ଓଡ଼ିଶା କ୍ରୀଡ଼ାରେ ଇତିହାସ

ବିଶ୍ବସ୍ତରୀୟ ଉତ୍କର୍ଷ କେନ୍ଦ୍ର ଲାଗି ୧୦ ବୁଝାମଣା ପତ୍ର ସ୍ବାକ୍ଷର ଯୋଡ଼ି ହେଲେ କୁମ୍ବଲେ, ଗୋପୀଚାନ୍ଦ, ଅଭିନବ, ଗଗନ, ରାହୁଲ

ଭୁବନେଶ୍ବର: ଓଡ଼ିଶା ହେବ ଭାରତର କ୍ରୀଡ଼ା ପେଣ୍ଠସ୍ଥଳୀ। ଏଠାରୁ ସୃଷ୍ଟି ହେବେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା। ‌କେବଳ କଳା ସଂସ୍କୃତି ନୁହେଁ, ଉତ୍କଳ ତା’ କ୍ରୀଡ଼ା ଦକ୍ଷତା ପାଇଁ ସମଗ୍ର ବିଶ୍ବରେ ପରିଚିତ ହେବ।
ଏସୀୟ ଦୌଡ଼କୁଦର ସଫଳ ଆୟୋଜନ ଏବଂ ହକି ବିଶ୍ବକପର ଉତ୍ସାହ ଭିତରେ ରାଜ୍ୟ ସରକାର ଓଡ଼ିଶାକୁ ଏକ ବିଶ୍ବସ୍ତରୀୟ କ୍ରୀଡ଼ାକେନ୍ଦ୍ରରେ ପରିଣତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏକ ଐତିହାସିକ ଘଟଣାକ୍ରମେ ରାଜ୍ୟରେ କ୍ରୀଡ଼ା ବିକାଶ ଲାଗି ବିଭିନ୍ନ କଂପାନି ସହ ସୋମବାର ଏକାଥରକେ ୧୦ଟି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ‌କେବଳ କ୍ରୀଡ଼ା ବିକାଶ ନୁହେଁ, କ୍ରୀଡ଼ା ପରିଚାଳନା ଏବଂ ଥଇଥାନକୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି। ଏଥସହ ଭାରତର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ, ବ୍ୟାଡମିଣ୍ଟନ ଗୁରୁ ପୁଲେଲା ଗୋପୀଚାନ୍ଦ, ଅଲିମ୍ପିକ୍ସ ପଦକ ବିଜେତା ବନ୍ଧୁକ ଚାଳକ ଗଗନ ନାରଙ୍ଗ, ଅଭିନେତା ତଥା ରଗ୍‌ବି ଖେଳାଳି ରାହୁଲ ବୋଷଙ୍କ ଭଳି ବଡ଼ ବଡ଼ ତାରକା ରାଜ୍ୟ କ୍ରୀଡ଼ା ସହ ଯୋଡ଼ି ହୋଇଛନ୍ତି। ଡାଲମିଆ ଭାରତ ଲିମିଟେଡ୍ ସହ ମିଶି ଗୋପୀଚାନ୍ଦ ବ୍ୟାଡମିଣ୍ଟନ, ବିର୍ଲା ଇଣ୍ଡଷ୍ଟ୍ରି ସହ ମିଶି ଗଗନ ବନ୍ଧୁକ ଚାଳନା, କେଜେଏସ୍ ଆଲୁୱାଲିଆ ଗ୍ରୁପ୍ ସହ ମିଶି କୁମ୍ବଲେ ଭାରୋତ୍ତୋଳନ ଓଡ଼ିଶାରେ ହାଇପର୍ଫମାନ୍ସ ସେଣ୍ଟର ବା ଉଚ୍ଚସ୍ତରୀୟ ଉତ୍କର୍ଷକେନ୍ଦ୍ର ସ୍ଥାପନ କରିବେ। ରିଲାଏନ୍ସ ପ୍ରତିଷ୍ଠାନ ଦୌଡ଼କୁଦ, ଜେଏସଡବ୍ଳ୍ୟୁ ଫୁଟବଲ୍ ଏବଂ ସନ୍ତରଣ ଉତ୍କର୍ଷକେନ୍ଦ୍ର ଖୋଲିବ। ଅଭିନବ ବିନ୍ଦ୍ରା ରୁଙ୍ଗ୍‌ଟା ମାଇନ୍ସ ସହ ମିଶି କ୍ରୀଡ଼ା ଥଇଥାନ କେନ୍ଦ୍ର ଏବଂ ଜାଭିୟର-ଏମଲିଅନ୍ ବିଜନେସ୍ ସ୍କୁଲ କ୍ରୀଡ଼ା ପରିଚାଳନା ପାଇଁ କାର୍ଯ୍ୟ କରିବେ। ରାଜ୍ୟ ସରକାରଙ୍କ ବିଭିନ୍ନ କ୍ରୀଡ଼ା ବିକାଶ ପଦକ୍ଷେପକୁ ଓଡ଼ିଶା ଖଣି ନିଗମ ମଧ୍ୟ ସହାୟତାର ହାତ ବଢ଼ାଇବ। ଏଥିଲାଗି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ସେହିଭଳି ଟାଟା କଂପାନି ହକି ଉତ୍କର୍ଷକେନ୍ଦ୍ର ସ୍ଥାପନ ଏବଂ ସର୍ବଭାରତୀୟ ଫୁଟବଲ୍ ମହାସଂଘ ଫୁଟବଲ୍ ବିକାଶ ଳାଗି ବୁଝାମଣା ପତ୍ର ସ୍ବାକ୍ଷର କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ହକି ବିଶ୍ବକପର ଟ୍ରଫି ଉାନ୍ମୋଚନ କରିଥିଲେ।

ଭିତ୍ତିଭୂମି ସବୁକିଛି ନୁହେଁ, ପ୍ରଶିକ୍ଷଣ ଓ ମାନସିକ ସହାୟତାର ଢେର ମହତ୍ବ ରହିଛି

ଓଡ଼ିଶା କ୍ରିକେଟ୍ ନୁହେଁ। ସାମଗ୍ରିକ ଭାବେ ଓଡ଼ିଶା କ୍ରୀଡ଼ାର ବିକାଶ ଲାଗି ଏଠାକୁ ଆସିଛି। ଏଥିଲାଗି ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କ ନିକଟରେ ମୁଁ କୃତଜ୍ଞ। ଓଡ଼ିଶା କ୍ରିକେଟ୍ କଥା ପଡ଼ିଲେ ମନକୁ ଆପଣାଛାଏଁ ଦେବାଶିଷ ମହାନ୍ତି ଏବଂ ଶିବସୁନ୍ଦର ଦାସଙ୍କ କଥା ଆସିଯାଏ।
କ୍ରୀଡ଼ା ବିକାଶ ଲାଗି ବିଭିନ୍ନ କଂପାନିର ସହାୟତା ନେବା ଏକ ଭଲ କଥା। ତେବେ କେବଳ ଭିତ୍ତିଭୂମି ନୁହେଁ, ଭଲ ଖେଳାଳି ସୃଷ୍ଟି କରିବା ଲାଗି ଉନ୍ନତ ସ୍ତରର ପ୍ରଶିକ୍ଷଣ ଏବଂ ମାନସିକ ସହୟତାର ମଧ୍ୟ ଢେର ମହତ୍ବଥାଏ। ମୋ କଂପାନି ଟେନଭିକ୍ ଓଡ଼ିଶାରେ ଏକ ବିଶ୍ବସ୍ତରୀୟ ଭାରୋତ୍ତୋଳନ ଉତ୍କର୍ଷକେନ୍ଦ୍ର ସ୍ଥାପନ କରିବାକୁ ଉଦ୍ୟମ କରିବ। ଭାରୋତ୍ତୋଳନରେ କୌଣସି ରାଜ୍ୟ ଏଭଳି ଏକ କେନ୍ଦ୍ର ସ୍ଥାପନ କରିବାକୁ ଆଗେଇ ଆସିବା ସମ୍ଭବତଃ ପ୍ରଥମ ଘଟଣା। ହେଲେ ବର୍ଷକ ଭିତ୍ତରେ ବଡ଼ ଖେଳାଳି ସୃଷ୍ଟି ହୋଇଯିବେ ବୋଲି ଆଶା କରାଯାଇ ନପାରେ। ଆମକୁ ତୃଣମୂଳ ସ୍ତରରୁ କାର୍ଯ୍ୟ କରିବାକୁ ପଡ଼ିବ। ହାତପାହାନ୍ତାରେ ଥିବା ସୁବିଧା ସୁଯୋଗର ଭରପୁର ଫାଇଦା ନେବାକୁ ହେବ। ହେଲେ ମୁଁ ନିଶ୍ଚିତ ଯେ ଆଗାମୀ ଭବିଷ୍ୟତରେ ଓଡ଼ିଶାରୁ ନିଶ୍ଚୟ ବିଶ୍ବସ୍ତରୀୟ ଭା‌ରୋତ୍ତୋଳକ ସୃଷ୍ଟି ହୋଇ ପାରିବେ ବୋଲି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଏହି ଅବସରରେ କହିଥିଲେ।

ରଗ୍‌ବି ପାଇଁ ଓଡ଼ିଶା ଶ୍ରେଷ୍ଠ ସ୍ଥାନ:ରାହୁଲ
ଆମେ ଯେତେବେଳେ ଭାରତରେ ସବୁଠୁ ବଡ଼ ରଗ୍‌ବି ପ୍ରତିଯୋଗିତା କଥା ଚିନ୍ତା କରୁଥିଲୁ ଏହାକୁ ଭୁବନେଶ୍ବରରେ ଆୟୋଜନ କରିବୁ ବୋଲି ନିଷ୍ପତ୍ତି ନେଲୁ। ଏଠାକାର ସୁବିଧା ସୁଯୋଗ, କ୍ରୀଡ଼ା ସଂସ୍କୃତି, ଭିତ୍ତିଭୂମି ରଗ୍‌ବି ପାଇଁ ପୂରା ଅନୁକୂଳ ‌‌ବୋଲି ଗବେଷଣାରୁ ଜାଣିବାକୁ ପାଇଥିଲୁ। କ୍ରୀଡ଼ାମନ୍ତ୍ରୀଙ୍କ ସହ ମାତ୍ର ୩ ମିନିଟ୍‌ର ବୈଠକ ପରେ ସେ ଏହାକୁ ସ୍ବୀକୃତି ଦେଇଥିଲେ ଏବଂ ଆମେ ଏଠାରେ ଏସୀୟ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଆୟୋଜନ କରିଥିଲୁ। ଏଠାକୁ ଆସିଥିବା ସବୁ‌ଦେଶର ଖେଳାଳି ଭୁବନେଶ୍ବରରେ ମିଳିଥିବା ଆତିଥେୟତାକୁ ହୃଦୟର ସହ ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଖେଳ ଭଳି ଆମେ ମଧ୍ୟ ଓଡ଼ିଶାରେ ଏକ ରଗବି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରଖିଛି। ବିଶ୍ବକପ୍ ପରେ ରାଜ୍ୟ ସରକାରଙ୍କ ସହ ଏଥିନେଇ ଆଲୋଚନା ଆରମ୍ଭ କରିବୁ ବୋଲି ଭାରତୀୟ ରଗବି ବୋର୍ଡର ସଦସ୍ୟ ତଥା ଅଭିନେତା ରାହୁଲ ବୋଷ କହିଥିଲେ।

ସମ୍ବନ୍ଧିତ ଖବର