ଓଡ଼ିଆ ତାରକା ଅମିତ-ବୀରୁ ବେଙ୍ଗାଲୁରୁରେ ଅଟକିଛନ୍ତି

ଭୁବନେଶ୍ବର: ଭାରତୀୟ ହକି ଦଳରେ ଥିବା ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ସଂପ୍ରତି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଅବସ୍ଥାନ କରୁଛି। ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ମଧ୍ୟ ଏଠାରେ ରହୁଛନ୍ତି। ଲକ୍‌ଡାଉନ୍ ଘୋଷଣା ହୋଇଥିବାରୁ ରୁମ୍ ଭିତରେ ହିଁ ଉଭୟଙ୍କ ଅଧିକାଂଶ ସମୟ କଟୁଛି। ବାହାରକୁ ଯାଇ ଅଭ୍ୟାସ କରିପାରୁ ନଥିବାରୁ ଘରେ ଭିତରେ କିଛି କିଛି ଶାରୀରିକ ବ୍ୟାୟାମ କରି ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି ବୀରୁ ଓ ଅମିତ। ପରିବାର ସହ ସମୟ କଟାଇବାକୁ ଇଚ୍ଛା ଥିଲେ ମଧ୍ୟ ଏହା ସମ୍ଭବ ‌ହୋଇପାରୁନାହିଁ। ତେବେ ବିଶ୍ବ ହକି ପ୍ରୋ ଲିଗ୍ ଓ ଅଲିମ୍ପିକ୍ସ ଭଳି ବଡ଼ ଓ ବୃହତ୍ ପ୍ରତିଯୋଗିତା ସ୍ଥଗିତ ହେବାକୁ ବଡ଼ ଧକ୍କା ଭାବେ ନେବାକୁ ଦୁଇ ଜଣ ଯାକ ପ୍ରସ୍ତୁତ ନୁହନ୍ତି। ବରଂ ଏହାର ସକାରାତ୍ମକ ଦିଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସେମାନେ। ଅଲିମ୍ପିକ୍ସ ସ୍ଥଗିତ ହେଲେ ମଧ୍ୟ ଏହାର ପ୍ରଭାବ ଭାରତୀୟ ଦଳ କିମ୍ବା ବ୍ୟକ୍ତିଗତ ଭାବେ ମୋ ଉପରେ ପଡ଼ିବ ବୋଲି ମୁଁ ଭାବୁନାହିଁ। ହଁ ଏକଥା ବି ସତ ଯେ ଆମକୁ ପୂରା ଗୋଟିଏ ବର୍ଷ ପାଇଁ ନିଜକୁ ଫିଟ୍ ରଖିବାକୁ ହେବ। ‌ ହେଲେ ଏହା ଯେ କୌଣସି ଖେଳର ଅଭିନ୍ନ ଅଙ୍ଗ। ସଂପ୍ରତି ବିଶେଷ କିଛି କାମ ନାହିଁ। ଅଭ୍ୟାସ ବି ‌ ହେଉନି। ଏଣୁ ଆମେ ପରସ୍ପରର ଦୁଃଖ ସୁଖ ବାଣ୍ଟୁଛୁ। ହିଁ କରୋନା ମହାମାରୀର ରୂପ ନେଇଥିବାରୁ ଘରୁ ଅନାବଶ୍ୟକ ଭାବେ ନ ବାହାରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ବୋଲି ‘ସମ୍ବାଦ’ ସହ କଥା ହେଲା ବେଳେ ଅମିତ କହିଛନ୍ତି। ସେହିଭଳି ଭାରତୀୟ ଦଳ ଅଲିମ୍ପିକ୍ସ ପାଇଁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବ। କରୋନା ଆମ ଏକାଗ୍ରତାକୁ ଭାଙ୍ଗି ପାରିବନାହିଁ ବୋଲି ସେ ଦୃଢେ‌ାକ୍ତି ପ୍ରକାଶ କରିଛନ୍ତି। ବୀରୁ ମଧ୍ୟ ତାଙ୍କ ସହ ଏକମତ ହୋଇଛନ୍ତି। ଅଲିମ୍ପିକ୍ସ ସ୍ଥଗିତ ହେବାକୁ ସେ ଏକ ବଡ଼ ସମସ୍ୟା ଭାବେ ଦେଖୁ ନାହାନ୍ତି। ପରିବାରଠାରୁ ଦୀର୍ଘ ଦିନ ଦୂରେଇ ରହିବା ଅବଶ୍ୟ ଟିକିଏ କଷ୍ଟକର ବୋଲି ସେ ସ୍ବୀକାର କରିଛନ୍ତି। ଆଗାମୀ ଏକବର୍ଷ ଶାରୀରିକ ସୁସ୍ଥତା ବଜାୟ ରଖିବା ତାଙ୍କର ଲକ୍ଷ୍ୟ ‌ ହେବ ବୋଲି ବୀରୁ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ବିଦେଶ ଗସ୍ତରେ ଯିବା ପୂର୍ବରୁ ବେଙ୍ଗାଲୁରୁ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଠିକ୍ ସେହି ସମୟରେ ଲକ୍‌ଡାଉନ୍ ଘୋଷଣା ହେବାରୁ ବାହାରକୁ ବାହାରି ପାରି ନଥିଲେ। ଏପରିକି କିଛି ମହିଳା ଖେଳାଳି ବିମାନ ବନ୍ଦରରୁ ସାଇ କେନ୍ଦ୍ରକୁ ଫେରିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର