ଦିନିକିଆ ଶୃଙ୍ଖଳା ଜିତିଲା ଭାରତ ‘ଏ’

ବିଶାଖାପାଟଣା: ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଜର୍ଜ ଓ୍ଵର୍କରଙ୍କ ଚମତ୍କାର ଶତକ ବି ନ୍ୟୁଜିଲାଣ୍ଡ୍‌-ଏ ଦଳକୁ ପରାଜୟରୁ ରକ୍ଷା କରିପାରିଲାନି। ଅନ୍ୟପକ୍ଷରେ ପୁଣି ଥରେ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ଚତୁର୍ଥ ଦିନିକିଆକୁ ସହଜରେ ଜିତିନେଲା। ଶେଷ ମ୍ୟାଚ୍‌ ପୂର୍ବରୁ ୨-୦ର ଆଗୁଆ ହୋଇ ଭାରତ ୫ ମ୍ୟାଚ୍‌ ଶୃଙ୍ଖଳାକୁ କରାୟତ କରିନେଲା। ପ୍ରଥମ ମ୍ୟାଚ୍‌ ବର୍ଷା ଧୋଇ ନେବା ପରେ ଦ୍ୱିତୀୟଟି ‘ଟାଇ’ରେ ଶେଷ ହୋଇଥିଲା। ତୃତୀୟ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ରେ ଜିତିବା ପରେ ୬୪ ରନ୍‌ରେ ଜିତିି ଭାରତ ଶୃଙ୍ଖଳା କବ୍‌ଜା କରିନେଇଛି।
ଶୁକ୍ରବାର ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅଭିମନ୍ୟୁ ଇଶ୍ୱରନ୍‌ (୮୩) ଓ ଦୁଇ ଅଲ୍‌ରାଉଣ୍ଡର ଦୀପକ୍‌ ହୁଦା (୫୯) ଓ ବିଜୟ ଶଙ୍କର (୬୧)ଙ୍କ ଅର୍ଧଶତକ ସାଙ୍ଗକୁ ଅଙ୍କିତ ବାଉନେଙ୍କ ୩୯ ରନ୍‌ ବଳରେ ଭାରତ ୬ ଓ୍ଵିକେଟ୍‌ ବିନିମୟରେ ୨୮୯ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ କୁଗେଲିନ୍‌ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଓ୍ଵର୍କର ଏକାକି ଲଢ଼ି ଶତକ ଜମାଇ ନ୍ୟୁଜିଲାଣ୍ଡ୍‌କୁ ଆଶା ଦେଇଥିଲେ ମଧ୍ୟ ଦଳ ୨୯ ବଲ୍‌ ପୂର୍ବରୁ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସାହବାଜ୍‌ ନଦୀମ୍‌ (୩୩/୪), ସିଦ୍ଧାର୍ଥ କଉଲ (୩/୨୫), ସାର୍ଦୁଲ ଠାକୁର (୨/୪୧) ଓ କର୍ନ ଶର୍ମା (୧/୪୩) ଦମ୍‌ଦାର ବୋଲିଂ କରି ନ୍ୟୁଜିଲାଣ୍ଡ୍‌ର ସବୁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଭ୍ରମଣକାରୀ ଦଳର ୭ ଜଣ ବ୍ୟାଟ୍‌ସମ୍ୟାନ୍‌ ୬ ସଂଖ୍ୟା ଟପି ପାରିନଥିଲେ। ଓ୍ଵର୍କରଙ୍କ ବ୍ୟତୀତ ଅଧିନାୟକ ନିକୋଲ୍‌ସ ୩୭ ଓ ଓ୍ଵିକେଟ୍‌ ରକ୍ଷକ ବ୍ଲଣ୍ଡେଲ୍‌ ୩୧ ରନ୍‌ର ଅବଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ୪୫.୧ ଓଭରରେ ୨୨୫ ରନ୍‌ କରିପାରିଥିଲା।

ସମ୍ବନ୍ଧିତ ଖବର