୧୯୭୫ ବିଶ୍ବ ବିଜେତା ଦଳକୁ ସମ୍ବର୍ଧିତ କରିବେ ଓଡ଼ିଶା ସରକାର

ଭୁବନେଶ୍ବର,: ଚତୁର୍ଦଶ ହକି ବିଶ୍ବକପ୍ ଅବସରରେ ଓଡ଼ିଶା ସରକାର ୧୯୭୫ ବିଶ୍ବକପ୍ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଧିତ କରିବେ। ଭାରତୀୟ ହକି ପାଇଁ ବଳିଷ୍ଠ ଯୋଗଦାନ ରଖିଥିବା ସେହି ବିଶ୍ବବିଜେତା ଦଳର ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସରକାର ଆର୍ଥିକ ପୁରସ୍କାର ଦେବେ। ଭାରତ ପାଇଁ ଶେଷ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ଅଧିନାୟକ ଅଜିତ ପାଲ ସିଂହ, କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ଏବଂ ରାଉରକେଲାରେ ରହୁଥିବା ବିଶ୍ବବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମାଇକେଲ୍ କିଣ୍ଡୋ ପ୍ରମୁଖ ଏଥିଲାଗି ଭୁବନେଶ୍ବରରେ ଏକାଠି ହେବେ। ଓଡ଼ିଶା ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଏହି ବିଗତ ଦିନର ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିବେ। ଏଫ୍‌ଆଇଏଚ୍ ସଭାପତି ନରେନ୍ଦ୍ର ବାତ୍ରାଙ୍କ ସହ ହକି ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଯେ ୧୯୭୫ ମସିହା କ୍ବାଲାଲମ୍ପୁର ବିଶ୍ବକପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଭାରତ ବିଶ୍ବ ବିଜୟୀ ହୋଇଥିଲା। ଏହା ପରେ ଭାରତୀୟ ହକି ଦଳ ଆଉ ବିଶ୍ବକପ୍ ଜିତିପାରିନାହିଁ। ୨୦୧୪ରେ ଏହି ଦଳର ସଦସ୍ୟଙ୍କୁ ହକି ଇଣ୍ଡିଆ ସମ୍ବର୍ଧିତ କରିଥିଲା। ସେତେବେଳେ ବିଶ୍ବକପ୍ ବିଜୟୀ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା ଲେଖାଏଁ ମିଳିଥିଲା। ୧୯୭୫ ମସିହା ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବା ‌ଖେଳାଳିମାନେ ହେଲେ ଅଜିତ ପାଲ ସିଂହ (ଅଧିନାୟକ), ଅଶୋକ କୁମାର, ଅସଲମ ଶେର ଖାନ୍, ହରଚରଣ ସିଂହ, ଲେସଲି ଫର୍ନାଣ୍ଡେସ୍, ବରିନ୍ଦର ସିଂହ, ଅଶୋକ ଦିୱାନ, ମାଇକେଲ୍ କିଣ୍ଡୋ, ବିପି ଗୋବିନ୍ଦ, ଏଚ୍‌ଜେଏସ୍ ଚିମନି, ଭିଜେ ଫିଲିପ୍ସ, ଓଙ୍କାର ସିଂହ, କୈଳାଶ ପିଇ, ସ୍ବର୍ଗତ ଶତୃଜିତ ସିଂହ, ଶିବାଜୀ ପରୱାର ଓ ମୋହିନ୍ଦର ସିଂହ।

ସମ୍ବନ୍ଧିତ ଖବର