ଓଟିଏ-ରାଜ୍ୟ ସରକାର ବୁଝାମଣା

କଳିଙ୍ଗ ଷ୍ଟାଡିୟମ୍‌ର ୭ ଟେନିସ୍‌ କୋର୍ଟ ଏବେ ଓଟିଏ ଅଧୀନରେ

0 5

ଭୁବନେଶ୍ୱର: ଓଡ଼ିଶାରେ ଲନ୍‌ ଟେନିସ୍‌କୁ ଅଧିକ ବ୍ୟବସ୍ଥିତ ଓ ବିକାଶ ଅଭିମୁଖୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏବଂ ଓଡ଼ିଶା ଟେନିସ୍‌ ଆସୋସିଏସନ୍‌ (ଓଟିଏ) ହାତ ମିଳାଇଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ଓଟିଏ ସହିତ ଓଡ଼ିଶା ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ପାଇଁ କଳିଙ୍ଗ ଷ୍ଟାଡିୟମରେ ଥିବା ୭ଟି ସିନ୍ଥେଟିକ୍‌ କୋର୍ଟ ଏବେ ଓଟିଏ ପରିଚାଳନାଧୀନ ରହିବ। ଟେନିସ୍‌ କୋର୍ଟ ଗୁଡ଼ିକର ରକ୍ଷଣାବେକ୍ଷଣ ସରକାର କରିବେ କିନ୍ତୁ ପ୍ରଶିକ୍ଷଣ, ପ୍ରତିଯୋଗିତା ଏବଂ ଅନ୍ୟ ଖେଳ ପ୍ରସଙ୍ଗଗୁଡ଼ିକ ଓଟିଏ ନିୟନ୍ତ୍ରଣରେ ରହିବ। ପୂର୍ବରୁ ବହୁ ବିବାଦୀୟ ପରିସ୍ଥିତି ମଧ୍ୟରେ ପ୍ରଶିକ୍ଷଣକୁ ନେଇ ଟଣାଓଟରା ହୋଇଥିଲେ ମଧ୍ୟ ଓଟିଏକୁ ପରିଚାଳନା ଦାୟିତ୍ୱ ମିଳିଲେ ଏଥିରେ ସୁଧାର ଆସିବ ବୋଲି ବିଶ୍ୱାସ ଆସିଛି। ଟେନିସ୍‌ର ବିକାଶରେ ଏହା ମୁଖ୍ୟ ଭୂମିକା ତୁଲାଇବ। ଅଗଷ୍ଟ ପହିଲାରୁ ଆମେ ଆନୁଷ୍ଠାନିକ ଭାବେ ୩ ବର୍ଷ ପାଇଁ ଟେନିସ୍‌ କୋର୍ଟଗୁଡ଼ିକ ଦାୟିତ୍ୱ ନେଉଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ନିୟମାବଳୀ ପ୍ରସ୍ତୁତ ପାଇଁ କିଛି ସମୟ ଲାଗିଯିବ ବୋଲି କହିଛନ୍ତି ଓଟିଏ ସମ୍ପାଦକ ତଥା ବରିଷ୍ଠ ଆଇଏଏସ୍‌ ମଧୁସୂଦନ ପାଢ଼ୀ। ଓଟିଏ-ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ନିଶ୍ଚିତ ଏକ ସକରାତ୍ମକ ପଦକ୍ଷେପ। ବ୍ୟବସ୍ଥିତ ଭାବେ ପ୍ରଶିକ୍ଷଣ ହେଲେ ଓଡ଼ିଶାରୁ ଅଧିକ ଭଲ ଖେଳାଳି ବାହାରିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବରିଷ୍ଠ ପ୍ରଶିକ୍ଷକ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ। ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶା ଟେନିସ୍‌ ସଂଘକୁ ଏବେ କାମ କରିବାକୁ ସୁଯୋଗ ମିଳିଯିବ। କିନ୍ତୁ ଏଥିଲାଗି କିଭଳି ନିୟମାବଳୀ ଏବଂ ବ୍ୟବସ୍ଥା ହେଉଛି ଦେଖିବାର ଅଛି ବୋଲି କହିଥିଲେ ପ୍ରଶିକ୍ଷକ ତଥା ପୂର୍ବତନ ଏକ ନମ୍ବର ଖେଳାଳି ଅଜୟ ନିଶଙ୍କ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.