ଓଡ଼ିଆ ପୁଅ ଏବେ ଦେଶର ଗୌରବ: ଟିଟି ଖେଳୁଥିଲେ, ଏବେ ୧ ନମ୍ବର ଉପକରଣ ବିତରକ

ଆଗକୁ ଭାରତକୁ ଅଧିକ ବ୍ରାଣ୍ଡ ଆଣିବାକୁ ଲକ୍ଷ୍ୟ: ମୋର୍ଯ୍ୟ

କଟକ: ଓଡ଼ିଆମାନେ ଏବେ ସାରା ଦେଶରେ ନିଜର ପ୍ରଭାବ ବିସ୍ତାର କଲେଣି। କଳା, ସ˚ସ୍କୃତି, ସାହିତ୍ୟ, କ୍ରୀଡ଼ା ଓ ବ୍ୟବସାୟ, ପ୍ରତ୍ୟେକ କ୍ଷେତ୍ରରେ ଏବେ ଓଡ଼ିଆ ପୁଅ ଆଗରେ ଅଛନ୍ତି। କଟକର ଏମିତି ଦୁଇ ଭାଇ ଏବେ ଭାରତର ଟେବୁଲ ଟେନିସ୍‌ (ଟିଟି) ଖେଳ ଉପକରଣ ଯୋଗାଣ କ୍ଷେତ୍ରରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଏମାନେ ହେଉଛନ୍ତି ସିଡିଏର ବାସିନ୍ଦା ସୌର୍ଯ୍ୟ ମୋଦୀ ଓ ମୌର୍ଯ୍ୟ ମୋଦୀ। ଖପୁରିଆଠାରେ ତାଙ୍କର ବ୍ୟବସାୟିକ କାର୍ଯ୍ୟାଳୟ ଡିଏନ୍‌ଏମ୍‌ ସ୍ପୋର୍ଟ୍ସ ଖୋଲିଥିବାବେଳେ ଏବେ ଏହା ସାରା ଦେଶରେ ୫୦୦ରୁ ଊର୍ଧ୍ବ ରିଟେଲର ଓ ଡିଷ୍ଟ୍ରିବ୍ୟୁଟରଙ୍କୁ ସପ୍ଲାଏ ଚେନ୍‌ ନେଟଵର୍କ ମାଧ୍ୟମରେ ଖେଳ ସାମଗ୍ରୀ ଯୋଗାଇ ଆସୁଛନ୍ତି। ଏପରିକି ଭାରତର ଶୀର୍ଷ ଟିଟି ଖେଳାଳିଙ୍କୁ ତାଙ୍କ କମ୍ପାନି ସ୍ପନସରସିପ୍‌ ଯୋଗାଇ ଦେଉଛି। କମ୍ପାନି ଆରମ୍ଭ ହୋଇଥିବା ବେଳେ ଏହାର ବଜାର ଅ˚ଶ ୫ ପ୍ରତିଶତରୁ କମ୍‌ ରହୁଥିଲା। କିନ୍ତୁ ଏବେ ଏହା ୪୦ ପ୍ରତିଶତରୁ ଅଧିକକୁ ବୃଦ୍ଧି ପାଇଛି।

ମୋଦୀ ଭାଇ ଦ୍ବୟ ପୂର୍ବରୁ ଓଡ଼ିଶାକୁ ପ୍ରତିନିଧିତ୍ବ କରି ଜାତୀୟସ୍ତରରେ ଟିଟି ଖେଳୁଥିଲେ। ଖେଳରେ ଅଧିକ ଆଗ୍ରହ ଥିବାରୁ ଧିରେଧିରେ ଉଭୟ ବ୍ୟବସାୟ ଆଡ଼କୁ ମନ ବଳାଇଥିଲେ। ଆମେରିକାରେ ଉଚ୍ଚଶିକ୍ଷା ଶେଷ କରିବା ପରେ ୨୦୦୯-୧୦ ମସିହାରେ ଜେଜେ ଦେବକୀନନ୍ଦନ ମୋଦୀଙ୍କ ନାମ ଅନୁସାରେ ଡିଏନ୍‌ଏମ୍‌ ସ୍ପୋର୍ଟ୍ସ ନାମରେ କମ୍ପାନି ଆରମ୍ଭ କରାଯାଇଥିଲା। ମାତ୍ର ଅଳ୍ପ କିଛି ଟଙ୍କାରେ ପାଖାପାଖି ୧୦ଟି ଷ୍ଟକ୍‌ କିପି˚ ୟୁନିଟ୍‌ରୁ ବ୍ୟବସାୟ ଆରମ୍ଭ କରାଯାଇଥିଲା। ଦେଶରେ ଟେବୁଲ ଟେନିସ୍‌ର ଭିତ୍ତିଭୂମି ଦୁର୍ବଳ ଥିବା ବେଳେ ପେସାଦାର ଖେଳାଳି ହେବା ପାଇଁ ଯେଉଁ ସବୁ ଉପକରଣ ଦରକାର ତାହାର ଅଭାବ ରହୁଥିଲା। ଏହାକୁ ଦୃଷ୍ଟିରେ ରଖି ଜର୍ମାନିର ତିଭର ବ୍ରାଣ୍ଡର ଉପକରଣକୁ ଏମାନେ ପ୍ରଥମେ ଭାରତରେ ପ୍ରବେଶ କରାଇଥିଲେ। ଏବେ ଏହା ଶ୍ରେଷ୍ଠ ତିନି ଖେଳ ସାମଗ୍ରୀ ଉପକରଣ ମଧ୍ୟରେ ଗଣାହେଉଥିବା ବେଳେ ର୍ୟାକେଟ ରବର ଯୋଗାଇବାରେ ଏହି କମ୍ପାନି ପ୍ରଥମ ସ୍ଥାନରେ ରହିଛି।

ଓଡ଼ିଶା ଟେବୁଲ ଟେନିସ ଦଳକୁ ଏହି କମ୍ପାନି ଖେଳ ଉପକରଣ ଯୋଗାଇ ଆସୁଥିବା ବେଳେ ମହାରାଷ୍ଟ୍ର ଓ ବେଙ୍ଗଲରେ ହେଉଥିବା ପେସାଦାର ଟିଟି ଲିଗ୍‌ରେ ବିଭିନ୍ନ ଦଳମାନଙ୍କ ସହିତ ମଧ୍ୟ ଏମାନେ ଜଡ଼ିତ ଅଛନ୍ତି। ଏପରିକି ମନିକା ବାତ୍ରା, ଦିବ୍ୟା ଦେଶପାଣ୍ଡେ, ମାନବ ଠାକ୍କର, ହରମୀତ ଦେଶାଇଙ୍କ ଭଳି ଶୀର୍ଷ ଖେଳାଳିମାନଙ୍କର ପ୍ରାୟୋଜକ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ପାଖାପାଖି ୧୦୦ ଜଣ ଖେଳାଳିଙ୍କୁ ଏହି କମ୍ପାନି ସିଧାସଳଖ ଖେଳ ଉପକରଣ ପ୍ରାୟୋଜିତ କରିଆସୁଛି। ଏହାବ୍ୟତୀତ ଓମ୍‌ନି ଚ୍ୟାନେଲ ସପ୍ଲାଏ ନେଟଵର୍କ ମାଧ୍ୟମରେ ରିଟେଲର, ଡିଷ୍ଟ୍ରିବ୍ୟୁଟର, ହୋଲ୍‌ସେଲର, କୋଚ୍‌, କ୍ଲବ୍‌, ଏକାଡେମିକ୍‌କୁ ଭିନ୍ନଭିନ୍ନ ପ୍ରକାରରେ ଖେଳ ଉପକରଣ ଯୋଗାଇ ଆସୁଛନ୍ତି। ତୃଣମୂଳସ୍ତରରୁ ପ୍ରତିଭାବାନ୍‌ ଖେଳାଳିମାନଙ୍କୁ ପେସାଦାର ଉପରକରଣ ଯୋଗାଇ ସେମାନଙ୍କୁ ଉନ୍ନତମାନର ଖେଳାଳି ଭାବେ ଗଢ଼ି ତୋଳିବାରେ ଏହି କମ୍ପାନି ସହାୟକ ହେଉଛି। ପେସାଦାର ଉପକରଣ ଅଭାବରୁ ଯେପରି କୌଣସି ପ୍ରତିଭା ବ୍ୟର୍ଥ ନଯିବ, ଏହି ଲକ୍ଷ୍ୟ ନେଇ କମ୍ପାନି ଆରମ୍ଭ ହୋଇଥିଲା ବେଳେ ଏବେ ଦେଶର ପ୍ରତ୍ୟେକ କୋଣରେ ଏହି କମ୍ପାନି ପହଞ୍ଚିପାରିଥିବା ମୌର୍ଯ୍ୟ ମୋଦୀ କହିଛନ୍ତି। ଟେବୁଲ ଟେନିସ ସହିତ ଏବେ ଏହି ମୋଦୀ ଭ୍ରାତା ବ୍ୟାଡମିଣ୍ଟନ ଆଡ଼କୁ ମନ ବଳାଇଲେଣି। ମାଲେସିଆର ବ୍ରାଣ୍ଡ୍‌ ପ୍ରୋ-ଟେକ୍‌ ଭାରତରେ ତାହାର ବ୍ୟବସାୟ ଆରମ୍ଭ ପାଇଁ ଡିଏନ୍‌ଏମ୍‌ ସ୍ପୋର୍ଟ୍ସ ସହିତ ଗତ ଜାନୁଆରିରେ ହାତ ମିଶାଇଛି। ଆଗକୁ ଅଧିକ ଆନ୍ତର୍ଜାତିକ ବ୍ରାଣ୍ଡ୍‌କୁ ଭାରତ ଆଣିବାକୁ ଯୋଜନା ରହିଥିବା ମୌର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର