ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୭ଟି ସ୍ୱର୍ଣ୍ଣ ସହିତ ୧୬ ପଦକ

ଭୁବନେଶ୍ୱର: ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୦ ରୁ ୧୨ ପର୍ଯ୍ୟନ୍ତ ଚାଲିଥିବା ସର୍ବ ଭାରତୀୟ ସ୍ୱାଧୀନତା କପ୍‌ କରାଟେ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି। ସବ୍‌ ଜୁନିଅର ବର୍ଗରେ ରିତେଶ ମହାନ୍ତି କାଟାରେ ସ୍ୱର୍ଣ୍ଣ ଓ କ୍ରମିଡେରେ ରୌପ୍ୟ ପଦକ, ସାଈ ସ୍ୱରୂପ ବେବ୍ରତା କ୍ରମିଡେରେ ସ୍ୱର୍ଣ୍ଣ ଓ କାଟାରେ କାଂସ୍ୟ ପଦକ ଜିତିଛନ୍ତି।

ସିନିଅର ବର୍ଗର ବାଳକ ବିଭାଗରେ ଶୁଭକାନ୍ତ ବିଶ୍ୱାଳ କାଟାରେ ସ୍ୱର୍ଣ୍ଣ ଓ କ୍ରମିଡେରେ କାଂସ୍ୟ ପଦକ, ବାଳିକା ବିଭାଗରେ ଭଦ୍ରା ସତପଥୀ କାଟାରେ ରୌପ୍ୟ ପଦକ ପାଇଥିବା ବେଳେ ମୋନାଲି ସାହୁ କାଟାରେ ରୌପ୍ୟ ଓ ମାଉମିଲେ କାଟାରେ ସ୍ୱର୍ଣ୍ଣ ଓ କ୍ରମିଡେରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ସିନିଅର ବାଳିକା ବିଭାଗରେ ସୁନ୍ଧୁତନୟା ଖୁଣ୍ଟିଆ ୪୫ କିଲୋ କ୍ରମିଡେରେ ସ୍ୱର୍ଣ୍ଣ, ଅନୁରାଧା ପାତ୍ର ୬୦ କିଲୋ କ୍ରମିଡେରେ ରୌପ୍ୟପଦକ ପାଇଛନ୍ତି। ସିନିଅର ବାଳକ ବିଭାଗରେ ରାକେଶ ମହାପାତ୍ର ୭୫ କିଲୋ କ୍ରମିଡେରେ ସ୍ୱର୍ଣ୍ଣ, ଗୋପାଳ ଚନ୍ଦ୍ର ସାହୁ କାଟାରେ ରୌପ୍ୟ, ସଙ୍କେତ କୁମାର ନାୟକ କାଟାରେ ରୌପ୍ୟ ଓ ମହେଶ ଦୋରା କ୍ରମିଡେରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳିମାନେ ମୋଟ ୭ଟି ସ୍ୱର୍ଣ୍ଣ ପଦକ, ୭ଟି ରୌପ୍ୟ ପଦକ ଓ ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର