ସଦସ୍ୟତା ବିବାଦ ସରଗରମ, ସମ୍ବିଧାନ ଅନୁସାରେ ସଦସ୍ୟ ନେବାକୁ ସିଓଏର ପରାମର୍ଶ

ଅବୈଧ ହୋଇଯିବ ୫ ଜଣିଆ ଯାଞ୍ଚ ସମିତି!

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ରେ ସଦସ୍ୟତାକୁ ନେଇ ଦିନକୁ ଦିନ ନୂଆ ବିବାଦ ସାମ୍ନାକୁ ଆସୁଛି। ନୂଆ କ୍ଲବ୍‌ଗୁଡିକୁ ସଦସ୍ୟତା ପ୍ରଦାନ ପାଇଁ ୫ ଜଣିଆ ଯାଞ୍ଚ ସମିତି ଗଠନ ହୋଇଥିଲେ ବି ଏହାର ବୈଧତାକୁ ନେଇ ପୁଣି ପ୍ରଶ୍ନ ଉଠିଲାଣି। କାରଣ ସୋମବାର ବିସିସିଆଇ ପ୍ରଶାସନିକ ସମିତି (ସିଓଏ) ଓସିଏକୁ ପଠାଇଥିବା ଇ-ମେଲ ଏବେ ଓସିଏ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଯେଉଁ ନୂଆ ସଦସ୍ୟଙ୍କୁ ଓସିଏ ଗ୍ରହଣ କରିବ ତାହାକୁ ସମ୍ବିଧାନ ନୀତିନିୟମ ଅନୁଯାୟୀ ନିଆଯିବ ବୋଲି ସିଓଏ କହିଛନ୍ତି। ଫଳରେ ନୂଆ ସଦସ୍ୟତା ଗ୍ରହଣ କରିବାକୁ ହେଲେ ଓସିଏକୁ ସାଧାରଣ ବୈଠକ ଡକାଇ ଏହାକୁ ଅନୁମୋଦନ ଦେବାକୁ ହେବ। ଯାହାକି ବର୍ତ୍ତମାନ ପରିସ୍ଥିତିରେ ଓସିଏ ପାଇଁ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି। ଯାଞ୍ଚ ସମିତି ଗଠନ ହେବାର ତିନିଦିନ ମଧ୍ୟରେ ପାଖାପାଖି ୩୦ ନୂଆ କ୍ଲବ୍‌ ସଦସ୍ୟତା ପାଇଁ ଆବେଦନ କରିସାରିଲେଣି। ହେଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେଇଛି। ବିନା ସାଧାରଣ ପରିଷଦ ବୈଠକରେ ବର୍ତ୍ତମାନ ସୁଦ୍ଧା ସବୁ କାରବାର ହୋଇ ଚାଲୁଥିବା ବେଳେ ମନଇଚ୍ଛା ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନିଆଯାଇ ଆସୁଥିଲା। ସାଧାରଣ ପରିଷଦ କାର୍ଯ୍ୟକ୍ଷମ ନଥିବା ଦ୍ବାହି ଦେଇ ପରିଚାଳନା ସମିତି ହାତରେ ସ୍ବେଚ୍ଛାକୃତ ଅଧିକାର ରହୁଥିବାରୁ କେହି ସେମାନଙ୍କ ଆଗରେ ବାଧା ଦେଇପାରୁନଥିଲେ। କିନ୍ତୁ ସିଓଏ ଦେଇଥିବା ଇ-ମେଲ୍‌ରେ ଏବେ ପ୍ରତ୍ୟେକ କାର୍ଯ୍ୟ ସାଧାରଣ ପରିଷଦ ବୈଠକ ବିନା ପାସ୍‌ ହୋଇପାରିବନି ବୋଲି ସ୍ପଷ୍ଟ ହୋଇଛି। ଫଳରେ ପ୍ରଥମେ କିଟ୍‌ ଓ ପାରାଦୀପ ପୋର୍ଟ ଏବ˚ ଏବେ ନୂଆ କ୍ଲବ୍‌ ସଦସ୍ୟତାକୁ ନେଇ ଚାଲିଥିବା ବିବାଦ ନୂଆ ମୋଡ଼ ନେବ। ପ୍ରାଥମିକ ସଦସ୍ୟତା ପାଇଥିବା ଜିଲ୍ଲା ସ˚ଘଗୁଡିକୁ ମଧ୍ୟ କିଛି ପୂର୍ବତନ କର୍ମକର୍ତ୍ତା ଅନ୍ଧାରରେ ରଖି ଆସୁଥିଲେ। ନୂଆ କ୍ଲବ୍‌ଗୁଡିକୁ ସାମିଲ କରି ଭୋଟ ବ୍ୟାଙ୍କ ମଜବୁତ କରିବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଫସର ଫାଟିବା ସ୍ଥିତିରେ ପହଞ୍ଚିଛି।

ନୂଆ ସମ୍ବିଧାନ ପ୍ରସ୍ତୁତ ହେବା ଦିନଠୁ ବିନା ସାଧାରଣ ବୈଠକରେ ପ୍ରଥମେ କ୍ଲବ୍‌, ସ୍କୁଲ୍‌, କଲେଜଗୁଡ଼ିକୁ ସଦସ୍ୟତାରୁ କାଟି ଦିଆଯାଇଥିଲା। ପ୍ରତିବାଦ କରାଯିବାରୁ ପରେ ପୁଣି ଥରେ ନିଆଯାଇଥିଲା। କିନ୍ତୁ ଖେଳିବା ଅଧିକାର ପାଇ ଆସୁଥିବା କିଟ୍‌ ଓ ପାରାଦୀପ ପୋର୍ଟକୁ ପୂର୍ଣ୍ଣ ସଦସ୍ୟତା ଦିଆଯିବା ପ୍ରସଙ୍ଗକୁ ନେଇ କ୍ଲବ୍‌ଗୁଡ଼ିକ ପକ୍ଷରୁ ମାମଲା କୋର୍ଟରେ ପହଞ୍ଚିଥିଲା। ଏହି ବିବାଦ ଦୀର୍ଘ ଦିନଧରି ଚାଲିବା ପରେ ଗତ ୫ ତାରିଖରେ ବିସିସିଆଇରେ ଓସିଏ ଓ ବିପକ୍ଷ ଗୋଷ୍ଠୀଙ୍କ ସହ କିଛି କ୍ଲବ୍‌ ସିଓଏ ସହିତ ବୈଠକ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର କିଛି ବରିଷ୍ଠ ଆଇନ୍‌ଜୀବୀ ମଧ୍ୟ ଉପସ୍ଥିତ ଥିଲେ। କିଟ୍‌ ଓ ପାରାଦୀପ ପୋର୍ଟକୁ ନେଇ ଅନେକ ଯୁକ୍ତି ଚାଲିବା ପରେ ଏହି ବୈଠକର ନିଷ୍ପତ୍ତିକୁ ସିଓଏ ସୋମବାର ସମସ୍ତ ପକ୍ଷଙ୍କୁ ଜଣାଇଦେଇଛନ୍ତି। ଯାହାଫଳରେ ପୂର୍ବ ସମ୍ବିଧାନ ବାଦ୍‌ ନୂଆ ସମ୍ବିଧାନରେ କାହାକୁ ସଦସ୍ୟ ଭାବେ ନିଆଯିବ ତାହାର ନିଷ୍ପତ୍ତିକୁ ନୀତିନିୟମ ପରିସରରେ ବିଚାର କରିବାକୁ ସିଓଏ ପରାମର୍ଶ ଦେଇଛନ୍ତି। ସମ୍ବିଧାନର ଧାରା ୪୪ ଅନୁଯାୟୀ ସାଧାରଣ ପରିଷଦ ବୈଠକରେ ତିନି ଚତୁର୍ଥାଂଶ ସମର୍ଥନ ପାଇବା ପରେ ନୂଆ ସଦସ୍ୟତା ପ୍ରଦାନ କରାଯିବା କଥା। ଏ ସ˚ପର୍କରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ ଆମେ ଯାହା କିଛି କରୁଛୁ, କୋର୍ଟଙ୍କ ନୀତିନିୟମ ଅନୁସାରେ କରୁଛୁ। ଓସିଏର ସାଧାରଣ ପରିଷଦ ଭାଙ୍ଗିଯାଇଥିବାରୁ ସବୁ କ୍ଷମତା ପରିଚାଳନା ସମିତିକୁ ଦିଆଯାଇଛି। ତେଣୁ ସମ୍ବିଧାନରେ ଯାହା ଲେଖା ହୋଇଛି, ତାହା କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଏବେ ପରିଚାଳନା ସମିତି ନିଷ୍ପତ୍ତି ଅନୁସାରେ ଯାଞ୍ଚ ସମିତି ଗଠନ ହୋଇଛି। ଏହି ସମିତି ରିପୋର୍ଟ ଆଧାରରେ ନୂଆ ସଦସ୍ୟ ନିଆଯିବ। ନୂଆ ସାଧାରଣ ପରିଷଦ ଗଠନ ହେବା ପରେ ସଦସ୍ୟତା ସ˚କ୍ରାନ୍ତରେ ସେମାନେ ଆଲୋଚନା କରିପାରିବେ ବୋଲି ଧୀରେନ୍‌ କହିଛନ୍ତି। ତେବେ କିଟ୍‌ ଓ ପାରାଦୀପ ପୋର୍ଟର ସଦସ୍ୟତାକୁ ନେଇ ସିଓଏ କ’ଣ କହିଛନ୍ତି, ତାହା ସେ ଜାଣିନଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର