ପଞ୍ଜାବକୁ ହରାଇଲା ଓଡ଼ିଶା

ଅନ୍ତଃରାଜ୍ୟ ମହିଳା ଟେ୍ଵଣ୍ଟି-୨୦

ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ଅନ୍ତଃରାଜ୍ୟ ମହିଳା ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ୭ ଓ୍ଵିକେଟ୍‌ରେ ପଞ୍ଜାବକୁ ହରାଇ ଅଭିଯାନ ଆରମ୍ଭ କରିଛି। ପ୍ଲେଟ୍‌ ଗ୍ରୁପ୍‌ ‘ସି’ ରାଉଣ୍ଡ୍‌-୧ ଅନ୍ତର୍ଗତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ତାନିଆ ଭାଟିଆ ଆକ୍ରମଣାତ୍ମକ ବ୍ୟାଟିଂ କରି ୬୨ ବଲ୍‌ରୁ ୮୫* ରନ୍‌ କରିଥିଲେ। ଓଡ଼ିଶା ପକ୍ଷରୁ ସୁଜାତା ମଲ୍ଲିକ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅଧିନାୟିକା ମଧୁସ୍ମିତା ବେହେରା ଗୋଟିଏ ରନ୍‌ ଆଉଟ୍‌ କରିଥିଲେ। ଜବାବରେ ଓଡ଼ିଶା ୭ ଓଭରରେ ୩୯ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ସଂଘର୍ଷ କରୁଥିଲା। ପ୍ରାରମ୍ଭିକ ଯୋଡ଼ି ମାଧୁରୀ ମେହେଟା (୧୭, ୨୧ ବଲ୍‌, ୩ ଚୌକା) ଏବଂ ମଧୁସ୍ମିତା ବେହେରା (୧୫, ୧୬ ବଲ୍‌, ୩ ଚୌକା)ଙ୍କ ପରେ ସରିତା ମେହେର (୨୧, ୨୨ ବଲ୍‌, ୨ ଚୌକା) ମଧ୍ୟ ନିରାଶ କରିଥିଲେ। ମଧୁସ୍ମିତା ଓ ସରିତା ରନ୍‌ ଆଉଟ୍‌ ହୋଇଥିଲେ। କିନ୍ତୁ ପ୍ରଜ୍ଞା ପ୍ରିୟଦର୍ଶିନୀ ମହାନ୍ତି (୫୦*, ୩୩ ବଲ୍‌, ୭ ଚୌକା) ଆକର୍ଷଣୀୟ ଅର୍ଧଶତକ ହାସଲ କରି ମ୍ୟାଚ୍‌କୁ ଓଡ଼ିଶା ସପକ୍ଷକୁ ଆଣିଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୨୦*, ୧୩ ବଲ୍‌, ୨ ଚୌକା, ୧ ଛକା)ଙ୍କୁ ସାଥୀ କରି ପ୍ରଜ୍ଞା ୨.୩ ଓଭର ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ଓଡ଼ିଶା ୧୭.୩ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୨୬ ରନ୍‌ ସଂଗ୍ରହ କରି ନେଇଥିଲା।

ସମ୍ବନ୍ଧିତ ଖବର