ଶେଷ ମିନିଟ୍‌ରେ ହାରି ଓଡ଼ିଶା ଉପବିଜେତା

ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଗୁରୁବାର ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ରୋମାଞ୍ଚକର ଫାଇନାଲ୍‌ରେ ଓଡ଼ିଶାକୁ ହରାଇ ମଣିପୁର ବିଜେତା ହୋଇଛି। ପ୍ରଥମାର୍ଧ ସୁଦ୍ଧା ମ୍ୟାଚ୍‌ ୧-୧ ଗୋଲ୍‌ ସମାନ ସ୍ଥିତିରେ ଥିବା ବେଳେ ଦ୍ୱିତୀୟାର୍ଧର ଶେଷ ମିନିଟ୍‌ରେ ହିଁ ମଣିପୁର ପାଇଥିବା ଏକ ସୁଯୋଗକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା। ଫଳରେ ମଣିପୁର ୨-୧ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା ବେଳେ ଧୀମା ଖେଳୁଥିବା ଓଡ଼ିଶାକୁ ଶକ୍ତ ଝଟ୍‌କା ଲାଗିଥିଲା। ମ୍ୟାଚ ଆରମ୍ଭରୁ ଓଡ଼ିଶା ସଂପୂର୍ଣ୍ଣ ଧୀମା ଖେଳିଥିବା ଦେଖାଯାଇଥିଲା। ଯାହାର ଫଳସ୍ୱରୂପ ମ୍ୟାଚ୍‌ରେ ଓଡ଼ିଶା ଖେଳାଳିମାନେ ଗୋଟିଏ ବି ଗୋଲ ଦେବାରେ ସଫଳ ହୋଇନଥିଲେ। ବରଂ ମଣିପୁରର ଆତ୍ମଘାତୀ ଗୋଲ୍‌ ହିଁ ଓଡ଼ିଶାକୁ ପ୍ରଥମାର୍ଧରେ ସ୍ଥିତି ସମାନ କରିବା ସୁଯୋଗ ଦେଇଥିଲା। ୮ ମିନିଟ୍‌ରେ ଲାଇସ୍‌ରାମ ଦେବୀ ପ୍ରଥମ ଗୋଲ୍‌ ଦେଇ ମଣିପୁରକୁ ଅଗ୍ରଣୀ ଦେଇଥିଲେ। ତେବେ ୪୦ ମିନିଟ୍‌ରେ ନନ୍ଦେଇବାମ ଚାନୁଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ମ୍ୟାଚ୍‌ ସମାନ ସ୍ଥିତିକୁ ଆସିଯାଇଥିଲା। ଓଡ଼ିଶା ଅଧିନାୟିକା ସୁମିତ୍ରା ହେମ୍ବ୍ରମ୍‌ ଏକ ପାସ୍‌ ଦେଉଥିବା ବେଳେ ବଲ୍‌ ନନ୍ଦେଇବାମଙ୍କ ଗୋଡ଼ରେ ବାଜି ପୋଷ୍ଟ ଭିତରକୁ ଚାଲିଯାଇଥିଲା। ଯଦିଓ ଏହି ଗୋଲ୍‌ରେ ଓଡ଼ିଶା ସନ୍ତୁଷ୍ଟ ହେଲା କିନ୍ତୁ ଏହାପରେ ଆଉ ଗୋଲ୍‌ ଦେବାରେ ଘରୋଇ ଖେଳାଳିଙ୍କ ଭିତରେ ସେଭଳି ଉତ୍ସାହ ଦେଖାଯାଉନଥିଲା। ଫଳରେ ଫରଓ୍ଵାର୍ଡରେ ମାତ୍ର ତିନିଜଣଙ୍କୁ ଛଡ଼ା ଯାଇଥିଲେ ବି ବିପକ୍ଷ ପୋଷ୍ଟ ପାଖରେ ପହଞ୍ଚିବା ବେଳକୁ ଆଉ କୌଣସି ଖେଳାଳିଙ୍କ ଦେଖାମିଳୁନଥିଲା। ଏଥିଯୋଗୁଁ ମଣିପୁର ଡିଫେଣ୍ଡରମାନେ ସହଜରେ ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରିପାରୁଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଗୋଲ୍‌ରକ୍ଷିକା ମଞ୍ଜୁ ଗଞ୍ଜୁ ମଧ୍ୟ ଅନେକ ସମ୍ଭାବନାକୁ ଏଡ଼ାଇବାରେ ସଫଳ ହୋଇଥିଲେ। କିନ୍ତୁ ମ୍ୟାଚ୍‌ ଶେଷ ହେବାର କିଛି ସେକେଣ୍ଡ ପୂର୍ବରୁ (୯୦+୩) ହେମାମ୍‌ ଦେବୀଙ୍କ ଗୋଲ୍‌ ମଣିପୁରକୁ ବିଜେତା କରାଇଥିଲା।

ପୁରସ୍କାର ପ୍ରଦାନ ସମାରୋହରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବାରବାଟୀ କଟକ ବିଧାୟକ ତଥା ଫାଓ ସଭାପତି ଦେବାଶିଷ ସାମନ୍ତରାୟ, ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ବିଜୟ ଦାସ, ଭକ୍ତବଲ୍ଲଭ ଦାସ, ତଡ଼ିତ କୁମାର ରାଉତ, ସୁବ୍ରତ କୁମାର ପଣ୍ଡା, ଦିଲ୍ଲୀପ କୁମାର ସାହୁ, ରବିନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ବିଜୟ କୁମାର ଦାସ, ଅଭିଜିତ ପାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର