ବିନା ଏଜିଏମ୍‌ରେ ଓସିଏ ସମ୍ବିଧାନ

ପରିଚାଳନା ସମିତି ସଦସ୍ୟ ବି ଜାଣିପାରିଲେନି, ଗୋପନୀୟ ସମ୍ବିଧାନ ମଙ୍ଗଳବାର ବିସିସିଆଇକୁ ପଠାଯାଇଛି

କଟକ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଓଡ଼ିଶା କ୍ରିକେଟ ସଂଘ (ଓସିଏ) ତାହାର ନୂଆ ସମ୍ବିଧାନକୁ ବିସିସିଆଇ ପ୍ରଶାସନିକ ସିମିତି ନିକଟକୁ ପଠାଇଛି। ସମ୍ବିଧାନରେ କୌଣସି ବିଶେଷ ପରିବର୍ତ୍ତନ ହୋଇନଥିବା କୁହାଯାଇଛି। ବିସିସିଆଇ ପକ୍ଷରୁ ପ୍ରସ୍ତୁତ ସମ୍ବିଧାନ ପରି ଏହି ସମ୍ବିଧାନର ନିୟମାବଳୀକୁ ସମାନ ରଖାଯାଇଛି। କୋର୍ଟଙ୍କ ନିର୍ଦେଶ ମୁତାବକ ସମ୍ବିଧାନ ତିଆରି ହୋଇଥିବା ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି। ହେଲେ ବିସିସିଆଇର ନିୟମାବଳୀ ରାଜ୍ୟ ସଂଘର କ୍ଲବ୍‌, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ସହିତ କିପରି ମେଳ ଖାଇବ ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଓସିଏର ନୂଆ ସମ୍ବିଧାନ ପ୍ରସ୍ତୁତ କରାଇବା ପାଇଁ ସମିତି ଅଧ୍ୟକ୍ଷ ସଂପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରିଥିଲେ। ଏପରିକି ପରିଚାଳନା ସମିତିର ଅନ୍ୟ ୪ ସଦସ୍ୟ ଏପର୍ଯ୍ୟନ୍ତ, ସମ୍ବିଧାନ କ’ଣ, କେମିତି ହୋଇଛି, ପଞ୍ଜିକରଣ କେବେ ହେଲା, ବିସିସିଆଇକୁ କେବେ ପଠାହେଲା, ସେ ବିଷୟରେ କେହି ଜଣେ ବି କିଛି ଜାଣି ନାହାନ୍ତି। ସମସ୍ତେ ଏଜିଏମ୍‌ ବୈଠକ ଡକାଯିବାକୁ ଅପେକ୍ଷା କରିଛନ୍ତି। ହେଲେ ଏଜିଏମ୍‌ ଆଉ ଡକାଯିବ ନାହିଁ ବୋଲି ଅଧ୍ୟକ୍ଷ କହିବା ସହ ବୈଠକ ଡାକିବାକୁ ତାଙ୍କର ଆଉ ଅଧିକାର ନଥିବା ସଫେଇ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ପରିଚାଳନା ସମିତି ଅଧ୍ୟକ୍ଷ ଏକାକି ସମ୍ବିଧାନ ତିଆରି କରିବାକୁ କିପରି ନିଷ୍ପତ୍ତି ନେଇଗଲେ ବୋଲି ପ୍ରଶ୍ନ ଉଠୁଛି। ଅଧ୍ୟକ୍ଷ ଏକୁଟିଆ ସବୁ ବୁଝୁଥିଲେ ନା ତାଙ୍କୁ ପଛରୁ ଆଉ କେହି ପରିଚାଳନା କରାଉଥିଲା ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। କିଛି ଆଇନ୍‌ଜୀବୀଙ୍କୁ ଧରି ସମ୍ବିଧାନ ପ୍ରସ୍ତୁତ କରିଦେଲାପରେ ତାହାକୁ ବିସିସିଆଇକୁ ପଠାଇବା ପଛରେ କ’ଣ ରହସ୍ୟ ରହିଛି ତାହା ମଧ୍ୟ ବୁଝାପଡୁନାହିଁ। ଗତ ମାସ ୧୮ ତାରିଖରେ ନୂଆ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଓସିଏ କାର୍ଯ୍ୟାଳୟରେ ପରିଚାଳନା ସମିତି ବୈଠକ ବସିଥିଲା। ହେଲେ ବିସିସିଆଇ ସମ୍ବିଧାନ ଉପରେ ଆଉ କିଛି ସ୍ପଷ୍ଟିକରଣ ଲୋଡାଯାଇଥିବାରୁ ନୂଆ ସମ୍ବିଧାନକୁ କିଛି ଦିନ ସମୟ ଲାଗିପାରେ। ବିସିସିଆଇଠୁ ସ୍ପଷ୍ଟିକରଣ ଆସିଲେ ତାହାକୁ ଏଜିଏମ୍‌ରେ ଉପସ୍ଥାପନ କରାଯିବ ଓ ପାସ୍‌ କରାଯିବା ପରେ ନୂଆ ସମ୍ବିଧାନ ପ୍ରସ୍ତୁତ ହେବ ବୋଲି କୁହାଯାଇଥିଲା। ଅଗଷ୍ଟ ୨୦ ତାରିଖରେ ବିସିସିଆଇ ସମ୍ବିଧାନ ପଞ୍ଜିକରଣ ହୋଇଥିଲା। ଏହାପରେ ବି ଓସିଏ ପରିଚାଳନା ସମିତି କିମ୍ବା ଏଜିଏମ୍‌ ଡକାଗଲାନାହିଁ। ବୋର୍ଡ ସମ୍ବିଧାନରେ ସବୁକିଛି ସ୍ପଷ୍ଟ ଥିବାରୁ ଏହା ଉପରେ ଆଉ ଅଧିକ ଆଲୋଚନା ଆବଶ୍ୟକ ନଥିବା କୁହାଯାଇଥିଲା। ତେଣୁ ବିନାକୌଣସି ଆଲୋଚନାରେ ସମ୍ବିଧାନକୁ କିଭଳି ପ୍ରସ୍ତୁତ କରାଯାଇଛି? କିଏ ସଦସ୍ୟ ରହିବେ, କିଏ ମତଦାନ ଅଧିକାର ପାଇବ, ବିଭିନ୍ନ ପଦପଦବି, କର୍ମକର୍ତ୍ତାମାନଙ୍କ ମାନଦଣ୍ଡ ନିର୍ଧାରଣ ଇତ୍ୟାଦିକୁ ଦେଖିଲେ ଓସିଏ ଦୋଦୁଲ୍ୟମାନ ସ୍ଥିତିରେ ରହିଯିବ। ତେଣୁ ସମ୍ବିଧାନକୁ ବିସିସିଆଇ ପାଖକୁ ପଠାଇବା ପୂର୍ବରୁ ଏଜିଏମ୍‌ରେ ଏହାକୁ ସ୍ପଷ୍ଟ କରିବା ଉଚିତ୍‌ ଥିଲା। କିନ୍ତୁ ୨୦ ତାରିଖ ପରେ ଓସିଏ ସମ୍ବିଧାନ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ଧୀରେନ୍‌ ପଲେଇ କହିଛନ୍ତି। ତେଣୁ ଏଭଳିସ୍ଥିତିରେ ଏବେ ବି ଓସିଏରେ ଏକତରଫା ନୀତି ଜାରି ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର