ଭୁବନେଶ୍ବର: ଓଡ଼ିଶା ଏଫ୍ସିର ବହୁ ପ୍ରତୀକ୍ଷିତ କଳିଙ୍ଗ ଷ୍ଟାଡିୟମ୍ ପଦାର୍ପଣ ମ୍ୟାଚ୍ ଡିସେମ୍ବର ୨୭ ତାରିଖରେ ହେବ। ପଡ଼ୋଶୀ ଜାମସଦେପୁର ଏଫ୍ସି ବିପକ୍ଷରେ ଖେଳି ନିଜର ଅସଲ ଘରୋଇ ଅଭିଯାନ ଆରମ୍ଭ କରିବ ଏହି ପୂର୍ବତନ ଦିଲ୍ଲୀ ଡାଇନାମସ୍ ଦଳ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ପ୍ରସ୍ତୁତ ନଥିବାରୁ ଓଡ଼ିଶା ଏଫସି ନିଜର ପ୍ରଥମ ୩ ଘରୋଇ ମ୍ୟାଚ୍କୁ ପୁନେରେ ଖେଳି ଗୁରୁବାର ଓଡ଼ିଶା ଫେରିଛି। ଘରୋଇ ଦଳର ପ୍ରଶଂସକମାନେ ଏବେ ‘ଆମ ଟିମ୍ ଆମ ଗେମ୍’ ଅଭିଯାନକୁ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଥର ଦେଖିବାକୁ ପାଇବେ। ପୂର୍ବ ୩ ଘରୋଇ ମ୍ୟାଚ୍ (ପୁନେ)ରେ ଜୋସେପ୍ ଗୋମ୍ବୁଙ୍କ ଓଡ଼ିଶା ଏଫ୍ସି ଦଳ ଏଟିକି ସହ ଅମୀମାଂସିତ, ବେଙ୍ଗାଲୁରୁ ଏଫସିଠୁ ପରାଜୟ ବରଣ କରିବା ପରେ ଶେଷ ମ୍ୟାଚ୍ରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଥିଲା। ଚଳିତ ଷଷ୍ଠ ସିଜନ୍ରେ କିନ୍ତୁ ଓଡ଼ିଶା ଦଳ ଖେଳିଥିବା ୮ ମ୍ୟାଚ୍ରୁ ୨ ବିଜୟ ଏବଂ ୩ ଲେଖାଏଁ ଅମୀମାଂସିତ ଓ ପରାଜୟ ବରଣ କରି ପଏଣ୍ଟ ଟେବୁଲ୍ ଷଷ୍ଠ ସ୍ଥାନରେ ରହିଛି।
କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ଷ୍ଟାଡିୟମ୍ କେନ୍ଦ୍ରରେ ଥିବା ଫୁଟ୍ବଲ୍ ପଡିଆର ଉନ୍ନତିକରଣ ଏବଂ ୨୦୨୦ ମସିହାର ୧୭ ବର୍ଷରୁ କମ୍ ଫିଫା ବିଶ୍ବକପ୍ ପ୍ରସ୍ତୁତି ପାଇଁ ଓଡ଼ିଶା ଏଫ୍ସି ନିଜ ନୂଆ ଘରକୁ ଆସିବାରେ ବିଳମ୍ବ ଘଟିଥିଲା। ନିଜ ଘରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋସେପ୍ ଗୋମ୍ଭୁ ଖୁସି ଜାହିର କରିଛନ୍ତି। ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଖେଳିବାର ଈଛା ପୂରଣ ହେବାକୁ ଯାଉଥିବାରୁ ଆନନ୍ଦିତ, ଦଳ ଘରେ ଖେଳୁଥିବାବେଳେ ଦୃଢ଼ ରହିଥାଏ। ଅଦ୍ୟାବଧି ଦଳର ଯାତ୍ରା ଭଲ ରହିଛି’ ବୋଲି କହିଛନ୍ତି ଯୋସେପ୍। ଓଡ଼ିଶା ଲୋକମାନେ ନିଶ୍ଚିତ ବାହାର ମ୍ୟାଚ୍କୁ ନେଇ ଖୁସି ଥିବେ। ଏବେ ଓଡ଼ିଶାର ଲୋକମାନେ ଫୁଟ୍ବଲ୍ ଭଳି ସୁନ୍ଦର ଖେଳକୁ ଉପଭୋଗ କରିପାରିବେ। ପଡ଼ିଆକୁ ଆସି ଦଳର ଦ୍ବାଦଶ ଖେଳାଳି ହେବାକୁ ମଧ୍ୟ ଯୋସେପ୍ ଅନୁରୋଧ କରିଥିଲେ। ଆମେ ଆପଣଙ୍କୁ ଷ୍ଟାଡିୟମ୍ରେ ଅପେକ୍ଷା କରିଛୁ ବୋଲି ପ୍ରକାଶ କରିଥିଲେ ଏହି ୪୩ ବର୍ଷୀୟ ସ୍ପାନିସ୍।
ଆମ ପାଇଁ ଚଳିତ ଋତୁ କଷ୍ଟକର ରହିଛି, ଅଦ୍ୟାବଧି ଦଳକୁ ନିଜ ଘରଠାରୁ ବାହାରେ ସବୁ ମ୍ୟାଚ୍ ଖେଳିବାକୁ ପଡ଼ିଛି। ଏବେ ନିଜ ପ୍ରଶଂସକଙ୍କ ସମ୍ମୁଖରେ ଖେଳିବାକୁ ଯାଉଥିବାରୁ ଆମେ ଖୁସି ଓ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଏଫ୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ସାହା।
ଆକର୍ଷଣୀୟ ଟିକେଟ୍ ବ୍ୟବସ୍ଥା
କଳିଙ୍ଗ ଷ୍ଟାଡିୟମ୍ରେ ଘରୋଇ ଦଳ ଓଡ଼ିଶା ଏଫ୍ସିର ମ୍ୟାଚ୍କୁ ଉପଭୋଗ କରିବାକୁ ଟିକେଟ୍ର ବ୍ୟବସ୍ଥା କରାଯାଇଛି। ଫୁଟ୍ବଲ୍ ପ୍ରେମୀଙ୍କ ଆକର୍ଷିତ କରିବା ଲାଗି ମଧ୍ୟ ଏହାକୁ ଶସ୍ତା ଓ ଆକର୍ଷଣୀୟ କରାଯାଇଛି। ଟିକେଟର୍ ମୂଲ୍ୟ ୭୫ ଟଙ୍କା (ସାଉଥ୍ ବ୍ଲକ୍-ବି, ନର୍ଥ ବ୍ଲକ୍-ଡି’, ୧୫୦ ଟଙ୍କା (ସିରାଜୁଦ୍ଦିନ୍ ଷ୍ଟାଣ୍ଡ୍ ଏବଂ ଆୱେ ଟିମ୍ ଷ୍ଟାଣ୍ଡ୍), ୨୯୯ ଟଙ୍କା (ପ୍ରିମିୟମ୍ ନର୍ଥ ୱେଷ୍ଟ୍ ବ୍ଲକ୍-ଏ) ରଖାଯାଇଛି। ଅନ୍ୟୁନ ୨ଟି ଟିକେଟ୍ କିଣିଲେ ୭୫ ଟଙ୍କା ମୂଲ୍ୟର ଏକ ମୁଭି ଭାଉଚର ବି ମିଳିବ। ଓଡ଼ିଶା ଏଫ୍ସିର ନିଜସ୍ବ ୱେବ୍ସାଇଟ୍ରେ (www.odishafc.com) ଟିକେଟ୍ ଉପଲବ୍ଧ ରହିଛି।