ସମ୍ବିଧାନ ନଆସିବା ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ଓସିଏକୁ ସିଓଏର ନିର୍ଦ୍ଦେଶ

କଟକ: ପୁଣି ଅନିଶ୍ଚିତତାରେ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ନିର୍ବାଚନ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ)ର ନିର୍ଦେଶ ନମିଳିବା ପର୍ଯ୍ୟନ୍ତ କୌଣସି ସଂଘ ନିର୍ବାଚନ ନକରିବାକୁ ଓସିଏକୁ ଏକ ସର୍କୁଲାର ଆସିଥିବା ଜଣାପଡ଼ିଛି। ନିକଟରେ ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ନିର୍ବାଚନ କରିବାକୁ ଯାଉଥିବା ବେଳେ ସେଥିରେ ଲୋଧା ସମିତି ସୁପାରିସକୁ ଅମାନ୍ୟ କଲାଭଳି କିଛି ସର୍ତ୍ତକୁ ଉଲଙ୍ଘନ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା। ତେଣୁ ଏହି ନିର୍ବାଚନକୁ ଅବୈଧ ଘୋଷଣା କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା ବେଳେ ଏଥିପୂର୍ବରୁ ଯଦି କେହି ବି ନିର୍ବାଚନ କରନ୍ତି ତାହାଲେ ସେହି ସଂଘର କର୍ମକର୍ତ୍ତାଙ୍କୁ ଅସିଦ୍ଧ ଘୋଷଣା କରାଯିବ ବୋଲି ବିସିସିଆଇ ସର୍କୁଲାର ଜାରି କରିଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି। ବିସିସିଆଇର ନୂତନ ସମ୍ବିଧାନକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତି ଦେବାପରେ ସେହି ଅନୁସାରେ ରାଜ୍ୟ ସଂଘମାନେ ନିର୍ବାଚନ କରିବେ। ଯେଉଁମାନେ ଲୋଧା ସମିତି ସୁପାରିସକୁ ମାନିନେବାକୁ ସତ୍ୟପାଠ ଦେଇସାରିଛନ୍ତି, ସେମାନେ ମଧ୍ୟ ବିସିସିଆଇର ପୂର୍ଣ୍ଣ ସମ୍ବିଧାନ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ନିର୍ବାଚନ କରିପାରିବେ ନାହିଁ ବୋଲି କୁହାଯାଇଛି। ଗତ କିଛି ଦିନ ତଳେ ସ୍ୱୀକୃତିପ୍ରାପ୍ତ ସଂଗଠନ ମାନଙ୍କ ମଧ୍ୟରେ କ୍ଲବ୍‌, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସୁରକ୍ଷା ଦିଆଯାଇଥିବାରୁ ଓସିଏ ନିର୍ବାଚନ ମେ’ ମାସ ମଧ୍ୟରେ ହୋଇଯିବା ନେଇ ଦୃଢୋକ୍ତି ପ୍ରକାଶ ପାଇଥିଲା। କିନ୍ତୁ ସେହି ଜବାବରେ କିଛି ପଏଣ୍ଟକୁ ନେଇ ଦ୍ୱନ୍ଦ୍ୱ ରହୁଥିବାରୁ ଆଇନ୍‌ ବିଶାରଦଙ୍କ ସହାୟତା ନିଆଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ସିଓଏର ଉକ୍ତ ସର୍କୁଲାର ଆସିବା ପରେ ଏବେ ନିର୍ବାଚନ ଆହୁରି ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର