ବିକାଶ ପଥରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍, ଭିତ୍ତିଭୂମି ଓ ପ୍ରଶିକ୍ଷଣ ବଡ଼ ଅଭାବ

0 67

ଭୁବନେଶ୍ୱର: ବିଗତ ଦୁଇ ଅଲିମ୍ପିକ୍ସରୁ ଭାରତକୁ ବ୍ୟାଡ୍‌ମିଣ୍ଟନ୍ ପଦକ ମିଳିବା ପରେ‌ ଦେଶବ୍ୟାପୀ ଏହି ଖେଳରେ ବୈପ୍ଳବିକ ପରିବର୍ତନ ଘଟିଛି। ଓଡ଼ିଶା କିନ୍ତୁ ସେହି ତୁଳନାରେ ଅଗ୍ରଗତି କରିନାହିଁ। ସନତ ମିଶ୍ରଙ୍କ ଏସିଆଡ୍ ସଫଳତାର ୩ ଦଶନ୍ଧି ପରେ ଓଡ଼ିଶାରୁ ପ୍ରତିଭାସମ୍ପନ୍ନ ଋତୁପର୍ଣ୍ଣା ପଣ୍ଡା ଆଶା ଦେଖାଇଛନ୍ତି। ଓଡ଼ିଶା ସରକାର ଏହି ଖେଳକୁ ନିଜ ଅଗ୍ରାଧିକାର ତାଲିକା (ଏ)ରେ ବି ସାମିଲ କରିଛନ୍ତି। କିମ୍ବଦନ୍ତୀ ଖେଳାଳି ପୁଲେଲା ଗୋପୀଚାନ୍ଦଙ୍କ ସହ ଚୁକ୍ତିବଦ୍ଧ ହୋଇ ରାଜ୍ୟ ସରକାର ମଧ୍ୟ ସହିଦନଗରସ୍ଥିତ ସାଇ ବ୍ୟାଡ୍‌ମିଣ୍ଟନ୍ କେନ୍ଦ୍ର ଜରିଆରେ ଏହି ଖେଳକୁ ବିକାଶ ପଥରେ ନେବାକୁ ଚେଷ୍ଟା କରିଛନ୍ତି। ଏସବୁ କାମରେ ଉତ୍ସାହିତ ହୋଇ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍ ସଂଘ (ଓଏସ୍‌ବିଏ) ମଧ୍ୟ ନିଜ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ତତ୍ପର ‌େହାଇଛି। ନିୟମିତ ଭାବେ ସରକାରୀ ପ୍ରୋତ୍ସାହନଠାରୁ ଦୂରେଇ ରହିଥିବା ଏହି ରାଜ୍ୟ ସଂଘ ଏବେ ଅଧିକ ସକ୍ରିୟ ଓ କ୍ରୀୟାଶୀଳ ହୋଇଛି।

ଆଗରୁ ମାତ୍ର ୭ଟି ଜିଲ୍ଲାରେ ବ୍ୟାଡ୍‌ମିଣ୍ଟନ୍ ସଂଘ କାର୍ଯ୍ୟ କରୁଥିବାବେଳେ ଏବେ ୨୮ ଜିଲ୍ଲାକୁ ପ୍ରସାରିତ ହୋଇଛି। ଆମେ ଆଶାଜନକ ସଫଳତା ପାଇନଥିଲେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ହ‌ାତକୁ ନେବାକୁ ଯାଉଛୁ। ଭିତ୍ତିଭୂମିଠାରୁ ଆରମ୍ଭ କରି ଅଧିକରୁ ଅଧିକ ପ୍ରତିଯୋଗିତା ଓ ପ୍ରଶିକ୍ଷଣ ବ୍ୟବସ୍ଥା କରାଇ ସଫଳତା ପାଇବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ ତଥା ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ (ବାଇ)ର ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି। ରାଜ୍ୟରେ ସ‌ମସ୍ତେ ବ୍ୟାଡ୍‌ମିଣ୍ଟନ୍ ଖେଳୁଛନ୍ତି। କିଛି ମନୋରଂଜନ ପାଇଁ ତ କିଛି ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ବିତା ପାଇଁ। ବିଗତ କିଛି ବର୍ଷ ଭିତରେ କିନ୍ତୁ ଏହି ଖେଳକୁ ନେଇ ସଚେତନତା, ଉତ୍ସାହ ଓ ଆଗ୍ରହ ବଢ଼ିଛି। ଦୀର୍ଘମିଆଦିରେ ଏହାର ସୁଫଳ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ମହାନ୍ତି। ଓଡ଼ିଶା ଏକମାତ୍ର ସଂଘ ଭାବେ ଖେଳାଳିଙ୍କୁ ପରିଚୟ ପତ୍ର ପ୍ରଦାନ କରୁଛି। ସମ୍ବଲପୁର ଜିଲ୍ଲା ସଂଘ ପକ୍ଷରୁ ହୋଇଥିବା ‘ପ୍ରତିଭା’ କାର୍ଯ୍ୟକ୍ରମରେ ୧୦୦ ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ୩୦ ଜଣଙ୍କୁ ବଛାଯାଇ ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ରୀୟ ଏକ‌ାଡେମି ପ୍ରତିଷ୍ଠା ପୂର୍ବରୁ ସବୁ ଜିଲ୍ଲାସ୍ତରରେ ଏଭଳି କରାଗଲେ ଭଲ ହୁଅନ୍ତା। ରାଜ୍ୟ ସଂଘ ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କ ପ୍ରତିଯୋଗିତାରୁ ଉଦୀୟମାନ ଖେଳାଳିଙ୍କୁ ଚୟନ କରି ପ୍ରକାଶ ପାଦୁକୋନ୍ ଏକାଡେମି ପଠାଇବର ଖସଡ଼ା ପ୍ରସ୍ତୁତ କରିଛି। ଋତୁପର୍ଣ୍ଣାଙ୍କ ଅନ୍ତର୍ଜାତୀୟ ପଦାର୍ପଣ ପରେ ଶ୍ରୁତି ସ୍ବାଇଁ, ଆରବ ଦାଶଙ୍କ ଭଳି ଖେଳାଳି ମଧ୍ୟ ଭବିଷ୍ୟତର ଆଶା ‌େଦଖାଇଛନ୍ତି।

ଓଡ଼ିଶାରେ ଭିତ୍ତିଭୂମିରେ ବଡ଼ ଅଭାବ ରହିଛି। ବାଙ୍ଗାଲୋର, ହାଇଦ୍ରାବାଦ ଭଳି ବଡ଼ ସହରରେ ଯଥାକ୍ରମେ ୪୦୦ ଓ ୨୫୦ରୁ ଉର୍ଧ୍ବ ବ୍ୟାଡ୍‌ମିଣ୍ଟନ୍ ଏକାଡେମି ରହିଛି। ଯେଉଁଠି ହଜାର ହଜାର କୋର୍ଟ ରହିଛି। କିନ୍ତୁ ଓଡ଼ିଶାରେ ସେଭଳି ସୁବିଧା ସୁଯୋଗ ନାହିଁ। ଆମେ ପୂର୍ବାଞ୍ଚଳ ପ୍ରତିଯୋଗିତାସ୍ତରଠାରୁ ଆଗକୁ ବି ବଢ଼ି ପାରୁନାହୁଁ। ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଆବଶ୍ୟକ ଅନ୍ୟୁନ ୧୨ କୋର୍ଟ ଆବଶ୍ୟକ ଓଡ଼ିଶାରେ କେଉଁଠି ଗୋଟିଏ କେନ୍ଦ୍ରରେ ନାହିଁ। ସହିଦ ନଗର ଇନ୍‌ଡୋର୍ ହଲ୍ ଏବଂ କଟକ ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍‌‌େର ଥିବା ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଆମେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିଛୁ। ଆସନ୍ତା ବର୍ଷ ଆଡ଼କୁ ଓଡ଼ିଶାରେ ଏକ ପ୍ରସ୍ତାବିତ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆ‌ୟୋଜନ ପୂର୍ବରୁ ଏହି ଭିତ୍ତିଭୂମୀ ଅଭାବକୁ ଦୂର କରିବାକୁ ଚେଷ୍ଟା ଚାଲିଛି। ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଅନ୍ୟୁନ ୧.୫‌ କୋଟି ଟଙ୍କା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ରାଜ୍ୟରେ ଦ୍ବିତୀୟ ଅସୁବିଧାଟି ହେଉଛି ପ୍ରଶିକ୍ଷକ ଅଭାବ। ମନୋଜ ସାବତଙ୍କ ପରେ କେହି ‌ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ନାହାନ୍ତି କି କୌଣସି ଖେଳାଳି ପେସାଦାର ଭାବେ ପ୍ରଶିକ୍ଷକ ହେବାକୁ ଆଗ୍ରହ ଦେଖାଉନାହାନ୍ତି। ପୂର୍ବତନ ଖେଳାଳିମାନଙ୍କ ଦ୍ବାରା ଏହା କାମଚଳା ସ୍ଥିତିରେ ରହିଛି ବୋଲି କହିଥିଲେ ଶ୍ରୀ ମହାନ୍ତି। ସରକାରଙ୍କ ସହିତ କର୍ପୋରେଟ୍ ପ୍ରାୟୋଜକମାନେ ଆଗେଇ ଆସିଲେ ବ୍ୟାଡ୍‌ମିଣ୍ଟନ୍‌ରେ ଓଡ଼ିଶା ଅଧିକ ସଫଳତା ପାଇପାରନ୍ତା‌ ବୋଲି ସେ କହିଥିଲେ।

ଭୁବନେଶ୍ୱରରେ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍ ଓଡ଼ିଶା ଦଳ‌ ଘୋଷିତ

ଭୁବନେଶ୍ୱର: ସ୍ଥାନୀୟ ସହିଦ ନଗର ଇନ୍‌ଡୋର ହଲ୍‌ରେ ଚାଲିଥିବା ସାଇ ବ୍ୟାଡ୍‌ମିଣ୍ଟନ୍ ଏକାଡେମି ପରିସରରେ ଅକ୍ଟୋବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଅନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ସମେତ ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମୋଟ ୧୨୦ରୁ ଊର୍ଧ୍ବ ଖେଳାଳି ଏବଂ ୧୬ ଜଣ ବାଇ ପ୍ରବଂଧକ ଓ ପ୍ରଶିକ୍ଷକ ଭାଗନେବେ। ବରିଷ୍ଠ ଓ କନିଷ୍ଠ (୧୯ ବର୍ଷରୁ କମ୍) ବର୍ଗର ଉଭୟ ପୁରୁଷ ଓ ମହିଳାରେ ଦଳଗତ ଏବଂ ଏକକ ପ୍ରତିଯୋଗିତା ହେବ। ଓଡ଼ିଶା ସରକାର ସାଇ ଏକାଡେମିର ଭିତ୍ତିଭୂମି ଯୋଗାଇ ଦେଇଥିବାବେଳେ ପ୍ରଦୀପ ଫା‌ଉଣ୍ଡେସନ୍ ଓ କେ-୧ ସଟଲର୍ ଏହାର ପ୍ରମୁଖ ପ୍ରା‌େୟାଜକ ରହିଛନ୍ତି। ପ୍ରତିଯୋଗିତାର ବିଜେତା ଏବଂ ଉପ ବିଜେତା ମାନେ ଡିସେମ୍ବରରେ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସ‌ୁଯୋଗ ପାଇବେ। ଦଳଗତ ପ୍ରତିଯୋଗିତାରେ ୩ଟି ଏକକ ଏବଂ ଦୁଇଟି ଯୁଗଳ ମ୍ୟାଚ୍ ଖେଳାଯିବ। ବହୁ ଜାତୀୟସ୍ତରର ଖେଳାଳି ଏଥିରେ ଭାଗନେବେ। ଅନ୍ତର୍ଜାତୀୟ ବ୍ୟସ୍ଥତା ଥିବାରୁ ଓଡ଼ିଶାର ପ୍ରତିଭାସମ୍ପନ୍ନ ଋତୁପର୍ଣ୍ଣା ପଣ୍ଡା ଏଥିରେ ଭାଗନେଇ ପାରିବେ ନାହିଁ ବୋଲି ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍ ସଂଘ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଓଡ଼ିଶାରେ ତୃତୀୟ ଥର ପାଇଁ ପୂର୍ବାଞ୍ଚଳ ପ୍ରତିଯୋଗିତା ହେଉଛି। ପୂର୍ବରୁ ୧୯୯୮ ଏବଂ ୨୦୧୨ ମସିହାରେ ଦୁଇ ଥର କଟକରେ ଏହା ଆୟୋଜିତ ହୋଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଭାଗନେବା ଲାଗି ଏକ ୧୫ ଜଣିଆ ଓଡ଼ିଶା ଦଳ ଚୟନ ହୋଇଛି। ପ୍ରଶିକ୍ଷକ ଏସ୍ଏଚ୍ ରାୱତ ଏବଂ ପ୍ରବଂଧକ ମନୋଜ ସାବତ କେଉଁ ଖେଳାଳି କେଉଁ ଇଭେଣ୍ଟ୍ ଖେଳିବେ ନିର୍ଧାରଣ କରିବେ।

ଓଡ଼ିଶା ଦଳ: ସୁଶାନ୍ତ କୁମାର ରାଉତ, ରଂଜିତ କୁମାର ବାଣ୍ଠ, ଲିସାରାଣୀ ପରିଡ଼ା, ଆୟୁଷ ପଟ୍ଟନାୟକ, କୃଷ୍ଣ କେ ମୁରଲୀ, ଅରବିନ୍ଦ ସାହୁ, ପ୍ରଜେଶ ମୁର୍ମୁ, କୃଷ୍ଣିକୋ ବିରୋକ, ଅନୂଜା ଦାସମହାପାତ୍ର, ଯଶଶ୍ରୀ ସାମଲ, ପି ଚକ୍ରଧର, ଆଦିତ୍ୟ କରଣ ଦାସ, ପ୍ରଶଂସା ଦାସ, ଅବିନାଶ ମହାନ୍ତି, ଶ୍ରୁତି ସ୍ବାଇଁ। ପ୍ରଶିକ୍ଷକ: ଏସ୍ଏଚ୍ ରାୱତ, ପ୍ରବଂଧକ: ମନୋଜ ସାବତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.