ଖେଳାଳି ଭାବେ ଓଡ଼ିଆ କୋଚ ଗୌତମଙ୍କ ସଫଳ ପ୍ରତ୍ୟାବର୍ତ୍ତନ, ତାଙ୍କ ନେତୃତ୍ୱରେ ଦଳ ହେଲା ଚମ୍ପିଆନ

ଭୁବନେଶ୍ୱର: ଭାରତୀୟ ସ୍କ୍ଵାସ ଦୁନିଆରେ ଓଡ଼ିଆ ଖେଳାଳି ଓ କୋଚ ଗୌତମ ଦାସଙ୍କ ଏକ ବିଶେଷ ପରିଚିତି ରହିଛି। ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଯିଏ କୋଚ ଭାବେ ସ୍କ୍ଵାସ ଦୁନିଆରେ ସଫଳତା ଅର୍ଜନ କରିଛନ୍ତି ୨୦୦୮ ପରଠାରୁ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷକ ବନିଯାଇଥିଲେ। ଗୌତମ ଭାରତୀୟ ଜୁନିୟର ଓ ସିନିୟର ଦଳ ସହ ସେ ଜଡ଼ିତ ଥିଲେ। ବାଙ୍ଗାଲୋରରେ ଥିବା ସ୍କ୍ଵାସ ଏକାଡେମୀର ଦାୟିତ୍ୱରେ ମଧ୍ୟ ରହିଥିଲେ।

ଗୌତମ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବେଳେ ଭାରତୀୟ ଦଳର ଅନ୍ୟତମ କୋଚ ଥିଲେ। ବିଦେଶ ଗସ୍ତ ବେଳେ ସେ ଭାରତୀୟ ଜୁନିୟର ଦଳ ସହ କୋଚ ଭାବେ ଯାଇଛନ୍ତି। ବର୍ଷ ୨୦୦୮ ପୂର୍ବରୁ ଖେଳାଳି ଭାବରେ ମଧ୍ୟ ଗୌତମ ବେଶ ସକ୍ରିୟ ଥିଲେ। ହେଲେ ଗତ ୧୦ ବର୍ଷ ଭିତରେ ସେ ନିଜେ ଖେଳୁ ନଥିଲେ ତେବେ ଏଥିରେ ସେ ଆଣିଛନ୍ତି ପରିବର୍ତ୍ତନ।

ବର୍ତ୍ତମାନ କୋଲକାତାରେ କାର୍ଯ୍ୟରତ ଥିବା ଗୌତମ ଦୀର୍ଘ ୧୦ ବର୍ଷ ପରେ ଖେଳାଳି ଭାବରେ ଓହ୍ଲାଇ ସଫଳତା ଅର୍ଜନ କରିଛନ୍ତି। ନିକଟରେ କୋଲକାତା ସ୍କ୍ଵାସ ଲିଗ ଅନୁଷ୍ଠିତ ହୋଇଯାଇଛି। କୋଲକାତା ର‍୍ୟାକେଟ କ୍ଳବରେ ଏହା ଖେଳା ଯାଇଥିଲା। ଗୌତମଙ୍କ ନେତୃତ୍ୱରେ ‘ଟିମ ରେଡର୍ସ’ ଏହି ଲିଗରେ ଖେଳି ଚମ୍ପିଆନ ହୋଇଛି। ଗୌତମ ଅଧିନାୟକତ୍ୱ କରିବା ସହ ଡବଲ୍‌ସରେ ଖେଳି ବିଜୟ ଲାଭ କରିଥିଲେ। କୋଲକାତା ଲିଗରେ ଗୌତମ ସଫଳତା ଅର୍ଜନ କରିବା ପରେ ଏବେ ପୁଣି ଥରେ ଖେଳାଳି ଭାବରେ ପେସାଦାର ଜାତୀୟ ସ୍କ୍ଵାସ ସର୍କିଟରେ ସାମିଲ ହେବାର ମନସ୍ଥ କରିଛନ୍ତି।

ବର୍ଷ ୨୦୧୯ ସିଜିନରେ ଖେଳାଳି ଭାବରେ ଚମକିବା ଲାଗି ଗୌତମ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲା କାଠିଆପଡ଼ା ଗାଁର ମୂଳବାସିନ୍ଦା ଗୌତମ ଦାସଙ୍କ ୪ ପୀଢ଼ି ଭାରତୀୟ ସ୍କ୍ଵାସ ଦୁନିଆ ସହ କୋଚ ଭାବେ ଜଡ଼ିତ।

ସମ୍ବନ୍ଧିତ ଖବର