ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଜର୍ମାନୀ ୫-୩ରେ ମାଲେସିଆ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ରବିବାର ମ୍ୟାଚରେ ଜର୍ମାନୀ ୫-୩ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛନ୍ତି। ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୩ତମ ମ୍ୟାଚ ଆରମ୍ଭରୁ ରୋମାଞ୍ଚକ ଥିଲା। ‘ପୁଲ-ଡି’ର ଶୀର୍ଷ ସ୍ଥାନରେ ଥିବା ଜର୍ମାନୀକୁ ମାଲେସିଆର ଖେଳାଳିମାନେ କଡ଼ା ମୁକାବିଲା କରୁଥିଲେ। ମାତ୍ର ଶେଷ କ୍ୱାର୍ଟରେ ମାଲେସିଆ ଖେଳାଳିଙ୍କ ପ୍ରଭାବ ପୂର୍ବଭଳି ନଥିଲା। ପୂର୍ବରୁ କ୍ୱାର୍ଟରଫାଇନାଲରେ ଜର୍ମାନୀ ପ୍ରବେଶ କରି ସାରିଥିବା ବେଳେ ଆଜିର ଏହି ମ୍ୟାଚ ପରେ ମାଲେସିଆ ବିଶ୍ୱକପ୍‌ରୁ ବିଦାୟ ନେଇଛି।

ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ଡିସେମ୍ବର ୯ ଶେଷ ରବିବାର ଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଆଜି ପ୍ରବଳ ଭିଡ଼ ରହିଛି। କାରଣ ଆସନ୍ତା ରବିବାର ଫାଇନାଲ ମ୍ୟାଚ ଥିବାରୁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। ଦର୍ଶକମାନେ ଉତ୍ସାହର ସହିତ ପାକିସ୍ତାନ-ନେଦରଲାଣ୍ଡସ୍‌ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି।

‘ପୁଲ-ଡି’ରେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଜାରି ରହିଛି। ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ନେଦରଲାଣ୍ଡ ୨ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ୩ ପଏଣ୍ଟ ହାସଲ କରିଛି।

ପାକିସ୍ତାନ ୨ଟି ମ୍ୟାଚ ଖେଳି ଗୋଟିଏ ହାରି ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର କରି ୧ ପଏଣ୍ଟ ହାସଲ କରିଛି। ପୁରୁଷ ହକି ବିଶ୍ୱକପ୍‌ ଭାରତରେ ଅନୁଷ୍ଠିତ ହେଉଥିବାରୁ ଏଠାକାର ଦର୍ଶକମାନେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବା ସୁନିଶ୍ଚିତ।

ସମ୍ବନ୍ଧିତ ଖବର