ଓଡ଼ିଶାର ହ୍ୟାଟ୍ରିିକ୍‌ ବିଜୟ: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌

ଭୁବନେଶ୍ୱର: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ (୧୫ ବର୍ଷରୁ କମ୍‌) ପଦାର୍ପଣରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ହ୍ୟାଟ୍ରିକ୍‌ ବିଜୟ ସହିତ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ୩ ମ୍ୟାଚ୍‌ରୁ ୩ ବିଜୟ ସହ ୯ ପଏଣ୍ଟ୍‌ ପାଇ ପଏଣ୍ଟ ଟେବୁଲ୍‌ରର ଶୀର୍ଷରେ ରହିଛି। ପୁନେରେ ଚାଲିଥିବା ଅବଶିଷ୍ଟ ଭାରତ ଜୋନ୍‌ର ଗ୍ରୁପ୍‌ ‘ସି’ରେ ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଦଳ ୯-୦ରେ ଫତେ ହାଇଦ୍ରାବାଦ ଏଏଫ୍‌ସିକୁ ପରାସ୍ତ କରିବା ପରେ ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ଅନନ୍ତପୁର କ୍ରୀଡ଼ା ଏକାଡେମୀକୁ ୨-୦ରେ ପରାସ୍ତ କରିଥିଲା। ଶୁକ୍ରବାର ତୃତୀୟ ମ୍ୟାଚ୍‌ରେ ଶକ୍ତିଶାଳୀ ଡିଏସ୍‌କେ ଶିବାଜିଆନସ ଏଫ୍‌ସିକୁ ଓଡ଼ିଶା ଦଳ ୧-୦ ଗୋଲ୍‌ରେ ପରାସ୍ତ କରିଛି। ଏକମାତ୍ର ଗୋଲ୍‌ ମ୍ୟାଚ୍‌ର ୪୩ ମିନିଟରେ ସମୀର କେରକେଟା ଦେଇଥିଲେ। ରଘୁ ମାରାଣ୍ଡିଙ୍କ ପାସ୍‌କୁ ସମୀର ପ୍ରାୟ ୨୫ ଗଜ ଦୂରରୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଏଥି ସହିତ କେରକେଟା ପ୍ରତିଯୋଗିତାରେ ନିଜର ଚତୁର୍ଥ ଗୋଲ୍‌ ଦେଇ ଓଡ଼ିଶାର ଅଗ୍ରଣୀ ସ୍କୋରର୍‌ ମଧ୍ୟ ରହିଛନ୍ତି। ଶେଷ ଲିଗ୍‌ରେ ରବିବାର ଓଡ଼ିଶା ଜାମସେଦପୁରର ଟାଟା ଫୁଟ୍‌ବଲ୍‌ ଏକାଡେମୀ (ଟିଏଫ୍‌ଏ) ସହିତ ଖେଳିବ। ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ଥିବାରୁ ଓଡ଼ିଶା ପରବର୍ତୀ ରାଉଣ୍ଡ୍‌କୁ ଯୋଗ୍ୟତା ଅର୍ଜନ କରିବା ନିଶ୍ଚିତ ହୋଇଛି। ଶେଷ ଲିଗ୍‌ ପରେ ଦ୍ୱିତୀୟ ଦଳ ଭାବେ ଆଗକୁ ଯିବାର ସୁଯୋଗ ଥିବାରୁ ଏବେ ଓଡ଼ିଶା ଯୋଗ୍ୟତା ଦ୍ୱାରାଦେଶରେ ପହଞ୍ଚିଯାଇଛି।

ଓଡ଼ିଶା ଦଳଗତଭାବେ ଭଲ ଖେଳିବାରୁ ଶିବାଜିଆନ୍‌ସ ବିପକ୍ଷ ମ୍ୟାଚ୍‌ ଲାଗି ପ୍ରସ୍ତୁତ ରଣକୌଶଳର ସଫଳ ରୂପାୟନ ହେଲା। ବିଜୟର ଶ୍ରେୟ ସବୁ ଖେଳାଳିଙ୍କୁ ଯିବ। ସବୁ ଖେଳାଳି ପରିଶ୍ରମ କରିବାରୁ ଏହା ସମ୍ଭବ ହୋଇଛି। ଦଳର ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସୀ। ପ୍ରତିଯୋଗିତାକୁ ଆସିବା ପୂର୍ବରୁ କଳିଙ୍ଗ ଷ୍ଟାଡିିୟମ୍‌ରେ ଆୟାଜିତ ଦେଢ଼ ମାସିଆ ପ୍ରସ୍ତୁତି ଶିବିିରର ସୁଫଳ ମିଳିଲା ବୋଲି କହିଛନ୍ତି ଓଡ଼ିଶା ଦଳର ପ୍ରଶିକ୍ଷକ ପରାସର ବାଗ। ଶେଷ ଲିଗ୍‌ରେ ଟିଏଫ୍‌ଏକୁ ହରାଇ ଆମେ ଆଗକୁ ବଢ଼ିବୁ ବୋଲି ଦୃଢ଼ତାର ସହ କହିଥିଲେ ଶ୍ରୀ ବାଗ।

ସୂଚନାଯୋଗ୍ୟ, ବର୍ଷ ପ୍ରାରମ୍ଭରେ ଫୁଟ୍‌ବଲ୍‌ ଉପରେ ‘ସମ୍ବାଦ’ରେ ପ୍ରକାଶିତ ଲଗାତାର ଗଠନମୂଳକ ଖବର ପରେ ଫୁଟ୍‌ବଲ୍‌କୁ ରାଜ୍ୟ କ୍ରୀଡ଼ା ବିଭାଗ ଅଗ୍ରାଧିକାର ଦେବା ଆରମ୍ଭ କରିଥିଲା। ଏନ୍‌ଆଇଏସ୍‌ ପ୍ରଶିକ୍ଷକଙ୍କୁ ଲାଇସେନ୍‌ସ ପ୍ରଶିକ୍ଷଣ ବ୍ୟବସ୍ଥା ସହିତ ଆଇ-ଲିଗ୍‌ରେ ଖେଳିବା ଲାଗି ନିଷ୍ପତ୍ତି ହୋଇଥିଲା। ଏବେ ବର୍ଷ ଶେଷ ନ ହେଉଣୁ ଓଡ଼ିଶାକୁ ଏହାର ସୁଫଳ ମିଳିବା ଆରମ୍ଭ ହୋଇଛି। ବଡ଼ ମଇଦାନରେ ଖେଳିବା ସୁଯୋଗ ସହିତ ପେସାଦାର ଖେଳାଳି ହେବାର ପ୍ଲାଟଫର୍ମ ମିଳିଛି ଓଡ଼ିଶା ଖେଳାଳିଙ୍କୁ।

ସମ୍ବନ୍ଧିତ ଖବର