ଜାତୀୟ ପ୍ରସ୍ତୁତି ଜୋରଦାର, ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌ ବଢ଼ୁଛି

ସାଇ ଏକାଡେମି ସୁଯୋଗ ଦେଇଛି

ଭୁବନେଶ୍ବର: ଓଡ଼ିଶାରେ ବ୍ୟାଡ୍‌ମିଣ୍ଟନ୍‌ ଏବେ ଉତ୍‌ଥାନ ପଥରେ ରହିଛି ଏବଂ ଆଗକୁ ଏହା ଅଧିକ ଉନ୍ନତ ହେବ ବୋଲି ଆଶା ‌ଦେଇଛି ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ସଂଘ। ବିଶେଷ କରି ଓଡ଼ିଶାରେ ସାଇ ବ୍ୟାଡମିଣ୍ଟନ୍ ଏକାଡେମିର ଆବିର୍ଭାବ ପରେ ରାଜ୍ୟର ଖେଳାଳିମାନେ ଉନ୍ନତମାନର ପ୍ରଶିକ୍ଷଣ ପାଉଛନ୍ତି ଏବଂ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ଯୁବ ଖେଳାଳିଙ୍କ ମଧ୍ୟରେ ଜାତୀୟ ସ୍ତରରେ ସଫଳ ଋତୁପର୍ଣ୍ଣା ପଣ୍ଡା ଏବଂ ପାରା ବ୍ୟାଡମିଣ୍ଟନ୍ ତାରକା ତଥା ଚଳିତ ବର୍ଷ ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ମଧ୍ୟ ବିଶ୍ବାସ ଭରି ଦେଇଛନ୍ତି। ଆଗକୁ ଗୋପୀଚାନ୍ଦ ଏକାଡେମି ପ୍ରତିଷ୍ଠା ହୋଇଗଲେ ଏହା ଓଡ଼ିଶା ବ୍ୟାଡମିଣ୍ଟନ୍‌କୁ ଶ୍ରେଷ୍ଠ ଭିତ୍ତିଭୂମି ଏବଂ ନୂଆ ଦିଶା ପ୍ରଦାନ କରିବ ବୋଲି ମଧ୍ୟ ବିଶ୍ବାସ ଆସୁଛି। ଏ ଅବସରରେ ରାଜ୍ୟ ସଂଘ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଅଣ୍ଟା ଭିଡ଼ିଛି।

ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଜାତୀୟ ସନରାଇଜ୍‌ ୟୋନେକ୍ସ ୩୩ତମ ଜାତୀୟ ଉପକନିଷ୍ଠ (୧୫ ଓ ୧୭ ବର୍ଷରୁ କମ୍‌) ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ବାଳକ ଏବଂ ବାଳିକା ବିଭାଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ସହିଦ୍ ନଗର ଇନ୍‌ଡୋର୍ ହଲ ଏବଂ ମଞ୍ଚେଶ୍ବରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମ୍‌ରେ ଖେଳାଯିବ। ‘‘ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର କ୍ରୀଡ଼ା ରାଜଧାନୀକୁ ସାକାର କରିବା ଏବଂ ସେଥିରେ ପ୍ରେରିତ ହୋଇ ଆମେ କାମ କରୁଛୁ। ବ୍ୟାଡମିଣ୍ଟନ୍ ଦେଶକୁ ଯେଉଁ ସମ୍ମାନ ଦେଇଛି ଏବଂ ଭଲ ପାଇବା ଆଣିଛି ସେଥିରେ ଓଡ଼ିଶା ମଧ୍ୟ ସାମିଲ ରହିଛି। ଗୋପୀଚାନ୍ଦ ଏକାଡେମି କାର୍ଯ୍ୟକ୍ଷମ ହେଲେ ଆମକୁ ୮ଟି କୋର୍ଟ ମିଳିଯିବ ଏବଂ ଓଡ଼ିଶାରୁ ବହୁ ଋତୁପର୍ଣ୍ଣା ପଣ୍ଡା, ପ୍ରମୋଦ ଭଗତଙ୍କ ଭଳି ଖେଳାଳି ବାହାରିବେ’‌‌ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ସଂଘ ସଭାପତି ତଥା ବିଧାୟକ ରୋହିତ ପୂଜାରୀ। ଏହ‌ାକୁ ଉପଯୋଗ କରି ଆମେ ଭବିଷ୍ୟତରେ ଅନ୍ତର୍ଜାତୀୟ ପ୍ରତିଯୋଗିତାର ପରିକଳ୍ପନା କରୁଛୁ ବୋଲି ମଧ୍ୟ ସ୍ବୀକାର କରିଥଲେ ଏହି ବିଗତ ଦିନର‌ ଖେଳାଳି। ନିଜେ ଜଣେ ପୂର୍ବତନ ଜାତୀୟ ଖେଳାଳି ହୋଇଥିବାରୁ ପୂଜାରୀ ମଧ୍ୟ ଶନିବାର ପ୍ରାୟ ୧୫/୨୦ ମିନିଟ୍‌ ଧରି ଓଡ଼ିଶା ଦଳର ସମସ୍ତ‌ ଖେଳାଳିଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ପ୍ରତିଦ୍ବନ୍ଦ୍ବୀ କିମ୍ବା ତାଙ୍କ ମାନ୍ୟତା ବିଷୟରେ ଅଧିକ ଚିନ୍ତା ନକରି ନିଜ ସ୍ବାଭାବିକ ଖେଳ ଖେଳିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ସାଇ ଏକାଡେମି ସୁଯୋଗ ଦେଇଛି
ସହିଦ ନଗର ଇନ୍‌ଡୋର୍‌ ହଲରେ ଚାଲିଥିବା ଓଡ଼ିଶା-ସାଇ ବ୍ୟାଡମିଣ୍ଟନ୍ ଏକାଡେମି ରାଜ୍ୟ ସମେତ ଅନ୍ୟ ଖେଳାଳିଙ୍କ ଖେଳ ଜୀବନ ଗଢ଼ିବାରେ ଲାଗିଛି। ଏହି ଏକା‌ଡେମିର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିଛି। ଏବେ ଜାତୀୟ ଏବଂ ସର୍ବଭାରତୀୟ ମାନ୍ୟତା ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ବଢ଼ିଛି। ବର୍ଷକ ତଳେ ଜିଲ୍ଲାସ୍ତରୀୟ ଖେଳାଳି ଥିବା ବହୁ ପିଲା ଏବେ ଜାତୀୟ ସ୍ତରରେ ପହଞ୍ଚିଗଲେଣି। ସେମାନେ ଆଗକୁ ବଢ଼ିବାର ସମ୍ଭାବନା ମଧ୍ୟ ଦେଖାଇଛନ୍ତି ବୋଲି ଦୃଢ଼ ଆତ୍ବଶ୍ବାସର ସହ କହିଛନ୍ତି ଏଠାରେ ନିଯୁକ୍ତ ସାଇ ପ୍ରଶିକ୍ଷକ ତିରୁପତି କିରଣ। ଏଠାରେ ପ୍ରଶିକ୍ଷଣ ନେଉଥିବା ୨୦ଜଣଙ୍କ ପିଲାଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଜାତୀୟସ୍ତରରେ ଖେଳି ସାରିଲେଣି। ସେମାନଙ୍କ ଭବିଷ୍ୟତ ଉଜ୍ବଳ। ଓଡ଼ିଶାରେ ଖେଳାଳିଙ୍କ ଅଂଶଗ୍ରହଣ ଏବଂ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ଅଭାବ ରହିଛି। ଫଳରେ ଖେଳାଳିମାନେ ଅନ୍ୟ ରାଜ୍ୟ ତୁଳନାରେ ମୌଳିକ ଶିକ୍ଷା ଏବଂ ବୈଷୟିକ ଦିଗରେ ବହୁ ପଛରେ ରହିଛନ୍ତି। ତଥାପି ଆଗାମୀ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ୪/୫ ଜଣ ନିଶ୍ଚିତ ଭଲ କରିବେ। ବାଳିକାରେ ଶ୍ରୁତି ସ୍ବାଇଁ, ହର୍ଷିତା ରାଉତ, ଶ୍ରେୟା ବିଶ୍ବାଳ ଏବଂ ବାଳକଙ୍କ ମଧ୍ୟରେ ଆର୍ଯ୍ୟା ମାଝୀ, ପାର୍ଥ ସାରଥୀ ମିଶ୍ର, ‌ତୌସିଫ ଖାନ୍‌, ପ୍ରିୟାଂଶ, ଆୟୂଷ ଦାସ ପ୍ରମୁଖ ଭଲ ପ୍ରଦର୍ଶନ କରିପାରିବେ ବୋଲି ମୋର ବିଶ୍ବାସ ଆସିଛି‌ ବୋଲି ହାଇଦ୍ରାବାଦସ୍ଥିତ ଗୋପୀଚାନ୍ଦ ‌ଏକାଡେମିରେ ୩ ବର୍ଷର ଅଭିଜ୍ଞତା ରଖିଥିବା କିରଣ କହିଥିଲେ। ଓଡ଼ିଶାର ଉଦୀୟମାନ ଅନ୍ତର୍ଜାତୀୟ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଜଣେ ନିଷ୍ଠାବାନ ଓ ଉତ୍ସର୍ଗିକୃତ ଖେଳାଳି ହୋଇଥିବାରୁ ଭବିଷ୍ୟତ ଉଜ୍ବଳ। ତାଙ୍କ ଭଉଣୀ ଶ୍ବେତପଦ୍ମା ମଧ୍ୟ ଜାତୀୟ ଖେଳିଲେଣି ଏବଂ ପଦାଙ୍କ ଅନୁସରଣ କରୁଛନ୍ତି ବୋଲି କିରଣ ପ୍ରକାଶ କରିଥିଲେ। ସାଇନା ନେହ୍ବାଲ ଏବଂ ପିଭି ସିନ୍ଧୁଙ୍କ ଅଲିମ୍ପିକ ପଦକ ଭାରତୀୟ ବ୍ୟାଡମିଣ୍ଟନ୍‌ରେ ବଡ଼ ପରିବର୍ତନ ଆଣିଛି। କିନ୍ତୁ ସବୁ ଶ୍ରେୟ ଗୋପୀ ସାର୍‌ (‌ପୁଲେଲା ଗୋପୀଚାନ୍ଦ)ଙ୍କୁ ମିଳିବ ବୋଲି କିରଣ କହିଥିଲେ।

ସମ୍ବନ୍ଧିତ ଖବର