ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଭାରତ-ବେଲଜିୟମ୍‌ ମ୍ୟାଚ ୨-୨ରେ ଡ୍ର

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ବେଲଜିୟମ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ ରୋମାଞ୍ଚକ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୧୦ମ ମ୍ୟାଚର ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ଭାରତ ୩ୟ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ଏହାକୁ ବେଲଜିୟମ ୩ୟ ଏବଂ ୪ର୍ଥ କ୍ୱାର୍ଟରରେ ସମାନ ସ୍ତରକୁ ଆଣିଥିଲା। ଫଳରେ ଏହି ମ୍ୟାଚ ଡ୍ର ହୋଇଛି। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୫ମ ଦିନରେ କଳିଙ୍ଗ ହକି ଗ୍ରାଉଣ୍ଡର ଗ୍ୟାଲିରରେ ଦର୍ଶକମାନେ ରୋମାଞ୍ଚକ ମ୍ୟାଚକୁ ଉପଭୋଗ କରିଥିଲେ।

ଆଜିର ପ୍ରଥମ ମ୍ୟାଚ କାନାଡା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ହୋଇଥିଲା। ଉଭୟ ଦେଶର ଖେଳାଳିମାନେ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଏହି ମ୍ୟାଚ ୧-୧ ଗୋଲରେ ଡ୍ର ହେବା ଫଳରେ କୌଣସି ନିସ୍କର୍ଷ ବାହାରି ନ ଥିଲା। କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ‘ପୁଲ-ସି’ର ୩ୟ ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଥିଲେ। କାରଣ ୨ ଦେଶର ଖେଳାଳିମାନେ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲେ। ପ୍ରଥମ ୨ଟି କ୍ୱାର୍ଟରେ କୌଣସି ଗୋଲ୍‌ ହୋଇ ନଥିବାରୁ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଥିଲେ। ୩ୟ କ୍ୱାର୍ଟର ଅନ୍ତିମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଗୋଲ ଦେବାର ଖୁବ୍‌ ଅଳ୍ପ ସମୟ ମଧ୍ୟରେ କାନାଡା ଏହାକୁ ସମାନ ସ୍ତରକୁ ଆଣିଥିଲା। ଶେଷ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା।

ସମ୍ବନ୍ଧିତ ଖବର