ଆଇ-ଲିଗ୍‌ ପଦାର୍ପଣ ଅଭିମୁଖେ ଓଡ଼ିଶା

କ୍ରୀଡ଼ା ବିଭାଗରେ ଜର୍ସି ଉନ୍ମୋଚନ ଓ ଶୁଭେଚ୍ଛା ପ୍ରଦାନ

ଭୁବନେଶ୍ୱର: ଦୌଡ଼କୁଦ ଏବଂ ହକିର ମହୋତ୍ସବ ପରେ ଓଡ଼ିଶା ସରକାର ବିଳମ୍ବରେ ହେଲେ ମଧ୍ୟ ବିଶ୍ୱର ସବୁଠୁ ଲୋକପ୍ରିୟ ଖେଳ ଫୁଟ୍‌ବଲ୍‌ର ବିକାଶ ପାଇଁ ଆଗ୍ରହ ଦେଖାଇଛନ୍ତି। ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଖେଳାଯାଉଥିବା ଆଇ-ଲିଗ୍‌ରେ ପଦାର୍ପଣ କରିବାକୁ ଯାଉଛି ଓଡ଼ିଶା ଦଳ। ‘କ୍ରୀଡ଼ା ଛାତ୍ରାବାସ ଓଡ଼ିଶା’ ନାମରେ ଖେଳିବେ ରାଜ୍ୟର ୧୫ ବର୍ଷରୁ କମ୍‌ ଖେଳାଳିମାନେ। ପୁନେରେ ଡିସେମ୍ବର ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଆଇ-ଲିଗ୍‌ର ୧୫ ବର୍ଷରୁ କମ୍‌ ବର୍ଗର ଅବଶିଷ୍ଟ ଭାରତ ଜୋନର ଗ୍ରୁପ୍‌ ‘ସି’ ପର୍ଯ୍ୟାୟ ଖେଳାଯିବ। ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ସହିତ ଡିକେଏସ୍‌ ଶିବାଜିଆନସ, ଟାଟା ଫୁଟ୍‌ବଲ୍‌ ଏକାଡେମୀ, ଅନନ୍ତପୁର ସ୍ପୋର୍ଟସ ଏକାଡେମି, ଫତେ ହାଇଦ୍ରାବାଦ ଏଏଫ୍‌ସି ଏହି ଗ୍ରୁପ୍‌ରେ ରହିଛନ୍ତି। ଓଡ଼ିଶା ୧୮ ତାରିଖରେ ହାଇଦ୍ରାବାଦ, ୨୦ରେ ଅନନ୍ତପୁର, ୨୨ରେ ଶିବାଜିଆନସ ଏବଂ ୨୪ରେ ଟିଏଫଏ ସହିତ ଖେଳିବ। ଫାଇନାଲ୍‌ ରାଉଣ୍ଡ୍‌ ଯୋଗ୍ୟତା ପାଇଁ ଏହି ଦଳ ମଧ୍ୟରେ ମୁକାବିଲା ହେବ। ଅନ୍ୟ ଦଳ ଗୁଡ଼ିକ ଅଭିଜ୍ଞ ଥିଲେ ମଧ୍ୟ ଓଡ଼ିଶା ପାଇଁ ଅଭିଜ୍ଞତା ଅର୍ଜନ କରିବା ଏବଂ ଏକ୍ସପୋଜର୍‌ ପାଇବା ବଡ଼ କଥା ହେବ।

ଏହି ବହୁ ପ୍ରତୀକ୍ଷିତ ପ୍ରତିଯୋଗିତା ପଦାର୍ପଣ ପାଇଁ ଆମ ପ୍ରସ୍ତୁତି ଭଲ ହୋଇଛି। ନଭେମ୍ବର ପହିଲାରୁ ପ୍ରାୟ ଦେଢ଼ ମାସ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଶିକ୍ଷଣ ଶିବିର ଚାଲିବା ପରେ ଖେଳାଳିମାନେ ଏବେ ସେମାନଙ୍କ ସ୍ୱପ୍ନର ପ୍ରତିଯୋଗିତାରେ ଖେଳିବାକୁ ଯାଉଛନ୍ତି ବୋଲି କହିଛନ୍ତି ଓଡ଼ିଶା ଦଳର ମୁଖ୍ୟ ପରାମର୍ଶଦାତା ‘ଏ’ ଲାଇସେନ୍‌ସପ୍ରାପ୍ତ ଶୁଭେନ୍ଦୁ ପଣ୍ଡା। ପ୍ରଶିକ୍ଷକ ପରାସର ବାଗ ଏବଂ ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଦଳ ଠିକଣା ମାନସୀକତାରେ ଗସ୍ତ କରିଛି। ବିଶେଷ କରି ମୁକ୍ତିପ୍ରସାଦଙ୍କ ପାଇଁ ଦଳ ଆହତ ସମସ୍ୟାକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଛି ବୋଲି କହିଥିଲେ ଶ୍ରୀ ପଣ୍ଡା। ପୂର୍ବରୁ ଓଡ଼ିଶା ଖେଳାଳିମାନେ ବର୍ଷକୁ ଏକମାତ୍ର ଜାତୀୟ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଉଥିଲେ। ଆଇ-ଲିଗ୍‌ରେ ଖେଳିବା ଦ୍ୱାରା ସେମାନଙ୍କ ଦୃଷ୍ଟିକୋଣ, ଅଭିଜ୍ଞତା ବଢ଼ିବା ସହିତ ବଡ଼ କ୍ଲବ୍‌ରୁ ପେସାଦାର ଖେଳାଳି ହେବାର ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ। ସରକାରୀ କ୍ରୀଡ଼ା ଛାତ୍ରାବାସର ପିଲାମାନେ ପୂର୍ବରୁ ଏଭଳି ସୁଯୋଗ ପାଉନଥିଲେ ବୋଲି କହିଥିଲେ ଶ୍ରୀ ପଣ୍ଡା।

ଓଡ଼ିଶା ଦଳର ଜର୍ସି ଉନ୍ମୋଚନ ଏବଂ ଖେଳାଳିକୁ ଶୁଭେଚ୍ଛା ଜଣାଇବା ଲାଗି ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣା, ଉପ ନିର୍ଦେଶକ ମନୋଜ ପାଢ଼ୀ, ସହକାରୀ ନିର୍ଦେଶକ ଅଖିଳ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଦଳ- ଗୋଲରକ୍ଷକ: ଅମି୍ରତ ଲାକ୍ରା, ସୁବ୍ରତ ପ୍ରଧାନ, ଉମେଶ ସିଂହ। ରକ୍ଷଣ ଭାଗ: ଗୋପାଳ ହେମ୍ବ୍ରମ୍‌, ସଂଜିତ କହଁର, ସାଗର ମାଝୀ, ବବ୍‌ଲୁ କହଁର,, ଲାଲୁ ହେମ୍ବ୍ରମ୍‌, ଜ୍ୟୋତିର୍ମୟ ଗଡ଼ତିଆ। ମଧ୍ୟଭାଗ: ରଘୁ ମାରାଣ୍ଡି, ଲକ୍ଷ୍ମଣ ମାର୍ଣ୍ଡି, ବୀରସିଂହ ହେମ୍ବ୍ରମ୍‌, ଜଗଦୀଶ ଓରାମ, ନବୀନ ମାଝୀ, ଦୁର୍ଗା ମାରାଣ୍ଡି। ଅଗ୍ରଭାଗ: ପୁରୁଷୋତ୍ତମ କେରକେଟା, ବୃନ୍ଦାବନ ମୁଣ୍ଡା, ଫଗୁ ମାଝୀ, ସମୀର କେରକେଟା, ରଂଜନ ମାଝୀ। ପ୍ରଶିକ୍ଷକ: ପରାସର ବାଗ, ପ୍ରବଂଧକ: ଯଶପାଲ୍‌ ଉର୍ମା, ଫିଜିଓ: ଡାକ୍ତର ମୁକ୍ତି ପ୍ରସାଦ ଦାଶ।

ସମ୍ବନ୍ଧିତ ଖବର