ଓଡ଼ିଶା ଓପନ୍ ଟେନିସ୍ ଆରମ୍ଭ

ଭୁବନେଶ୍ବର: ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଓଡ଼ିଶା ଓପନ୍ ଟେନିସ୍ ପ୍ରତିଯୋଗିତା ଗୁରୁବାରଠାରୁ ସ୍ଥାନୀୟ ଭୁବନେଶ୍ବର କ୍ଲବ୍ ଟେନିସ୍ କଂପ୍ଲେକ୍ସରେ ଆରମ୍ଭ ହୋଇଯାଇଛି। ଖୋର୍ଧା ଜିଲ୍ଲା ଟେନିସ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ମ‌ୋଟ ଚାରିଟି (ଦୁଇଟି ହାର୍ଡ କୋର୍ଟ ଓ ଦୁଇଟି କ୍ଲେ କୋର୍ଟ) କୋର୍ଟରେ ଖେଳାଯିବ। ସର୍ବଭାରତୀୟ ଟେନିସ୍ ସଂଘ ନିୟମାବଳୀରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୧୭ ଜିଲ୍ଲାରୁ ପାଖାପାଖି ୨୫୦ ଖେଳାଳି ଅଂଶଗ୍ରହଣ କରିବେ। ବିକେ ଦାସ ପ୍ରତିଯୋଗିତାର ନି‌ର୍ଦେଶକ ଥିଲା ବେଳେ ଯତିନ ବତ୍ସ୍ୟ ରେଫରି ଦାୟିତ୍ବ ତୁଲାଇବେ। ଏଥିରେ ୬ ବର୍ଗ ଯଥା ପୁରୁଷ ଏକକ, ଯୁଗଳ, ମିଶ୍ରିତ ଯୁଗଳ, ବରିଷ୍ଠ ପୁରୁଷ ଯୁଗଳ (୪୫, ୫୫ ଓ ୬୫ରୁ ଅଧିକ)ରେ ପ୍ରତିଦ୍ବନ୍ଦ୍ବିତା ହେବ। ରାଜ୍ୟର ଶୀର୍ଷ ସ୍ତରୀୟ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ମଧ୍ର ଦେଖିବାକୁ ମିଳିବ। ପ୍ରତିଯୋଗିତାରେ ମୋଟ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି। ବିଜେତାଙ୍କୁ ଟ୍ରଫି ସହ ୧୫,୦୦୦ ଏବଂ ଉପବିଜେତାଙ୍କୁ ଟ୍ରଫି ସହ ୭,୫୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ରାଜ୍ୟର ଟେନିସ୍ ପ୍ରେମୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳୁଛି ବୋଲି ଗୁରୁବାର ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଓଡ଼ିଶା ଟେନିସ୍ ସଂଘର ସମ୍ପାଦକ ମଧୁସୁଦନ ପାଢ଼ୀ, ଖୋର୍ଧା ଜିଲ୍ଲା ଟେନିସ୍ ସଂଘର ସଂପାଦକ ଅସିତ ପ୍ରଧାନ ଓ ପ୍ରତିଯୋଗିତା ନିର୍ଦେଶକ ବିକେ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର