୍ତି। ପୁରୁଷଙ୍କ ମଧ୍ୟରେ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଂଜୟ ରାଉଳ ଏବଂ ମହିଳାରେ ରୋସନାରା ପରବିନ୍‌, ମାଧୁରୀ ମେହେଟ୍ଟା ଓ ସ୍ୱାଗତିକା ରଥ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଛନ୍ତି। ବର୍ତ୍ତମାନ ସୁଦ୍ଧା ଓସିଏରେ ଅଲିମ୍ପିକ୍‌ ସଂଘ, ରାଜ୍ୟ କ୍ରୀଡ଼ା ପରିଷଦ, ପୁଲିସ୍‌ ମହାନିର୍ଦେଶକ, ଉଚ୍ଚଶିକ୍ଷା ନିର୍ଦେଶକଙ୍କ ଏକ୍ସ-ଅଫିସିଓ ଭାବେ ଏକକ ସଦସ୍ୟତା ଭୋଟଦାନ ଅଧିକାର ରହିଛି। ଯଦି କ୍ରିକେଟରମାନଙ୍କୁ ବ୍ୟକ୍ତିଗତ ଭୋଟଦାନ ଅଧିକାର ମିଳିଯାଏ, ତାହେଲେ ଏକକ ଭୋଟ ସଂଖ୍ୟା ୧୦ରେ ପହଞ୍ଚିଯିବ। ହେଲେ ବର୍ତ୍ତମାନସୁଦ୍ଧା ସମ୍ବିଧାନ ପ୍ରସ୍ତୁତ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ଓଡ଼ିଶାର ଆନ୍ତର୍ଜାତିକ କ୍ରିକେଟର ମାନେ ଭୋଟ ଦେବା ଅଧିକାର ପାଇବେ କି ନାହିଁ ତାହା ଏବେବି ଅନ୍ଧାରରେ ରହିଛି।

ସମ୍ବନ୍ଧିତ ଖବର